ସାଗର: ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଢାନା ଅଞ୍ଚଳରେ ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ବିମାନରେ ଥିବା ପ୍ରଶିକ୍ଷକ ଏବଂ ପ୍ରଶିକ୍ଷଣ ନେଉଥିବା ଜଣେ ପାଇଲଟ ସୁରକ୍ଷିତ ଥିବା ଜଣାଯାଇଛି। ଆଜି ଅପରାହ୍ନରେ ବିମାନଟି ଏକ ରାଜପଥରେ ଅବତରଣ କରିବାକୁ ଚେଷ୍ଟା କରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି।

Advertisment

ଏହି ଦୁର୍ଘଟଣାର ଖବରକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, “ମଧ୍ୟପ୍ରଦେଶର ସାଗରସ୍ଥିତ ଚିମସ୍ ଆଭିଏସନ୍ ଏକାଡେମୀର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ପାଇଛି। ସୌଭାଗ୍ୟବଶତଃ ତାଲିମ ନେଉଥିବା ବ୍ୟକ୍ତି ସୁରକ୍ଷିତ ଅଛନ୍ତି। ଦୁର୍ଘଟଣାର କାରଣ ଜାଣିବା ପାଇଁ ଆମେ ଏକ ତଦନ୍ତକାରୀ ଦଳକୁ ଦୁର୍ଘଟଣାସ୍ଥଳକୁ ପଠାଇଛୁ |

ଗତ ୧୮ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରଶିକ୍ଷକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜାନୁଆରି ୨୦୨୦ରେ, ଅନ୍ୟ ଏକ ପ୍ରଶିକ୍ଷକ ବିମାନଟି ରନୱେରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୦୯ରେ, ଅନ୍ୟ ଏକ ପ୍ରଶିକ୍ଷକ ବିମାନ ନର୍ମଦା ନଦୀର ବାଗ୍ରି ଡ୍ୟାମରେ ଖସିପଡିଥିଲା।