ନୂଆଦିଲ୍ଲୀ, : ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ୍ରେ ଖାଲି ପଡ଼ିଥିବା ଆଡହକ୍ ସଦସ୍ୟମାନଙ୍କ ନିଯୁକ୍ତି ମାମଲାରେ ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଦାଖଲ କରିଥିବା ଏସ୍ଏଲ୍ପି( ସ୍ବତନ୍ତ୍ର ଲିଭ୍ ପିଟିସନ୍ ବା ବିଶେଷ ଅବକାଶ ଯାଚିକା)କୁ ପ୍ରତ୍ୟାହାର କରିନେଇଛନ୍ତି। ଚଳିତବର୍ଷ ଜାନୁଆରି ୧୦ ତାରିଖରେ ଓଡ଼ିଶା ହାଇକୋର୍ଟ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ୍ରେ ଖାଲି ପଡ଼ିଥିବା ଆଡହକ୍ ପଦ ଗୁଡ଼ିକୁ ପୂରଣ କରିବାପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ୍ରେ ଜଣେ ଅଧ୍ୟକ୍ଷଙ୍କ ସମେତ ୮ ଜଣ ସଦସ୍ୟଙ୍କୁ ନିଯୁକ୍ତି କରିବାର ବ୍ୟବସ୍ଥା ରହିଥିବାବେଳେ ବର୍ତ୍ତମାନ ଟ୍ରିବ୍ୟୁନାଲ୍ରେ ଅଧ୍ୟକ୍ଷକଙ୍କ ସହ ଜଣେ ମାତ୍ର ସଦସ୍ୟ ରହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ହାଇକୋର୍ଟଙ୍କ ଆଦେଶକୁ ଚାଲେଞ୍ଜ୍ କରି ରାଜ୍ୟ ସରକାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋାଗଇ ଓ ବିଚାରପତି ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠରେ ସ୍ବତନ୍ତ୍ର ଲିଭ୍ ପିଟିସନ୍ ଦାଖଲ କରିଥିଲେ। ଏହାର ଶୁଣାଣି ପାଇଁ ମଧ୍ୟ ତାଲିକାଭୁକ୍ତ କରାଯାଇଥିଲା। ମାତ୍ର, ଶେଷରେ ରାଜ୍ୟ ସରକାର ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ରାଜ୍ୟ ସରକାର ଏସଏଲ୍ପି ପ୍ରତ୍ୟାହାର କରିନେବାପରେ ଟ୍ରିବ୍ୟୁନାଲ୍ରେ ହାଇକୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ହେବାର ସମ୍ଭାବନା ବୃଦ୍ଧି ପାଇଛି।