ବିବାହ ପୂର୍ବରୁ ସାକ୍ଷରତା ପରୀକ୍ଷା ଦେଲେ ଆଦିବାସୀ ମହିଳା

ଝାବୁଆ : ଶିକ୍ଷା ହେଉଛି ସମସ୍ତଙ୍କ ଅଧିକାର । ଜୀବନର ଭଲ ମନ୍ଦ ବିଷୟରେ ଜାଣିବା ପାଇଁ ଶିକ୍ଷାର ଆବଶ୍ୟକତା ଅନେକ । ସେଭଳି ଏକ ଘଟଣା ଘଟିଛି ଝାବୁଆ ଜିଲ୍ଲାରେ । ଯେଉଁଠି ଜଣେ ଆଦିବାସୀ ମହିଳା ଶିକ୍ଷାର ମହତ୍ତ୍ୱକୁ ବୁଝିବା ସହ ବିବାହ ଦିନ ସାକ୍ଷରତା ପରୀକ୍ଷା ଦେଇଥିବା ଜଣା ପଡ଼ିଛି । ବୁଧବାର ଦିନ ଝାକେଲା ଗ୍ରାମର ମୋଠା ବିଲାଓ୍ଵାଲ ନିଜ ବିବାହ କଥା ନ ଭାବି ପରୀକ୍ଷା କେନ୍ଦ୍ରରେ ଯାଇ ପରୀକ୍ଷା ଦେଇଥିଲେ । ତାଙ୍କର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ । ଜିଲ୍ଲାପାଳ ଆଶିଷ ସକ୍ସେନା ସେଠାକୁ ଆସି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଇଚ୍ଛାଶକ୍ତିକୁ ସମ୍ମାନ ଜଣାଇଥିଲେ । ମୋଠାଙ୍କ ପରିବାରରେ ପ୍ରାୟ ସମସ୍ତେ ଶିକ୍ଷିତ ହୋଇଥିବା ବେଳେ ସେ ଛୋଟ ବେଳୁ ଶିକ୍ଷାରୁ ବଞ୍ଚିତ ହୋଇଥିଲେ । ଛୋଟ ବେଳେ ସେ ଶିକ୍ଷାର ମହତ୍ତ୍ୱ ବୁଝି ପାରି ନ ଥିବାରୁ ପାଠ ପ୍ରତି ତାଙ୍କର ଆଗ୍ରହ ଆସି ନଥିଲା । ଧୀରେ ଧୀରେ ବଡ଼ ହେବା ପରେ ସେ ପାଠର ମହତ୍ତ୍ୱ ବୁଝିଥିଲେ । କିଛି ମାସ ପୂର୍ବରୁ ତାଙ୍କର ବିବାହ ଦିନ ଠିକ୍‌ ହେବା ପରେ ସେ ଅଶିକ୍ଷିତ ହୋଇ ଶାଶୂ ଘରକୁ ଯିବେ ନାହଁ ବୋଲି ମନସ୍ଥ କରିଥିଲେ । ଏଥି ପାଇଁ ସେ ତାଙ୍କ ଛୋଟ ଭଉଣୀଙ୍କ ସାହାଯ୍ୟରେ ପାଠ ପଢ଼ିବା ଆରମ୍ଭ କରିବା ସହ ଲେଖିବା ଆରମ୍ଭ କରିଥିଲେ । କିଛି ଦିନର ଲେଖା ପଢ଼ା ପରେ ସେ ଖବର କାଗଜ ପଢ଼ି ପାରିଥିଲେ ।
ମୋଠାଙ୍କ କହିବା ଅନୁଯାୟୀ, “ଶାଶୂ ଘରକୁ ଅଶିକ୍ଷିତ ହୋଇ ଯିବି ନାହିଁ ବୋଲି ଭାବି ମୁଁ ପାଠ ପଢ଼ିବା ଆରମ୍ଭ କରିଥିଲି । ପଢ଼ି ଜାଣିବା ପରେ ମଧ୍ୟ ମୁଁ ଶିକ୍ଷିତ ବୋଲି ମୋ ପାଖରେ କିଛି ପ୍ରମାଣ ନଥିଲା । ଯେମିତି ମୋ ଭାଇ ଭଉଣୀଙ୍କ ପାଖରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ମାର୍କସିଟ୍‌ ଏବଂ ପ୍ରମାଣପତ୍ର ରହିଛି ମୋ ପାଖରେ ସେଭଳି କିଛି ନଥିଲା । ସେଥିପାଇଁ ମୁଁ ସାକ୍ଷରତା ପରୀକ୍ଷା ଦେବା ପାଇଁ ମନସ୍ଥ କଲି । ପରୀକ୍ଷା ମୋ ବିବାହ ଦିନ ଥିଲେ ମଧ୍ୟ ପରୀକ୍ଷା ଦେବା ପାଇଁ ମୁଁ ନିଷ୍ପତ୍ତି କରି ନେଇଥିଲି । ଏବଂ ମୋ ଏହି ନିଷ୍ପତ୍ତିରେ ମୋର ପରିବାର ଲୋକେ ସହମତି ମଧ୍ୟ ଜଣାଇଥିଲେ” ।

Hindustan Times

ବିବାହ ଦିନ ସେ ୫୩ଜଣ ଛାତ୍ର-ଛାତ୍ରୀଙ୍କଙ୍କ ସହ ମିଶି ପରୀକ୍ଷା ଦେଇଥଇବା ବେଳେ ତାଙ୍କର ଏହି ପଦକ୍ଷପକୁ ଜିଲ୍ଲାପାଳ ପ୍ରଶଂସା କରିବା ସହ ବିବାହ ପାଇଁ ଉପହାର ସ୍ୱରୁପ ୧୦୧ଟଙ୍କା ଦେଇଥିଲେ । ଅନ୍ୟପକ୍ଷରେ ପରୀକ୍ଷାର ଫଳାଫଳ ଗୋଟେ ଦୁଇ ଦିନ ମଧ୍ୟରେ ବାହାରିବା ପରେ ମୋଠାଙ୍କ ପାଖକୁ ପ୍ରମାଣପତ୍ର ପହଞ୍ଚାଇ ଦିଆଯିବ ବୋଲି ଉପ-ଜିଲ୍ଲାପାଳ ପ୍ରିତି ସାଙ୍ଗଭୀ କହିଛନ୍ତି ।

ସମ୍ବନ୍ଧିତ ଖବର