ଭୋକିଲା ଥିଲା, କିଛି ଖାଦ୍ୟ ଚୋରି କରିବାରୁ ଲୋକେ ପିଟି ପିଟି ମାରିଦେଲେ

କୋଚି: କେରଳର ପଲକ୍କଡ ଜିଲ୍ଲାରେ ଜଣେ ଆଦିବାସୀ ବ୍ୟକ୍ତି ଖାଦ୍ୟ ଚୋରି କରୁଥିବା ଅବସ୍ଥାରେ ଧରାପଡି ଲୋକଙ୍କ ମାଡ଼ରେ ମୃତ୍ୟୁବରଣ କରିଛି । ଏହାକୁ ନେଇ ସାରା ରାଜ୍ୟରେ ପ୍ରବଳ ଜନଅସନ୍ତୋଷ ଦେଖାଦେଇଛି । ଏହି ଘଟଣାର ପ୍ରତିବାଦରେ ବିଜେପି ପକ୍ଷରୁ ମନରକଡ ତାଲୁକରେ ଆଜି ବନ୍ଦ ଡାକରା ଦିଆଯାଇଛି ।

ଘଟଣାରୁ ପ୍ରକାଶ ଯେ ଗତକାଲି ଆଟାଟପାଡିର ୨୭ ବର୍ଷୀୟ ମଧୁ ନାମକ ଆଦିବାସୀ ଯୁବକକୁ କେତେକ ସ୍ଥାନୀୟ ଲୋକ ଧରି ବାନ୍ଧିଦେବା ପରେ ପ୍ରବଳ ମାଡ଼ ମାରିଥିଲେ । ତା ବିରୋଧରେ ଅଭିଯୋଗ ଥିଲା ଯେ ସେ ଉକ୍ତ ଅଂଚଳର ଦୋକାନଗୁଡ଼ିକରୁ ନିୟମିତଭାବେ ଚାଉଳ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଚୋରି କରେ । ଲୋକଙ୍କ ଦ୍ୱାରା ପ୍ରବଳ ମାଡ଼ ଖାଇବା ପରେ ସେ ସଂଜ୍ଞାହୀନ ହୋଇ ପଡିଯାଇଥିଲା । ଡାକ୍ତରଖାନା ନିଆଯିବା ବାଟରେ ତାର ମୃତ୍ୟୁ ହୋଇଥିଲା । ଦୁର୍ଭାଗ୍ୟଜନକ କଥା ହେଉଛି ତାକୁ ମାଡ଼ ମାରିବା ପରେ କିଛି ସ୍ଥାନୀୟ ଯୁବକ ତା ସହ ସେଲଫି ଉଠାଇଥିଲେ ।

ଏହି ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି । ଇତି ମଧ୍ୟରେ ପୁଲିସ୍‌ କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ବିଜେପି ପକ୍ଷରୁ ମଧ୍ୟ ଏହି ଘଟଣାକୁ ନେଇ ବନ୍ଦ ଡାକରା ଦିଆଯାଇଛି ।

ସମ୍ବନ୍ଧିତ ଖବର