କାଶ୍ମୀର : ସୁରକ୍ଷାବାହିନୀ ଗୁଳିରେ ଜୈସ ଆତଙ୍କବାଦୀ ମୃତ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରର ତ୍ରାଲ ସେକ୍ଟରରେ ଆଜି ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟ ଶେଷ ହୋଇଛି । ଏହି ଏନକାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ-ଇ-ମୁହମ୍ମଦର ଏକ ଆତଙ୍କବାଦୀ ନିହତ ହୋଇଛି । ଏହା ସହିତ ଜାମ୍ମୁ ଓ କାଶ୍ମୀର ପୁଲିସର ଜଣେ ଯବାନ ଆହତ ହୋଇଛନ୍ତି । ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ କାଶ୍ମୀରର ଫୁଲଓ୍ଵାମା ଜିଲ୍ଲାର ତ୍ରାଲ ସେକ୍ଟରରେ ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦା ସୁତ୍ରରୁ ଖବର ମିଳିବା ପରେ ପୁଲିସ ଓ ସେନାର ମିଳିତ ବାହିନୀ ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସୁରକ୍ଷାବଳକୁ ଦେଖି ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ତାହାର ଜବାବ ଦିଆଯାଇଥିଲା । ପ୍ରାୟ ୭ ଘଣ୍ଟା ଧରି ଏହି ଅପରେସନ ଚାଲିବା ପରେ ସୁରକ୍ଷାବାହିନୀ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା । ସେ ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଂଗଠନ ଜୈସ-ଇ-ମୁହମ୍ମଦର ସଦସ୍ୟ ବୋଲି ଜଣାପଡିଛି । ଏହି ଘଟଣାରେ ଜଣେ ପୁଲିସକର୍ମୀ ଆହତ ହୋଇଥିବା ଜଣାଯାଇଛି । ଏହି ଅପରେସନରେ ଜାମ୍ମୁ ଓ କାଶ୍ମୀର ପୁଲିସ, ସିଆରପିଏଫ ଓ ରାଷ୍ଟ୍ରୀ ୟ ରାଇଫଲ୍ସ ମିଳିତଭାବେ ଅଂଶଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର