ସୁଷମା ସ୍ବରାଜଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ‘ସୁଷମା ସବୁବେଳେ ପ୍ରେରଣାର ଉତ୍ସ ଥିଲେ’

ପ୍ରଧାନମନ୍ତ୍ରୀ ପୂର୍ବ ଭାଷଣ ଟ୍ବିଟ୍‌ କଲେ

ନୂଆଦିଲ୍ଲୀ: ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଭିନ୍ନ ମହଲ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ସୁଷମା ସ୍ବରାଜଙ୍କ ସ୍ମୃତିସବୁକୁ ମନେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ସୁଷମାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଦେଇଥିବା ନିଜ ଭାଷଣର ଭିଡିଓକୁ ଟ୍ବିଟ୍‌ କରିଛନ୍ତି। ସୁଷମା ଦେଶ ପାଇଁ ନିଃସ୍ବାର୍ଥପର ଭାବେ କାମ କରିଛନ୍ତି ଏବଂ ନିଜର ଦୃଢ ନେତୃତ୍ବ ପାଇଁ ସମଗ୍ର ବିଶ୍ବରେ ପରିଚିତ ହୋଇ ପାରିଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ୍‌ କରିଛନ୍ତି। ଆଜି ତାଙ୍କ ପୁଣ୍ୟ ତିଥିରେ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେହିଭଳି ସୁଷମା ସ୍ବରାଜ ସବୁବେଳେ ପ୍ରେରଣାର ଉତ୍ସ ଥିଲେ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଟ୍ବିଟ୍‌ କରିଛନ୍ତି।

ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୁଷମାଙ୍କ ଭଳି ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତ୍ରୀ ଦେଶରେ ବିରଳ। ସେ ସାଧାରଣ ଲୋକଙ୍କର ନେତ୍ରୀ ଥିଲେ ବୋଲି ଲୋକସଭା ବାଚସ୍ପତି ଟ୍ବିଟ୍‌ କରିଛନ୍ତି। ସୁଷମା ଜଣେ ମହାନ୍‌ ନେତ୍ରୀ, ସୁନ୍ଦର ବକ୍ତା ଓ ଭଲ ମଣିଷ ଥିଲେ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ସେହିଭଳି ସୁଷମାଙ୍କ ସ୍ବାମୀ ସ୍ବରାଜ କୌଶଳ ଏବଂ ଝିଅ ବାଁଶୁରୀ ଟ୍ବିଟ୍‌ କରି ସୁଷମାଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି।

ସମ୍ବନ୍ଧିତ ଖବର