ନୂଆଦିଲ୍ଲୀ : ଚଳିତ ମାସରେ ଭାରତ ଏବଂ ଜାପାନ୍‌ ମଧ୍ୟରେ ପ୍ରଥମ ଥର ପାଇଁ ବାୟୁ ଯୁଦ୍ଧ ସମରାଭ୍ୟାସ ହେବାକୁ ଯାଉଛି। ଏଥିରେ ଆଉ ଏକ ପ୍ରଥମ ମଧ୍ୟ ଯୋଡ଼ି ହୋଇଯାଇଛି। ସ୍କ୍ବାଡ୍ରନ ଲିଡର ଅବନୀ ଚତୁର୍ବେଦୀ ପ୍ରଥମ ବାୟୁସେନା ଫାଇଟର ପାଇଲଟ୍‌ ଭାବେ ବିଦେଶରେ ସମରାଭ୍ୟାସରେ ଯୋଗ ଦେବେ। ଅବନୀ ‘ ବୀର ଗାର୍ଡିଏନ-୨୦୨୩’ ବାୟୁ ସମରାଭ୍ୟାସରେ ଯୋଗ ଦେବେ। ଜାପାନର ହାୟାକୁରୀ ବାୟୁସେନା ଘାଟିରେ ଜାନୁଆରି ୧୨ରୁ ୧୬ ମଧ୍ୟରେ ଏହି ସମରାଭ୍ୟାସ ହେବ।

Advertisment

ଅବନୀ ସୁ‌ଖୋଇ-୩୦ ଏମ୍‌କେଆଇ ଜେଟ୍‌ ଉଡ଼ାଇବେ। ବାୟୁ‌ସେନାର ପ୍ରଥମ ମହିଳା ଫାଇଟର୍‌ ପାଇଲଟ୍‌ ଭାବେ ସେ ବିଦେଶରେ ସମରାଭ୍ୟାସରେ ଯୁଦ୍ଧ ବିମାନ ଉଡ଼ାଇବେ। ସ୍କ୍ବାଡ୍ରନ ଲିଡର ଚତୁର୍ବେଦୀ ପ୍ରଥମ ମହିଳା ଭାବେ ୨୦୧୮ ଫେବ୍ରୁଆରିରେ ମିଗ୍‌ -୨୧ ବିମାନ ଉଡ଼ାଇଛନ୍ତି। ସେ ମଧ୍ୟ ସୁଖୋଇ -୩୦ ଯୁଦ୍ଧ ବିମାନ ଉଡ଼ାଇଛନ୍ତି। ୨୦୧୬ରେ ବାୟୁସେନାରେ ସାମିଲ ହୋଇଥିବା ପ୍ରଥମ ବ୍ୟାଚ୍‌ର ୩ ଫାଇଟର ପାଇଲଟ୍‌ଙ୍କ ମଧ୍ୟରେ ଅବନୀ ଥିଲେ। ଏହି ସମରାଭ୍ୟାସରେ ଭାରତ ୪ଟି ସୁଖୋଇ-୩୦ ଏମ୍‌କେଆଇ ଫାଇଟର ଜେଟ୍‌, ୨ଟି ସି-୧୦ ଗ୍ଲୋବମାଷ୍ଟର ଷ୍ଟ୍ରାଟେଜିକ ଲିଫ୍ଟ ଏୟାରକ୍ରାଫ୍ଟ, ଗୋଟିଏ ଆ‌ଇଏଲ୍‌-୭୮ ମିଡ୍‌ ଏୟାର ରିଫୁଏଲର ଏବଂ ବା‌ୟୁସେନାର ପ୍ରାୟ ୧୫୦ ସଦସ୍ୟଙ୍କୁ ସାମିଲ କରିବ । ଅନ୍ୟପକ୍ଷେ ଜାପାନ ଏଫ୍‌-୨ ଏବଂ ଏଫ୍‌-୧୫ ଫାଇଟର ଜେଟ୍‌ ସାମିଲ କରିବ।