ନୂଆଦିଲ୍ଲୀ: ଉତ୍ତର ଭାରତରେ କଂଗ୍ରେସର ବିପର୍ଯ୍ୟୟ ଇଣ୍ଡିଆ ମେଣ୍ଟରେ କମ୍ପନ ସୃଷ୍ଟି କରିଛି। ମେଣ୍ଟର କେତେକ ପ୍ରମୁଖ ଅଂଶୀଦାର କଂଗ୍ରେସର ରଣନୀତି ଉପରେ ପ୍ରଶ୍ନ ଉଠାଇବା ସହ ମେଣ୍ଟର ନେତୃତ୍ବ ପ୍ରସଙ୍ଗରେ ମଧ୍ୟ କଂଗ୍ରେସକୁ ଘେରିଛନ୍ତି। ଆସନ୍ତାକାଲି ଦିଲ୍ଲୀରେ ମେଣ୍ଟର ବୈଠକ ପାଇଁ କଂଗ୍ରେସର ପ୍ରୟାସକୁ ଝଟ୍କା ଲାଗିଛି ଏବଂ ୩ଟି ପ୍ରମୁଖ ଦଳର ସୁପ୍ରିମୋ ଏଥିରେ ଯୋଗ ଦେବେନାହିଁ ବୋଲି ଘୋଷଣା କରିବା ପରେ ବୈଠକ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ବୈଠକ ୧୮ ଡିସେମ୍ବରରେ କରାଯିବାକୁ ଯୋଜନା ହେଉଛି। ସୂଚନାଯୋଗ୍ୟ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ୬ ଡିସେମ୍ବରରେ ବୈଠକ ଡକାଇବା ପରେ ମେଣ୍ଟର ଜଣେ ପରେ ଜଣେ ନେତା ଏଥିରେ ସାମିଲ ହୋଇପାରିବେ ନାହିଁ ବୋଲି କହିଥିଲେ। ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକରେ ସାମିଲ ହେବେନାହିଁ ବୋଲି ଘୋଷଣା କରିବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଧ୍ୟ ବୈଠକରୁ ନିଜକୁ ଦୂରେଇ ନେଇଥିଲେ। ଏଭଳି ସ୍ଥିତିରେ ବୈଠକ ସ୍ଥଗିତ ରଖିବାକୁ କଂଗ୍ରେସ ବାଧ୍ୟ ହୋଇଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମଧ୍ୟ ବୈଠକରେ ସାମିଲ ହେବାକୁ ମନା କରିଥିବା କୁହାଯାଉଛି।
ମମତା ବାନାର୍ଜୀ ତାଙ୍କର ବିଭିନ୍ନ ଗସ୍ତ କାର୍ଯ୍ୟକ୍ରମ ଦର୍ଶାଇ ବୈଠକକୁ ଯାଇପାରିବେ ନାହିଁ କହିଥିଲେ। ସୂଚନାଯୋଗ୍ୟ, ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସର ପରାଜୟକୁ ନେଇ ମମତା କଡ଼ା ପ୍ରତିକ୍ରିୟା ରଖିଥିଲେ। ରବିବାର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ଇଣ୍ଡିଆ ମେଣ୍ଟରେ ଆସନ ବଣ୍ଟନକୁ ନେଇ ଜଟିଳ ସ୍ଥିତି ଲାଗିରହିଛି। ଦିଲ୍ଲୀ ଏବଂ ପଞ୍ଜାବରେ ଶାସକ ଆମ୍ ଆଦ୍ମୀ ପାର୍ଟି ଲଗାତାର ଆସନ ବଣ୍ଟନ ନେଇ ମତ ରଖିଆସୁଥିବା ବେଳେ ଏ ନେଇ କୌଣସି ଚର୍ଚ୍ଚା ହୋଇନାହିଁ। ଉତ୍ତରପ୍ରଦେଶ, ପଶ୍ଚିମବଂଗ ଓ କେରଳରେ ମଧ୍ୟ ଆସନ ବୁଝାମଣା ମେଣ୍ଟ ପାଇଁ ବହୁତ ବଡ଼ ଚ୍ୟାଲେଂଜ ଭାବେ ରହିଛି ଏବଂ ଏଭଳି ସ୍ଥିତିରେ ମେଣ୍ଟ ନେତାମାନେ କଂଗ୍ରେସ ବିରୋଧରେ ବୟାନ ଦେଇଚାଲିଥିବାରୁ ସମସ୍ୟା ବଢ଼ୁଛି। ଇଣ୍ଡିଆ ମେଣ୍ଟର ନେତୃତ୍ବକୁ ନେଇ ମଧ୍ୟ ଏବେ ବିବାଦ ଆରମ୍ଭ ହୋଇଛି। ନୀତୀଶ କୁମାରଙ୍କ ନେତୃତ୍ବରେ ମେଣ୍ଟ ପରିଚାଳନା କରିବାକୁ ଜେଡିୟୁ ବୟାନ ଦେଇଥିବା ବେଳେ ଟିଏମ୍ସି ନେତାମାନେ ମମତା ହିଁ ମେଣ୍ଟର ନେତୃତ୍ବ ନେବାକୁ ସବୁଠାରୁ ଉପଯୁକ୍ତ ବୋଲି କହିଛନ୍ତି।