ହେଲ୍‌ମେଟ୍‌ ପିନ୍ଧିଥିବାରୁ ଖୁସିରେ ଯୁବକଙ୍କୁ ଗୋଲାପ ଫୁଲ ଦେଲେ ଟ୍ରାଫିକ୍‌ ପୁଲିସ, ଘରେ ପହଞ୍ଚିବା ପରେ ଆରମ୍ଭ ହୋଇଗଲା ଝଗଡ଼ା, ଜାଣନ୍ତୁ କ’ଣ ଥିଲା କାରଣ…

ଲକ୍ଷ୍ନୌ: ସଡ଼କ ସୁରକ୍ଷା ସପ୍ତାହ ଚାଲୁଥିବାରୁ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଟ୍ରାଫିକ୍‌ ପୁଲିସ ଏକ ଅଜବ ଅଭିଯାନ ଆରମ୍ଭ କରିଥିବା ଦେଖା ଯାଇଛି । ଯେଉଁମାନେ ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଉଥିବାର ନଜର ଆସୁଛନ୍ତି ସେମାନଙ୍କୁ ହେଲ୍‌ମେଟ୍‌ ଏବଂ ଯେଉଁମାନେ ହେଲ୍‌ମେଟ୍‌ ପିନ୍ଧି ଯାତ୍ରା କରୁଛନ୍ତି ସେମାନଙ୍କୁ ଗୋଲାପ ଫୁଲ ଦେଇ ଅଭିନନ୍ଦନ ଜଣାଉଥିବା ଜଣା ପଡ଼ିଛି । କିନ୍ତୁ ଟ୍ରାଫିକ୍‌ ନିୟମ ଠିକ୍‌ ଭାବରେ ପାଳନ କରୁଥିବା ଜନୈକ ବାଇକ୍‌ ଅରୋହୀଙ୍କୁ ଗୋଲାପ ଫୁଲ ନେବା ଭାରି ପଡ଼ିଛି ।

ସୂଚନା ମୁତାବକ, ହେଲ୍‌ମେଟ୍‌ ପିନ୍ଧି ଗାଡ଼ି ଚଳାଉଥିବାରୁ ଟ୍ରାଫିକ୍‌ ପୁଲିସ ତାଙ୍କୁ ଅଟକାଇ ଗୋଲାପ ଫୁଲଟିଏ ଦେଇଥିଲେ । ଯାହାକୁ ଖୁସିରେ ନେଇ ଘରେ ପହଞ୍ଚିଥିଲେ ଯୁବକ । କିନ୍ତୁ ତାଙ୍କୁ ଜଣା ନଥିଲା, ତାଙ୍କ ହାତରେ ଥିବା ଗୋଲାପ ଫୁଲକୁ ନେଇ ଏତେ ବଡ଼ ଘଟଣା ଘଟିଯିବ ବୋଲି । ଘରେ ପହଞ୍ଚିବା ପରେ ଯୁବକଙ୍କ ସ୍ତ୍ରୀ ଗୋଲାପ ଫୁଲଟି ଟ୍ରାଫିକ୍‌ ପୁଲିସ ଦେଇଛନ୍ତି ବୋଲି ବିଶ୍ୱାସ ନ କରି ଝଗଡ଼ା କରିବାକୁ ଲାଗିଥିଲେ । କେଉଁ ଝିଅ ସହ ସଂପର୍କ ରହିଛି ବୋଲି ପଚାରି ଝଗଡ଼ା କରିବାକୁ ଲାଗିଥିଲେ ମହିଳା । ଯୁବକ ଜଣଙ୍କ ସବୁ ଜଣାଇବା ପରେ ସ୍ତ୍ରୀ ନ ବୁଝିବାରୁ ଟ୍ରାଫିକ ପୁଲିସଙ୍କ ପାଖକୁ ଯାଇ ନିଜ ଦୁଃଖ ଜଣାଇଥିଲେ । ଯାହା ପରେ ପୁଲିସ ତାଙ୍କୁ ଗୋଲାପ ଫୁଲ ଦେଉଥିବାର ଏକ ଫଟୋ ତାଙ୍କୁ ଖୋଜି ଦେଇଥିଲେ । ଯାହା ପରେ ଯୁବକ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଝଗଡ଼ାର ସମାଧାନ ହୋଇଥିଲା ।

ସମ୍ବନ୍ଧିତ ଖବର