ଲକ୍ଷାଧିକ ସମ୍ମୁଖ ଯୋଦ୍ଧାଙ୍କୁ ତାଲିମ, ସମୟୋଚିତ କୌଶଳର ଗୁରୁତ୍ବ ବଢ଼ାଇଛି କରୋନା: ମୋଦୀ

ନୂଆଦିଲ୍ଲୀ : କୋଭିଡ୍‌-୧୯ର ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଆଜି ଏକ ଅନୁକୂଳ ସଂକ୍ଷିପ୍ତ ପାଠ୍ୟକ୍ରମର ଲୋକାର୍ପଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଲୋକାର୍ପଣ କରିଛନ୍ତି। ଦେଶର ୨୬ଟି ରାଜ୍ୟର ପ୍ରାୟ ୧୧ଟି କେନ୍ଦ୍ରରେ ଆୟୋଜିତ ହେବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏକ ଲକ୍ଷରୁ ଅଧିକ କୋଭିଡ୍‌ ସମ୍ମୁଖ ଯୋଦ୍ଧାଙ୍କୁ ତାଲିମ ଦିଆଯିବ। ଏହା ସମ୍ଭାବ୍ୟ ତୃତୀୟ ଲହରକୁ ମୁକାବିଲା କରିବାରେ ସହାୟକ ହେବ ବୋଲି କୁହାଯାଉଛି।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ୬ଟି ପ୍ରଶିକ୍ଷଣ ପାଠ୍ୟକ୍ରମର ରୂପରେଖ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଦାବି ମୁତାବକ ଦେଶର ଶୀର୍ଷ ବିଶେଷଜ୍ଞମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଛି। ସେଗୁଡ଼ିକ ମଧ୍ୟରେ ଗୃହ ଚିକିତ୍ସା ସହାୟତା, ମୌଳିକ ଚିକିତ୍ସା ସହାୟତା, ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହାୟତା, ଜରୁରୀକାଳୀନ ଚିକିତ୍ସା ସହାୟତା, ନମୁନା ସଂଗ୍ରହ ସହାୟତା ଏବଂ ଚିକିତ୍ସା ସରଞ୍ଜାମ ପରିଚାଳନା ସହାୟତା ପରି ୬ଟି ଅନୁକୂଳ ଭୂମିକା ରହିଛି ଏବଂ ସମ୍ମୁଖ ଭାଗ କୋଭିଡ୍‌ ଯୋଦ୍ଧାମାନଙ୍କୁ ଏ ଦିଗରେ ନୂଆ କୌଶଳ ପ୍ରଶିକ୍ଷଣ ଦିଆଯିବ।

ସ୍ବାସ୍ଥ୍ୟକ୍ଷେତ୍ରରେ ଏହି ଅଭିଯାନ ସମ୍ମୁଖ ଯୋଦ୍ଧାମାନଙ୍କୁ ନୂତନ ଉତ୍ସାହ ପ୍ରଦାନ କରିବା ସହ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉକ୍ତ କାର୍ଯ୍ୟକ୍ରମର ଲୋକାର୍ପଣ ଅବସରରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଡ. ମହେନ୍ଦ୍ରନାଥ ପାଣ୍ଡେଙ୍କ ସମେତ ଅନ୍ୟାନ୍ୟ ବିଭାଗର ମନ୍ତ୍ରୀ, ବିଶେଷଜ୍ଞ ଓ ଅଂଶୀଦାରମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର