ଆଦିବାସୀ ଉଚ୍ଛେଦ ମାମଲା: ସୁପ୍ରିମ‌କୋର୍ଟରେ ଆଜି ମାମଲାର ଶୁଣାଣି

ନୂଆଦିଲ୍ଲୀ : ଜଙ୍ଗଲ ଅଧିକାର ଆଇନ ୨୦୦୬ ଅଧୀନରେ ଯେଉଁ ଆଦିବାସୀ (ଏସ୍‌ଟି) ତଥା ଅନ୍ୟ ପାରମ୍ପରିକ ବନବାସୀ (ଓଟିଏଫ୍‌ଡି) ଲୋକଙ୍କ ଜମି ମାଲିକାନା ଦାବି ଖାରଜ ହୋଇଛି ସେମାନଙ୍କୁ ଜଙ୍ଗଲ ଅଞ୍ଚଳରୁ ହଟାଇବା ନେଇ ସୁପ୍ରିମକୋର୍ଟଙ୍କ ଫେବ୍ରୁଆରି ୧୩ ତାରିଖର ନିର୍ଦ୍ଦେଶକୁ ପରିବର୍ତ୍ତନ କରିବା ପାଇଁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଆସନ୍ତାକାଲି ସୁପ୍ରିମକୋର୍ଟର ବିଚାରପତି ଅରୁଣ ମିଶ୍ର ଓ ବିଚାରପତି ନବୀନ ସିହ୍ନାଙ୍କ ଖଣ୍ଡପୀଠରେ ଏହି ଆବେଦନର ଶୁଣାଣି ହେବ। ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀ ଲୋକଙ୍କୁ ଜଙ୍ଗଲ ଅଞ୍ଚଳରୁ ହଟାଇବା ପ୍ରକ୍ରିୟା ଉପରେ ରୋକ୍‌ ଲଗାଇବାପାଇଁ ପ୍ରାର୍ଥନା କରାଯିବ। ଆସନ୍ତାକାଲିର ଶୁଣାଣି ଓଡ଼ିଶା ପରିପ୍ରେକ୍ଷୀରେ ଯଥେଷ୍ଟ ଗୁରୁତ୍ବ ବହନ କରୁଛି। ସୁପ୍ରିମକୋର୍ଟଙ୍କ ଫେବ୍ରୁଆରି ୧୩ ନିର୍ଦ୍ଦେଶ ଅନ୍ତର୍ଗତ ଓଡ଼ିଶାରେ ୧,୨୨,୨୫୦ ଆଦିବାସୀ (ଏସ୍‌ଟି) ଓ ୨୬,୬୨୦ ଅନ୍ୟ ପାରମ୍ପରିକ ବନବାସୀ (ଓଟିଏଫ୍‌ଡି) ଲୋକଙ୍କ ବିସ୍ଥାପନ ହେବାର ଆଶଙ୍କା ଉପୁଜିଛି। ଉଲ୍ଲେଖଯୋଗ୍ୟ ରାଜ୍ୟ ମାନଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଫେବ୍ରୁଆରି ୧୩ର ରାୟ ପ୍ରକାଶ ପାଇବା ପୂର୍ବରୁ ଦାଖଲ କରାଯାଇଥିବା ୧୧,୭୨,୯୩୧ଟି ଜମି ମାଲିକାନା ଦାବିକୁ ଜଙ୍ଗଲ ଅଧିକାର ଆଇନ ଅଧୀନରେ ବିଭିନ୍ନ କାରଣରୁ ଖାରଜ କରାଯାଇଥିବାବେଳେ ଖାରଜ ହୋଇଥିବା ମୋଟ୍‌ ଦାବି ମଧ୍ୟରୁ ୨୦ ପ୍ରତିଶତ କେବଳ ଓଡ଼ିଶା, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର