ରାଜସ୍ଥାନ: ଜୟପୁରରେ ଟ୍ରାନ୍ସଫରମର ବିସ୍ଫୋରଣ, ୧୪ ମୃତ, ୭ ଗୁରୁତର

ଜୟପୁର: ରାଜସ୍ଥାନର ଜୟପୁର ନିକଟସ୍ଥ ବିରାଟନଗର ତହସିଲ ଅନ୍ତର୍ଗତ ଢାଣୀ ଗୁଜରାନ ଗ୍ରାମରେ ହୋଇଥିବା ଟ୍ରାନ୍ସଫରମର ବିସ୍ଫୋରଣ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି। ୪ଜଣ ମହିଳା ମଧ୍ୟ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ସେହିଭଳି ୭ଜଣ ଗୁରୁତର ଆହତ ବ୍ୟକ୍ତିମାନଙ୍କର ୯୫ ପ୍ରତିଶତ ଶରୀର ପୋଡ଼ି ଯାଇଛି। ଗୁରୁତରଙ୍କୁ ଏସ୍‌ଏମ୍‌ଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ବିଜେପି ନେତାଙ୍କ ସହିତ ଏସ୍‌ଏମ୍‌ଏମ୍‌ ହସ୍ପିଟାଲ ପହଞ୍ଚି ଘଟଣା ସମ୍ପର୍କରେ ପଚରାଉଚରା କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ମଧ୍ୟ ହସ୍ପିଟାଲ ପହଞ୍ଚିଛନ୍ତି।

ଢାଣୀ ଗୁଜରାନ ଗ୍ରାମର ଭୈରୁରାମ ଗୁର୍ଜରଙ୍କ ମଙ୍ଗଳବାର ୨ ଝିଅଙ୍କ ବିବାହ ଥିଲା। ଶ୍ୱସୁର ଘର ଲୋକେ ପହଞ୍ଚିବା ପରେ ସ୍ୱାଗତ ସମୟରେ ଟ୍ରାନ୍ସଫରମର ବିସ୍ଫୋରଣ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ହସ୍ପିଟାଲ ପହଞ୍ଚି ଆହତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ଭେଟିଛନ୍ତି। ସେ କହିଛନ୍ତି ଗୁରୁତରଙ୍କୁ ଭଲ ଚିକିତ୍ସା ଦିଆଯାଉଛି। ସେ ମୃତକଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟିଛନ୍ତି।

ସମ୍ବନ୍ଧିତ ଖବର