ପୋଲଭରମ ପ୍ରକଳ୍ପ ଯୋଗୁଁ ଆଦିବାସୀ ଗୁରୁତର ପ୍ରଭାବିତ ହେବେ: ଆୟୋଗ

ନୂଆଦିଲ୍ଲୀ : ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାର ଆଦିବାସୀମାନେ ଗୁରୁତର ଭାବେ ପ୍ରଭାବିତ ହେବେ ବୋଲି ଜାତୀୟ ଅନୁସୂଚିତ ଜନଜାତି ଆୟୋଗ (ଏନ୍‌ଏସ୍‌ଟିସି) ପକ୍ଷରୁ କୁହାଯାଇଛି। ଗତମାସ ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ଏନ୍‌ଏସ୍‌ଟିସିର ସଦସ୍ୟ ଅନନ୍ତ ନାୟକ ପୋଲାଭରମ ପ୍ରକଳ୍ପ ଦ୍ବାରା ପ୍ରଭାବିତ ହେବାକୁ ଥିବା ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ଅଂଚଳଗୁଡିକର ସରଜମିନ ଅନୁଧ୍ୟାନ କରିବା ପରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟର ସଚିବ ଏବଂ ପୋଲାଭରମ ପ୍ରକଳ୍ପ ପ୍ରାଧିକରଣର ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି।

ଶ୍ରୀ ନାୟକ ଆନ୍ଧ୍ରପ୍ରଦେଶର ପୂର୍ବ ଓ ପଶ୍ଚିମ ଗୋଦାବରୀ ଜିଲ୍ଲା ଏବଂ ଓଡ଼ିଶାର ମାଲକାନଗିରି ଜିଲ୍ଲା ଗସ୍ତ ସମୟରେ ପୋଲାଭରମ ପ୍ରକଳ୍ପ ଯୋଗୁଁ ଉଭୟ ରାଜ୍ୟର ଆଦିବାସୀମାନଙ୍କର ଏକାଧିକ ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ। ନୀଳାକୋଟା ଗାଆଁରେ ବିସ୍ଥାପିତ ହେବାକୁ ଥିବା ଆଦିବାସୀମାନଙ୍କର ସର୍ଭେ ହୋଇନଥିବା ସେ ଜାଣିବାକୁ ପାଇଥିଲେ। ଏହି ଅବସରରେ ଓଡ଼ିଶା ସରକାରଙ୍କୁ ଆୟୋଗ ତିନିଟି ସୁପାରିସ କରିଛନ୍ତି। ରାଜ୍ୟ ସରକାର ପ୍ରକଳ୍ପର ଅନ୍ବେଷଣ କରିବା ସହିତ ଆଦିବାସୀମାନଙ୍କ ଉପରେ ଏହାର କ’ଣ ପ୍ରଭାବ ପଡ଼ିବ ସେ ସଂପର୍କରେ ଆକଳନ କରିବା ପାଇଁ କୁହାଯାଇଛି। ପ୍ରକଳ୍ପ ପ୍ରଭାବିତଙ୍କ ଉପଯୁକ୍ତ ସର୍ଭେ କରାଯାଇ ସାମାଜିକ ଓ ଆର୍ଥିକ ପ୍ରଭାବର ଆକଳନ କରିବା, ପୁନର୍ବାସ ଓ ଥଇଥାନ ନୀତିକୁ କାର୍ଯ୍ୟକାରୀ କରିବା ସମୟରେ ଅତ୍ୟନ୍ତ ସର୍ତକତା ଅବଲମ୍ବନ କରିବା ଓ ଆଦିବାସୀମାନଙ୍କ ସମଗ୍ର ଓ ନିରନ୍ତର ବିକାଶକୁ ସୁନିଶ୍ଚିତ କରିବା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର