ପ୍ରାମାଣିକ ଭିଡିଓର ସୁଟିଂ କରୁଥିବା ବେଳେ ଟ୍ରେନ୍‌ ଚକା ତଳେ କଟିଯାଇ ପ୍ରାଣ ହରାଇଲେ ଦୁଇଜଣ ଛାତ୍ର

କୋଲକାତା: କୋଲକାତାର ଦମ୍‌ଦମ୍‌ ନିକଟସ୍ଥ ରେଳ ଧାରଣା ଉପରେ ଘଟିଯାଇଛି ଏକ ଦୁଃଖଦପୂର୍ଣ୍ଣ ଅଘଟଣ। ରେଳ ଧାରଣା ଉପରେ ଶୋଇ ଅବା ଚଳନ୍ତା ରେଳଗାଡ଼ି ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିବା ଘଟଣାକୁ ବିରୋଧ କରିବା ସହ ଏ ସଂକ୍ରାନ୍ତରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ତିନିଜଣ କଲେଜ ଛାତ୍ର ଏକ ପ୍ରାମାଣିକ ଭିଡିଓର ସୁଟିଂ କରୁଥିବା ବେଳେ ଦୁଇଜଣ ଛାତ୍ର ଧାରଣା ଉପରେ ଟ୍ରେନ୍‌ ଚକାତଳେ କଟିଯାଇ ପ୍ରାଣ ହରାଇଛନ୍ତି। ଏହି ଘଟଣା ଘଟିଛି ଉତ୍ତର କୋଲକାତାର ଦମ୍‌ଦମ୍‌ ଓ ବେଲ୍‌ଘରିଆ ମଝିରେ। ମୃତକ ଦ୍ୱୟ ହେଲେ ସୌଶବ ଦୌଲି (୨୦) ଓ ସୁନୀଲ୍‌ ତାନ୍ତୀ (୧୯)। ଏମାନଙ୍କ ଘର ଉତ୍ତର ୨୪ ପର୍‌ଗଣାରେ।

ରେଳବାଇ ପୋଲିସ୍‌ ସୂତ୍ରରୁ ପ୍ରକାଶ, କୋଲକାତା ବଙ୍ଗବାସୀ କଲେଜର ଛାତ୍ର ସୌଶବ ଦୌଲି, ସୁନୀଲ୍‌ ତନ୍ତୀ ଓ ସୌନ ସନ୍ତରା ନାମକ ତିନିଜଣ ଛାତ୍ର ଆତ୍ମହତ୍ୟା ବିରୋଧରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ପ୍ରାମାଣିକ ଭିଡିଓର ସୁଟିଂ କରିବା ପାଇଁ ସ୍ଥିର କରିଥିଲେ। ଏ ସପଂର୍କରେ ସେମାନେ ନିଜ ନିଜ ପରିବାରରେ ମଧ୍ୟ ଜଣାଇଥିଲେ। ଉଦ୍ଦେଶ୍ୟ ଥିଲା ଏହି ଭିଡିଓଟିର ସୁଟିଂ ପରେ ଏହାକୁ ସେମାନେ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଥାନ୍ତେ। ପ୍ରାମାଣିକ ଭିଡିଓଟିକୁ ଅଧିକ ଜୀବନ୍ତ କରିବା ପାଇଁ ସେମାନେ ଏକ ସ୍କ୍ରିପ୍ଟ ପ୍ରସ୍ତୁୁତ କରିବା ସହ ଏହାକୁ ରେଳ ଧାରଣା ଉପରେ ସୁଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

Daily Mail (Representational Picture)

ସ୍କ୍ରିପ୍ଟ ଅନୁଯାୟୀ, ଦୌଲି ଏକ କଲେଜ ଛାତ୍ର ଭୂମିକାରେ ଅଭିନୟ କରୁଥିଲେ; ଏବଂ କଲେଜ ଫାଇନାଲ ପରୀକ୍ଷାରେ ଫେଲ୍‌ ହୋଇଯିବା ପରେ ସେ ଜୀବନଟା ବ୍ୟର୍ଥ ହୋଇଗଲା ବୋଲି କହି ଚଳନ୍ତା ରେଳଗାଡ଼ି ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଦେବାକୁ ଆସିଥିଲେ। ଅନ୍ୟପକ୍ଷରେ ତନ୍ତୀ ତାଙ୍କ ବନ୍ଧୁ ଭୂମିକାରେ ଅଭିନୟ କରୁଥିଲେ ଏବଂ ଏପରି ଚରମ ନିଷ୍ପତ୍ତି ନେବାରୁ ବିରତ ରହିବା ସହ ଜୀବନ ସଂପର୍କରେ ତାଙ୍କୁ ବୁଝାଉଥିଲେ। ଆଉ ଏହାର ଭିଡିଓ ସୁଟିଂ କରୁଥିଲେ ସାନ୍ତରା।

ସୋମବାର ଅପରାହ୍ଣରେ ଉତ୍ତର କୋଲକାତାର ଦମ୍‌ଦମ୍‌ ଓ ବେଲ୍‌ଘରିଆ ଷ୍ଟେସନ୍‌ ମଝିରେ ଥିବା ରେଳ ଧାରଣା ନିକଟକୁ ନିଜର ପ୍ରାମାଣିକ ଭିଡିଓର ସୁଟିଂ କରିବାକୁ ଆସିଥିଲେ ତିନି ବନ୍ଧୁ। ସାନ୍ତରା ରେଳ ଧାରଣା ବାହାରେ ରହି ସୁଟିଂ କରୁଥିବା ବେଳେ ରେଳଧାରଣା ଭିତରେ ରହି ଅଭିନୟ କରୁଥିଲେ ଦୌଲି ଓ ତନ୍ତୀ। ଏହି ସମୟରେ ସେମାନଙ୍କ ପଛପଟୁ ଏକ ଟ୍ରେନ୍‌ ଆସି ସେମାନଙ୍କୁ ଧକ୍କା ଦେବା ସହ ସେମାନଙ୍କ ଉପରେ ଚଢ଼ି ଚାଲିଯାଇଥିଲା। ଏବଂ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ଦୁଇ ବନ୍ଧୁ ଦୌଲି ଓ ତନ୍ତୀ।

hindustantimes

ଏ ଘଟଣାରେ ଏବେ ପାଗଳପ୍ରାୟ ହୋଇ ପଡ଼ିଥିବା ସାନ୍ତରା କହନ୍ତି,‘ମୁଁ ଧାରଣା କଡ଼ରେ ରହି ସୁଟିଂ କରୁଥିଲି। ସେମାନେ ଧାରଣା ମଝିରେ ରହି ଅଭିନୟ କରୁଥିଲେ। ଆମେ ଅନେକ ସମୟ ଧରି ସେଠାରେ ସୁଟିଂ ଚଳାଇଥିଲୁ। ପୂର୍ବରୁ ମଧ୍ୟ ଥରେ ପଛରୁ ଟ୍ରେନ୍‌ ଆସିଥିଲା; ଆମେ ଜାଣିପାରି ଧାରଣା ବାହରକୁ ଚାଲି ଆସିଥିଲୁ। କିନ୍ତୁୁ, ଏଥର ଆମେ ପଛପଟୁ ଟ୍ରେନ୍‌ ଆସିବାଟା ଆଦୌ ଜାଣିପାରିଲୁ ନାହିଁ।’

ସିଆଲଦାର ଜିଆର୍‌ପି ଏସ୍‌ପି ଅଶେଷ ବିଶ୍ୱାସ ମଧ୍ୟ କହିଛନ୍ତି, ‘ଆମେ ସାନ୍ତରାର ଭିଡିଓକୁ ଜବତ କରିବା ସହ ତାକୁ ଅନୁଧ୍ୟାନ କରି ଦେଖିଛୁ। ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏମାନେ ନିଜ ସୁଟିଂ ଓ ଅଭିନୟରେ ଏପରି ଭାବେ ମଜ୍ଜି ଯାଇଥିଲେ ଯେ ପଛପଟୁ ଟ୍ରେନ୍‌ ହର୍ଣ୍ଣ ବଜାଇ ଆସିବାଟା ସେମାନେ ଆଦୌ ଜାଣିପାରି ନଥିଲେ। ଯାହା ଫଳରେ ଏପରି ଏକ ଦୁଃଖଦ ଅଘଟଣ ଘଟିଗଲା।’

ସମ୍ବନ୍ଧିତ ଖବର