ଆଦିବାସୀଙ୍କ ବ୍ୟବସାୟକୁ ଡିଜିଟାଲ କରାଯିବ

ନୂଆଦିଲ୍ଲୀ: କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ଅଧୀନ ଟ୍ରାଇଫେଡ୍‌ ସଂସ୍ଥା ଏକ ଡିଜିଟାଇଜେସନ ଅଭିଯାନ ଆରମ୍ଭ କରିଛି। ଏହା ଜନଜାତି ବର୍ଗଙ୍କ ବେପାର ବଣିଜକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ। ଏବେ ଦୁନିଆରେ ସବୁ ଜିନିଷର କାରବାର ଅନ୍‌ଲାଇନ ବ୍ୟବସ୍ଥାରେ ହେଉଥିବାରୁ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ସେଥିରେ ଯେପରି ଉଚିତ ପ୍ରତିନିଧିତ୍ୱ ପାଏ, ସେଥିପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ଏକ ଅତ୍ୟାଧୁନିକ ଇ-ପ୍ଲାଟଫର୍ମ ତିଆରି ହୋଇଛି।

ଆନ୍ତର୍ଜାତିକ ମାନର ସାମଗ୍ରୀଗୁଡିକୁ ବାଛି ଏହାକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାର ସହିତ ସଂଯୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଆଦିବାସୀ ଉତ୍ପାଦକମାନଙ୍କର ନାମ, ଧାମ ଏବଂ ଆଦିବାସୀ କାରିଗରଙ୍କ ଠିକଣା ଆଦି ମଧ୍ୟ ସଂଗ୍ରହ କରାଯାଇ ଏହି ବ୍ୟବସ୍ଥାରେ ଯୋଡାଯାଇଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ବାହାର ଦୁନିଆକୁ ଆଦିବାସୀ ବଜାର ସହ ଯୋଡିବା ଏବଂ ଇ-କମର୍ସ ବ୍ୟବସ୍ଥାରେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର କାରବାରକୁ ପ୍ରୋତ୍ସାହିତ କରିବା । ବନଧନ ଯୋଜନାରେ ସଂପୃକ୍ତ ଥିବା ସବୁ ବନବାସୀ, ସେମାନଙ୍କ ଗାଁ, ହାଟ, ଗୋଦାମ ଏବଂ ଉତ୍ପାଦିତ ସାମଗ୍ରୀ ଆଦି ସଂପର୍କରେ ଯେଉଁସବୁ ତଥ୍ୟ ରହିଛି ସେସବୁକୁ ଟ୍ରାଇଫେଡ୍‌ ଏବେ ଡିଜିଟାଇଜ କରୁଛି । ଏଥିପାଇଁ ଜିଆଇଏସ୍‌ ଟେକ୍‌ନୋଲଜିକୁ ମଧ୍ୟ ବ୍ୟବହାର କରାଯାଉଛି । ଆଦିବାସୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ ସ୍ୱାବଲମ୍ବୀ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

ସମ୍ବନ୍ଧିତ ଖବର