୪ ଦୁଷ୍କର୍ମକାରୀଙ୍କ ‌‘ଡେଥ୍ ୱାରେଣ୍ଟ’ ଜାରି ନ ହେବା ପରେ ଅଦାଲତରେ କାନ୍ଦି ପକାଇଲେ ନିର୍ଭୟାଙ୍କ ମା’; ପ୍ରବୋଧନା ନ ଦେଇ ରହିପାରିଲେ ନାହିଁ ବିଚାରପତି !

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ଅକ୍ଷୟ ସିଂର ପୁନର୍ବିଚାର ଆବେଦନ ସୁପ୍ରିମକୋର୍ଟ ଖାରଜ କରିବା ପରେ ଆଜି ଏହି ମାମଲାର ବିଚାର କରିଥିବା  ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ୪ ଦୁଷ୍କର୍ମକାରୀଙ୍କ ଫାଶୀଦଣ୍ଡାଦେଶର ତାରିଖ ଘୋଷଣା କରିବେ ବୋଲି ଆଶା କରାଯାଉଥିଲା। ଦିଲ୍ଲୀ ପୁଲିସ ପକ୍ଷରୁ ଫାଶୀଦଣ୍ଡାଦେଶ ପାଇଥିବା ୪ ଅପରାଧୀଙ୍କ ଦଣ୍ଡ ତାରିଖ ( ଡେଥ୍ ୱାରେଣ୍ଟ) ଘୋଷଣା ଲାଗି ପଟିଆଲା ହାଉସ କୋର୍ଟରେ କରାଯାଇଥିବା ମାମଲାର ଶୁଣାଣିକୁ ଜାନୁଆରି ୭ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତେବେ ବିଚାର ସମୟରେ ପୀଡ଼ିତାଙ୍କ ମା’ ଓ ବିଚାରପତିଙ୍କ ମଧ୍ୟରେ ସଂକ୍ଷିପ୍ତ ବାର୍ତ୍ତାଳାପ ଏକ ଆବେଗିକ ପରିବେଶ ସୃଷ୍ଟି କରିଥିଲା।

ସୂଚନା ଅନୁସାରେ, ନିର୍ଭୟା ମାମଲାର ଟ୍ରାଏଲ୍ କୋର୍ଟ ମଧ୍ୟାହ୍ଣ ୨ଟାରେ ନିର୍ଭୟା ଦୁଷ୍କର୍ମକାରୀଙ୍କ ଡେଥ୍ ୱାରେଣ୍ଟ ଜାରି ଲାଗି ପୁଲିସ କରିଥିବା ଆବେଦନର ଶୁଣାଣି ଆରମ୍ଭ କରିଥିଲେ। ଏହାପରେ ୪ ଦୋଷୀସାବ୍ୟସ୍ତଙ୍କୁ ପରବର୍ତ୍ତୀ ଆଇନଗତ ବିକଳ୍ପ ଲାଗି ୭ଦିନ ମହଲତ ଦେବା ସହ ଶୁଣାଣିକୁ ଜାନୁଆରି ୭ ପର୍ଯ୍ୟନ୍ତ  ସ୍ଥଗିତ ରଖିଥିଲେ। ସଙ୍ଗେ ସଙ୍ଗେ ଡେଥ୍ ୱାରେଣ୍ଟ ଜାରି କରିବା ଆବେଦନକୁ ନାକଚ କରିଦେଇଥିଲେ ଅଦାଲତ। ବିଚାରପତି ସତିଶ କୁମାର ଆରୋରା ପୁଲିସ ପକ୍ଷ ଶୁଣିବା ପରେ କହିଥିଲେ ଯେ ୪ ଅପରାଧୀଙ୍କ ମଧ୍ୟରୁ ଜଣଙ୍କର ରାଜକ୍ଷମା ଆବେଦନ ଉପରେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇ ନ ଥିବ‌ାରୁ ଡେଥ୍ ୱାରେଣ୍ଟ ଜାରି ହୋଇପାରିବ ନାହିଁ। ଏଥିସହ ସେ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରି ବନ୍ଦୀଥିବା ୪ ଦୋଷୀଙ୍କ ପକ୍ଷରୁ ନିଆ ଯାଇଥିବା ଆଇନଗତ ପଦକ୍ଷେପ ସଂପର୍କରେ ସର୍ବ‌ଶେ‌ଷ ସୂଚନା ‌ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୭ରେ ହେବ ବୋଲି ଘୋଷଣା କରିଥିଲେ।

Hindustan Times

ଏହି ଘୋଷଣା ପରେ ଅଦାଲତରେ ଉପସ୍ଥିତ ଥିବା ନିର୍ଭୟାଙ୍କ ମା’ କାନ୍ଦି ଉଠିଥିଲେ। ସେ କାନ୍ଦି କାନ୍ଦି ବିଚାରପତିଙ୍କୁ କହିଥିଲେ- ‘ଆମର କ’ଣ କୌଣସି ଅଧିକାର ନାହିଁ? ଆମେ ଏବେ ଯେଉଁଠାକୁ ଯାଉଛୁ ଶୁଣୁଛୁ ଲୋକେ ସେମାନଙ୍କ (ଦୁଷ୍କର୍ମକାରୀଙ୍କ) ଅଧିକାରର ସୁରକ୍ଷା ନେଇ ଆଲୋଚନା କରୁଛନ୍ତି..ଆମର କ’ଣ ହେବ?’

ନିର୍ଭୟାଙ୍କ ମା’ କାନ୍ଦି ପକାଇବା ଦେଖି ବିଚାରପତି ସତିଶ କୁମାର ଆରୋରା ତାଙ୍କୁ ପ୍ରବୋଧନା ଦେଇ କହିଥିଲେ-‘ଆମେ ଆପଣଙ୍କ ଅଧିକାରକୁ ସୁରକ୍ଷା ଦେବାକୁ ଅଛୁ।’ ଏତିକି କହି ବିଚାରପତି ତାଙ୍କର ଆସନରୁ ଉଠି ଯାଇଥିଲେ।

ଦୁଷ୍କର୍ମକାରୀଙ୍କ ଡେଥ୍ ୱାରେଣ୍ଟ ଜାରିରେ ପୁଣି ବିଳମ୍ବ ହୋଇଯିବାରୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ବାହାରେ କ୍ଷୋଭ ପ୍ରକାଶ କରିଛନ୍ତି ନିର୍ଭୟାଙ୍କ ମା’। ସେ କହିଛନ୍ତି, ‘ଆମେ ଏଠାକୁ ୭ ବର୍ଷ ହେଲା ଦୌଡ଼ୁଛୁ। ଦେଖୁଛୁ ସମସ୍ତେ ଦୁଷ୍କର୍ମକାରୀଙ୍କୁ ସମର୍ଥନ କରୁଛନ୍ତି। ଏଭଳି ସ୍ଥିତିରେ ଆମେ ଭାଙ୍ଗି ପଡ଼ୁଛୁ।’

ଉଲ୍ଲେଖଯୋଗ୍ୟ, ୨୦୧୨ରେ ରାଜଧାନୀ ନୂଆଦିଲ୍ଲୀର ଏକ ଚଳନ୍ତା ବସ୍‌ ମଧ୍ୟରେ ପାରାମୋଡିକାଲ ଛାତ୍ରୀ ନିର୍ଭୟାଙ୍କୁ- ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ସିଂ ଠାକୁର, ମୁକେଶ ସିଂହ ଓ ରାମ ସିଂହ ନାମକ- ୫ ଜହ୍ଲାଦ ନିର୍ମମ ଭାବେ ଗଣଦୁଷ୍କର୍ମ କରି ରାଜଧାନୀର ରାଜରାସ୍ତା ଉପରେ ଫିଙ୍ଗି ଦେଇଥିଲେ। ଫାଷ୍ଟଟ୍ରାକ୍‌ କୋର୍ଟରେ ଏହି ମାମଲାର ବିଚାର ହେବାପରେ ବିଚାରପତି ଏହି ୫ ଜଣଙ୍କୁ ଏହି ମାମଲାରେ ଅପରାଧୀ ଘୋଷିତ କରି ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ତେବେ, ତିହାର ଜେଲରେ ଥିବା ଏହି ୫ ଜଣ ଅପରାଧୀଙ୍କ ମଧ୍ୟରୁ ରାମ ସିଂହ ଗତ ୨୦୧୩ ମାର୍ଚ୍ଚ ମାସରେ ଆତ୍ମହତ୍ୟା କରିଦେବା ପରେ ଏବେ ଅନ୍ୟ ୪ ଅପରାଧୀ ଏବେ ତିହାର ଜେଲରେ ରହିଛନ୍ତି।

ସମ୍ବନ୍ଧିତ ଖବର