ନୂଆଦିଲ୍ଲୀ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଅନୁରୋଧକୁ ରକ୍ଷା କରି କନେଷ୍ଟେବଳଙ୍କ ବଦଳି କଲେ ମଧ୍ୟପ୍ରଦେଶ ସରକାର | ଗେମ ଶୋ 'କୌନ ବନେଗା କରୋଡ଼ପତି' ସମୟରେ ଜଣେ ପ୍ରତିଯୋଗୀଙ୍କୁ ଦେଇଥିବା ଆବେଦନକୁ ମଧ୍ୟପ୍ରଦେଶ ପୁଲିସ ମୁଖ୍ୟାଳୟ ଗ୍ରହଣ କରିଛି। ମିଳିଥିବା ସୂଚନା ମୁତାବକ ଗ୍ୱାଲିଅରରେ ପୋଷ୍ଟ ହୋଇଥିବା କନଷ୍ଟେବଳ ପ୍ରୀତି ସିକୱାରଙ୍କୁ ତାଙ୍କ ସ୍ୱାମୀ ବିବେକ କୁମାର ପୋଷ୍ଟିଙ୍ଗ ହୋଇଥିବା ମନ୍ଦସୌରକୁ ବଦଳି କରାଯାଇଛି। ବାସ୍ତବରେ ବିବେକ କୌନ ବନେଗା କରୋଡ଼ପତି (କେବିସି)ରେ ନିଜର ଏକ ଅସୁବିଧା ବାବଦରେ ଅମିତାଭଙ୍କୁ କହିଥିଲେ |
ଶୋ’ରେ ମନ୍ଦସୌରର ଟ୍ରାଫିକ କନଷ୍ଟେବଳ ବିବେକ ନିଜର ଯନ୍ତ୍ରଣା ପ୍ରକାଶ କରିଥିଲେ। ପ୍ରୀତି ମଧ୍ୟ ଶୋ’ର ସେଟ୍ରେ ଥିଲେ। କଥାବାର୍ତ୍ତା ସମୟରେ ସ୍ୱାମୀ-ସ୍ତ୍ରୀ ଉଭୟଙ୍କ ଜିଲ୍ଲାର ଦୂରତା ପ୍ରାୟ ୪୦୦ କିଲୋମିଟର ବୋଲି କହି ପାରିବାରିକ ଜୀବନରେ ସମସ୍ୟା ବିଷୟରେ ସୂଚନା ଦେଇଥିଲେ। ଏକ ଭିନ୍ନ ସହରରେ ତାଙ୍କ ପତ୍ନୀଙ୍କ ଚାକିରିର ଯନ୍ତ୍ରଣା ବାଣ୍ଟିଥିଲେ | ଏହା ଉପରେ ଅମିତାଭ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ ଯେ ସ୍ୱାମୀ-ସ୍ତ୍ରୀଙ୍କୁ ଗୋଟିଏ ସହରରେ ପୋଷ୍ଟ କରାଯାଉ।
ଆଉ ଏହା ପରେ ପୁଲିସ ମୁଖ୍ୟାଳୟରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ପ୍ରୀତିଙ୍କୁ ଗ୍ୱାଲିଅରରୁ ନାର୍କୋଟିକ୍ସ ୱିଙ୍ଗ ମନ୍ଦସୌରକୁ ବଦଳି କରାଯାଇଛି। ବଦଳିର କାରଣ ଦର୍ଶାଯାଇଛି ଯେ ସେମାନଙ୍କ ପାରିବାରିକ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଜାରି କରାଯାଉଛି। ତିନି ବର୍ଷ ପାଇଁ ପ୍ରୀତିଙ୍କୁ ଡେପୁଟେସନରେ ପଠାଯାଇଛି। ସୂଚନା ଥାଉ କି ବିବେକ ଜାନୁଆରୀ ୫ ଏବଂ ୬ ରେ ପ୍ରସାରିତ କେବିସିରେ ଅଂଶଗ୍ରହଣ କରିଥିଲେ ଏବଂ ୨୫ ଲକ୍ଷ ଟଙ୍କା ମଧ୍ୟ ଜିତିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/addd.jpg)