କୋଭିଡ୍‌ ସ୍ଥିତିର ସମୀକ୍ଷା କଲେ ରେଳମନ୍ତ୍ରୀ: ବିନା ମାସ୍କରେ ରେଳ ଷ୍ଟେସନ୍‌ ମନା

ଭୁବନେଶ୍ବର/ନୂଆଦିଲ୍ଲୀ : ଏଣିକି ବିନା ମାସ୍କରେ ରେଳ ଷ୍ଟେସନ୍‌ରେ ପ୍ରବେଶ ନିଷେଧ। ଯଦି କୌଣସି ଯାତ୍ରୀ ବିନା ମାସ୍କରେ ପ୍ରବେଶ କରିଥିବେ, ତାଙ୍କୁ ତାଗିଦ୍‌ କରାଯିବ। ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ବି ହେବ। ଦେଶରେ ବଢ଼ୁଥିବା କୋଭିଡ୍‌ ସଂକ୍ରମଣର ମୁକାବିଲା ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପ୍ରସ୍ତୁତି ଆରମ୍ଭ ହୋଇଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଦେଶର ସମସ୍ତ ରେଳପଥ ଜୋନ୍/ମଣ୍ଡଳର କୋଭିଡ୍‌ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ରେଳପଥର ଡାକ୍ତରଖାନା ତଥା ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବାକୁ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ବିଭିନ୍ନ ଜୋନ୍ ଓ ରେଳ ମଣ୍ଡଳର ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମୀକ୍ଷା ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ରେଳ ହସ୍ପିଟାଲର ଭିତ୍ତିଭୂମି, ପେଡିଆଟ୍ରିକ୍ ୱାର୍ଡ କାର୍ଯ୍ୟକ୍ଷମ ଉପରେ ଗୁରୁତ୍ବ ଦିଆଯାଇଛି। ଟିକାକରଣ-ରେଳବାଇର ଫ୍ରଣ୍ଟ୍‌ଲାଇନ କର୍ମଚାରୀଙ୍କୁ ବୁଷ୍ଟର୍‌ ଡୋଜ୍‌ ଯୋଗାଇବା ସହ ରେଳପଥର ଶିଶୁ ଓ କର୍ମଚାରୀଙ୍କ ଟିକାକରଣ ଉପରେ ପ୍ରାଥମିକତା ଦେବାକୁ କୁହାଯାଇଛି। ଔଷଧର ଉପଲବ୍ଧତା, ଅମ୍ଳଜାନ ଯୋଗାଣ, ଜିଓଲାଇଟ୍ ଷ୍ଟକ୍ ଓ ଅନ୍ୟାନ୍ୟ ଆବଶ୍ୟକ ଚିକିତ୍ସା ସହାୟତା, ଭେଣ୍ଟିଲେଟର୍‌ କାର୍ଯ୍ୟ, ତରଳ ମେଡିକାଲ୍ ଅମ୍ଳଜାନ ଟ୍ୟାଙ୍କ, କୋଭିଡ୍‌ ଚିକିତ୍ସାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଅନ୍ୟାନ୍ୟ ଯନ୍ତ୍ରପାତି ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଅମ୍ଳଜାନ ଉତ୍ପାଦନ କେନ୍ଦ୍ରଗୁଡ଼ିକର ଉପଲବ୍ଧ କରାଇବାକୁ ପରାମର୍ଶ ଦିଆଯାଇଛି। ମୋଟ ଅନୁମୋଦିତ ଅମ୍ଳଜାନ କେନ୍ଦ୍ର ମଧ୍ୟରୁ ୭୮ଟି କାର୍ଯ୍ୟକ୍ଷମ ହୋଇଛି। ବାକି ରହିଥିବା ୧୭ଟି କେନ୍ଦ୍ର ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ। ସେଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରାଇବା ଉପରେ ଗୁରୁତ୍ବ ଦିଆଯାଇଛି।

ସାମ୍ପ୍ରତିକ ପରିସ୍ଥିତିରେ ରେଳ ଷ୍ଟେସନ୍‌ରେ ଜରୁରୀକାଳୀନ କିମ୍ବା ହଠାତ୍ ରେଳ ଷ୍ଟେସନରେ ଯାତ୍ରୀ/ପ୍ରବାସୀଙ୍କ ସଂଖ୍ୟାରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେଣୁ ସ୍ୱତନ୍ତ୍ର ଷ୍ଟେସନ୍‌ଗୁଡ଼ିକର ଚାଲିବା ଉପରେ ସମୀକ୍ଷା କରାଯାଇଛି। ସମୀକ୍ଷା ବୈଠକରେ ରେଳବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି.କେ ତ୍ରିପାଠୀ, ବୋର୍ଡ ସଦସ୍ୟ ତଥା ରେଳ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ଜୋନାଲ ରେଳବାଇ ମହାପ୍ରବନ୍ଧକ, ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ବିଭିନ୍ନ ସଂସ୍ଥା, କାରଖାନାଗୁଡ଼ିକର ଅଧିକାରୀ ଭର୍ଚୁଆଲ ମାଧ୍ୟମରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର