ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ୧୦୦ ଦିନରେ ପହଞ୍ଚିଛି ଏବଂ ୨୮୦୦ କିମିରୁ ଅଧିକ ରାସ୍ତା ଅତିକ୍ରମ କରିଛି। ତାମିଲନାଡ଼ୁରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ସଂପନ୍ନ ହେବା ପରେ ଏବେ ରାଜସ୍ଥାନରେ ଚାଲିଛି। ରାହୁଲ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍)କୁ ମହିଳା-ବିରୋଧୀ କହି ଟାର୍ଗେଟ୍ କରିଛନ୍ତି।। ସେ କହିଛନ୍ତି, ଏହି ସଂଗଠନରେ କୌଣସି ମହିଳା ସଦସ୍ୟ ନାହାନ୍ତି।
ବିଜେପି ଓ ଆର୍ଏସ୍ଏସ୍ର ଲୋକମାନଙ୍କ ‘ଜୟ ଶ୍ରୀରାମ’ ଉଚ୍ଚାରଣକୁ ମଧ୍ୟ ରାହୁଲ ସମାଲୋଚନା କରିଛନ୍ତି। ବିଜେପି ‘ଜୟ ଶ୍ରୀରାମ’ ବଦଳରେ ‘ଜୟ ସିୟାରାମ’ ବା ‘ଜୟ ସୀତାରାମ’ କହିବା ଉଚିତ ବୋଲି ରାହୁଲ ଯୁକ୍ତି ବାଢ଼ିଛନ୍ତି। ରାହୁଲ ଭାରତ ଯୋଡ଼ୋ ଯାତ୍ରା ଅବସରରେ ରାଜସ୍ଥାନର ଦୌସା ଜିଲ୍ଲାର ବାଗଦି ଗ୍ରାମରେ ଏକ ସମାବେଶରେ ଭାଷଣ ଦେବା ବେଳେ କହିଥିଲେ -ଆପଣ ତାଙ୍କ ସଂଗଠନରେ ଜଣେ ବି ମହିଳା ଦେଖିବାକୁ ପାଇବେ ନାହିଁ। ଆର୍ଏସ୍ଏସ୍ ମହିଳାମାନଙ୍କୁ ଦବେଇ ରଖିବାକୁ ଚାହେଁ। ସେ ପୁଣି କହିଥିଲେ ଯେ ଦେଶରେ ବେକାରୀ ସମସ୍ୟା ବଢ଼ୁଛି ଏବଂ ଆର୍ଏସ୍ଏସ୍ ଓ ବିଜେପି ଏଥିରୁ ଫାଇଦା ଉଠାଉଛନ୍ତି। ବିଜେପିର ବିଚ୍ଛିନ୍ନତାବାଦୀ ରାଜନୀତି ବିରୋଧରେ ଆମର ଲଢ଼େଇ ଜାରି ରହିବ ବୋଲି ରାହୁଲ କହିଥିଲେ।