ରକି ପର୍ବତମାଳାରୁ ମିଳିଲା ୧୦ ବର୍ଷ ତଳେ ଲୁଚା ଯାଇଥିବା ୧ ନିୟୁତ ଡଲାର୍‌ର ଗୁପ୍ତଧନ

ନୂଆଦିଲ୍ଲୀ: ପ୍ରାୟ ଦଶ ବର୍ଷ ତଳେ କୋଟିପତି ଚିତ୍ରକଳା ଡିଲର୍ ଫରେଷ୍ଟ୍ ଫେନ୍ ଲୁଚାଇ ଥିବା ଗୁପ୍ତଧନ ଆବିଷ୍କୃତ ହୋଇଛି। ଉତ୍ତର ଆମେରିକାର ରକି ପର୍ବତମାଳାରୁ ମିଳିଥିବା ଏହି ସିନ୍ଦୁକରେ ପ୍ରାୟ ୧ ନିୟୁତ ଡଲାର୍ ମୂଲ୍ୟର ସୁନା ଖଣ୍ଡ, ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ରତ୍ନ ଇତ୍ୟାଦି ରହିଛି।

ଦଶ ବର୍ଷ ତଳେ ଲୁଚାଇ ଥିବା ଏହି ସମ୍ପତ୍ତିକୁ ଖୋଜି ବାହାର କରିବାକୁ ଫେନ୍‌ ଲୋକମାନଙ୍କୁ ଆହ୍ବାନ ଦେଇଥିଲେ। ଏହାଛଡ଼ା, ଏହି ସମ୍ପତ୍ତିକୁ ଖୋଜି ପାଇବାର ସୂତ୍ର ଭାବେ ଗୋଟିଏ ମାନଚିତ୍ର ଏବଂ କବିତାଟିଏ ମଧ୍ୟ ପ୍ରକାଶ କରିଥିଲେ।

ଏହି ସୂତ୍ର ପ୍ରଥମେ ପ୍ରକାଶ ପାଇଥିଲା ଫେନ୍‌ ନିଜେ ପ୍ରକାଶ କରିଥିବା ପୁସ୍ତକ ‘ଦ ଥ୍ରିଲ୍ ଅଫ୍ ଚେସ୍’ରେ। ଅଗଣିତ ଅନ୍ବେଷଣ ଏବଂ କେତେଗୁଡ଼ିଏ ଦୁଃଖଦ ଘଟଣା ପରେ ଶେଷକୁ ସେ ସମ୍ପତ୍ତିକୁ ଆବିଷ୍କାର କରାଯାଇଛି।

Image Courtesy of NPR

ଫେନ୍‌ଙ୍କ ଗୁପ୍ତଧନ ଅନ୍ବେଷଣକାରୀଙ୍କ ପ୍ରସଙ୍ଗ ଆଲୋଚନା ହେଉଥିବା ଡାଲ୍ ନିଜେଲ୍‌ଙ୍କ ଦ୍ବାରା ପରିଚାଳିତ ବ୍ଲଗ୍‌ରେ ଫେନ୍ ‌ଏକ ବିବୃତିରେ ଲେଖିଛନ୍ତି: ଗୁପ୍ତଧନ ମିଳିଯାଇଛି।

ଫେନ୍‌ କହିଛନ୍ତି, କେଉଁ ବ୍ୟକ୍ତିଜଣକ ଗୁପ୍ତଧନ ପାଇଛନ୍ତି ତାହା ମୁଁ ଜାଣେନା। କିନ୍ତୁ, ମୋ ପୁସ୍ତକରେ ଥିବା କବିତାଟି ତାଙ୍କୁ ଠିକ୍ ସ୍ଥାନକୁ ବାଟ କଢ଼ାଇ ନେଇଥିଲା। ଧନ ପାଇଥିବା ବ୍ୟକ୍ତିଜଣକ ନିଜ ନାଆଁ ପ୍ରକାଶ କରିବାକୁ ଅନାଗ୍ରହୀ। ସେ ସଂଲଗ୍ନ କରିଥିବା ଫଟୋଚିତ୍ରରୁ ଜଣାପଡ଼ିଛି ଯେ ଗୁପ୍ତଧନ ମିଳିଯାଇଛି।

ରକି ପର୍ବତମାଳାର ଘଞ୍ଚ ସବୁଜ ବୃକ୍ଷରାଜି ମଧ୍ୟରେ ଏକ ତରାଖଚିତ ଚାନ୍ଦୁଆ ତଳେ ଏହି ଗୁପ୍ତଧନ ଥିଲା। ମୁଁ ୧୦ ବର୍ଷ ତଳେ ତାହାକୁ ଯେଉଁଠି ଲୁଚାଇଥିଲି ସେ ଜାଗାରୁ ଇଞ୍ଚେ ମଧ୍ୟ ଘୁଞ୍ଚା ଯାଇ ନ ଥିଲା।

ସମ୍ବନ୍ଧିତ ଖବର