ନୂଆଦିଲ୍ଲୀ: ଦିଲ୍ଲୀରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରୁଥିବା ଟ୍ରେନ୍ ରେଳ ପ୍ରଶାସନର ଅବହେଳା ହେତୁ ୧୬୦କିମି ପର୍ଯ୍ୟନ୍ତ ଭୁଲ ଦିଗରେ ଯାତ୍ରା କରି ମଧ୍ୟପ୍ରଦେଶରେ ପହଞ୍ଚି ଯାଇଥିଲା। ଏ ସମ୍ପର୍କରେ ରେଳ ପ୍ରଶାସନ କିମ୍ବା ରେଳ ଚାଳକ କାହାରିଙ୍କୁ କୌଣସି ସୂଚନା ନ ଥିଲା । ଟ୍ରେନ୍ ଯେତେବେଳେ ବାନମୋର ଷ୍ଟେସନ୍ରେ ପହଞ୍ଚି ଥିଲା, ଯେତେବେଳେ ଯାଇ ଡ୍ରାଇଭର ଟ୍ରେନ୍ର ରୁଟ୍ ଭୁଲ ଅଛି ବୋଲି ଜାଣିବାକୁ ପାଇଥିଲେ। ରେଳ ପ୍ରଶାସନର ଏଭଳି ଭୁଲ ହେତୁ ଯାତ୍ରୀମାନେ ଏକ ବଡ଼ ଧରଣର ଦୁର୍ଘଟଣାରୁ ସୌଭାଗ୍ୟବଶତଃ ବର୍ତ୍ତି ଯାଇଛନ୍ତି।
ରେଳ ପ୍ରଶାସନର ଏଭଳି ଭୁଲ ଓ ଖାମଖିଆଲ ମନୋଭାବ ହେତୁ ୧୦୦୦ରୁ ଊର୍ଧ୍ୱ ଯାତ୍ରୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଯାତ୍ରୀମାନେ ବାନମୋର ଷ୍ଟେସନ୍ରେ ଫସି ଯାଇଛନ୍ତି। ଏବେ ରେଳ ଅଧିକାରୀମାନେ କ’ଣ କରିବେ, କିପରି ଯାତ୍ରୀମାନଙ୍କ ଏହି ଅସୁବିଧାକୁ ଦୂର କରିବେ ତାହା ଜାଣି ପାରୁ ନାହାନ୍ତି। ୧୦୦୦ରୁ ଊର୍ଧ୍ୱ ଚାଷୀ ମହାରାଷ୍ଟ୍ରରୁ ଦିଲ୍ଲୀର ଯନ୍ତର-ମନ୍ତରରେ ଚାଷୀ ଶୋଭାଯାତ୍ରାରେ ସାମିଲ ହେବାକୁ ଆସିଥିଲେ। ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ଚାଷୀମାନେ ମହାରାଷ୍ଟ୍ରକୁ ଏହି ଟ୍ରେନ୍ରେ ଫେରୁଥିଲେ। ଏମାନଙ୍କ ପାଇଁ ଦିଲ୍ଲୀରୁ ମହାରାଷ୍ଟ୍ର ଯିବାକୁ ଏକ ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରାଯାଇଥିଲା।
ସୂଚନାଯୋଗ୍ୟ, ଟ୍ରେନ୍କୁ ମଥୁରା ଷ୍ଟେସନ୍ରୁ ଭୁଲ ସିଗ୍ନାଲ ମିଳିଥିଲା ବୋଲି ଟ୍ରେନ୍ ଡ୍ରାଇଭର କହିଛନ୍ତି। ଯେଉଁଥି ପାଇଁ ଟ୍ରେନ୍ ମହାରାଷ୍ଟ୍ର ବଦଳରେ ମଧ୍ୟପ୍ରଦେଶରେ ପହଞ୍ଚି ଥିଲା।
କୋଲ୍ଲାପୁର ଯାଉଥିବା ଏକ ଯାତ୍ରୀଙ୍କ କହିବାନୁସାରେ, ରେଳ ପ୍ରଶାସନଙ୍କ ଏହି ଅବହେଳା ହେତୁ ଯାତ୍ରୀମାନେ ପାଖାପାଖି ୫ରୁ ୬ଘଣ୍ଟା ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ବାନମୋର ଷ୍ଟେସନ୍ରେ ଅଟକିବାକୁ ପଡ଼ିଛି।