ଦେଶକୁ ଖୁବ ଶୀଘ୍ର ମିଳିପାରନ୍ତି ପ୍ରଥମ ସମଲିଙ୍ଗୀ ବିଚାରପତି

ନୂଆଦିଲ୍ଲୀ: ଦେଶକୁ ଖୁବଶୀଘ୍ର ଜଣେ ସମଲିଙ୍ଗୀ ଜଜ୍ ମିଳିପାରନ୍ତି । ସୁପ୍ରିମକୋର୍ଟ କଲେଜିୟମ ତରଫରୁ ବରିଷ୍ଠ ଓକିଲ ସୌରଭ କୃପାଲଙ୍କୁ ଦିଲ୍ଲୀ ହାଇକୋର୍ଟର ଜଜ୍ ନିଯୁକ୍ତ କରିବାକୁ ସୁପାରିଶ କରିଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏନ ବି ରମନ୍ନାଙ୍କ ଅଧ୍ୟକ୍ଷତାରେ କଲେଜିୟମ ନଭେମ୍ବର ୧୧ ତାରିଖରେ ହୋଇଥିବା ବୈଠକରେ କେନ୍ଦ୍ରକୁ ଏହି ସୁପାରିଶ ପଠାଇଛନ୍ତି । ସବୁଠାରୁ ବଡକଥା କଲେଜିୟମ ଏହା ପୂର୍ବରୁ ବି ୪ ଥର ସୌରଭ କୃପାଲଙ୍କୁ ଜଜ୍ ଭାବେ ନିଯୁକ୍ତି କରିବାକୁ କେନ୍ଦ୍ରକୁ ସୁପାରିଶ କରିଥିଲେ, ହେଲେ କେନ୍ଦ୍ର ଏହା ଉପରେ ଅଭିଯୋଗ ଆଣି ସୁପାରିଶକୁ ଖାରଜ କରିଦେଇଥିଲେ ।

ଦେଶରେ ପ୍ରଥମ ଥର ଜଣେ ଓକିଲ ଖୋଲାଖୋଲି ନିଜକୁ ଜଣେ ସମଲିଙ୍ଗୀ ବୋଲି ସ୍ୱୀକାର କରୁଥିବା ବେଳେ ତାଙ୍କୁ ଜଜ୍ ଭାବେ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟର କଲେଜିୟମ ସୁପାରିଶ କରିଛନ୍ତି । ଏହା ପୂର୍ବରୁ ୨୦୧୭ ଅକ୍ଟୋବର ମାସରେ ଦିଲ୍ଲୀ ହାଇକୋର୍ଟ ବି ସର୍ବସମ୍ମତି କ୍ରମେ ସୌରଭଙ୍କୁ ଜଜ୍ ଭାବେ ନିଯୁକ୍ତ କରିବାକୁ ସୁପାରିଶ କରିଥିଲେ । ହେଲେ ୪ଥର ସୁପ୍ରିମକୋର୍ଟ ଏହି ସୁପାରିଶକୁ ଖାରଜ କରିଦେଇଥିଲେ । ଚଳିତ ବର୍ଷ ମାର୍ଚ୍ଚ ମାସରେ ପୂର୍ବତନ ମୁଖ୍ୟବିଚାରପତି ଏସଏ ବୋବଡେ କେନ୍ଦ୍ରକୁ ସୌରଭଙ୍କୁ ଜଜ୍ ନିଯୁକ୍ତି କରିବାନେଇ ମତ ଜାଣିବାକୁ ଚାହିଁଥିଲେ ।

ମାତ୍ର କେନ୍ଦ୍ର ପୁଣିଥରେ ଏହା ଉପରେ ଆପତ୍ତି ଉଠାଇଥିଲା । କେନ୍ଦ୍ର ସରକାର ସୌରଭଙ୍କ ବିଦେଶୀ ପୁରୁଷ ବନ୍ଧୁଙ୍କୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଗଣମାଧ୍ୟମର ରିପୋର୍ଟ ମୁତାବକ ସୌରଭଙ୍କ ପୁରୁଷ ବନ୍ଧୁ ତଥା ମାନବାଧିକାର କର୍ମୀ ନିକୋଲସ ଜଣେ ବିଦେଶୀ ନାଗରିକ ହୋଇଥିବାରୁ ଏହା ନ୍ୟାୟ ବ୍ୟବସ୍ଥା ଉପରେ ପ୍ରଭାବ ପକାଇପାରେ ବୋଲି କେନ୍ଦ୍ର କହିଥିଲା ।

ସମ୍ବନ୍ଧିତ ଖବର