ନୂଆଦିଲ୍ଲୀ: ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ଗୁଜରାଟର ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପ୍ରଧାନମନ୍ତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଅନ୍ୟପକ୍ଷରେ ରାଜଧାନୀର ପଟେଲ ଛକରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଧନଖଡ଼ ଓ ଅନ୍ୟମାନେ ଭାରତର ପ୍ରଥମ ଗୃହମନ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
ଗୁଜରାଟରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏକତା ନଗରକୁ ଆସୁଥିବା ଲୋକମାନେ କେବଳ ଏହି ଭବ୍ୟ ପ୍ରତିମୂର୍ତ୍ତିକୁ ଦେଖିବାକୁ ପାଆନ୍ତି ନାହିଁ ବରଂ ସର୍ଦ୍ଦାର ସାହେବଙ୍କ ଜୀବନ, ତ୍ୟାଗ ଏବଂ ‘ଏକ ଭାରତ’ ଗଠନରେ ତାଙ୍କର ଅବଦାନର ଝଲକ ମଧ୍ୟ ପାଇଥାନ୍ତି। ଏହି ପ୍ରତିମୂର୍ତ୍ତି ନିର୍ମାଣର କାହାଣୀ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ପ୍ରତିଫଳିତ କରୁଛି। ଏହା ପୂର୍ବରୁ ମୋଦୀ ଏକ୍ସରେ ଲେଖିଛନ୍ତି, ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଆମେ ତାଙ୍କର ଅଦମ୍ୟ ମନୋବଳ, ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ଅସାଧାରଣ ସମର୍ପଣଭାବକୁ ମନେ ପକାଉଛୁ। ରାଷ୍ଟ୍ରୀୟ ଏକତା ପ୍ରତି ତାଙ୍କର ପ୍ରତିବଦ୍ଧତା ଆମକୁ ମାର୍ଗଦର୍ଶନ କରୁଛି। ତାଙ୍କ ସେବା ପାଇଁ ଆମେ ସବୁଦିନ ଋଣୀ ରହିବୁ।
ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଭାରତର ଏକତା ଓ ସମୃଦ୍ଧି ହିଁ ସର୍ଦ୍ଦାର ପଟେଲଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ଥିଲା। ଦେଶର ପ୍ରଥମ ଗୃହମନ୍ତ୍ରୀ ଭାବେ ସର୍ଦ୍ଦାର ସାହେବଙ୍କ ଉତ୍ସର୍ଗୀକୃତ ଜୀବନ ଏବଂ ରାଷ୍ଟ୍ର ନିର୍ମାଣ କାର୍ଯ୍ୟ ଆମକୁ ସର୍ବଦା ପ୍ରେରଣା ଯୋଗାଇବ। ଲୌହପୁରୁଷଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଏବଂ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା। ମଙ୍ଗଳବାର ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ। କଂଗ୍ରେସ ଦଳ ମଧ୍ୟ ଭାରତର ପ୍ରଥମ ଗୃହମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ବେଳେ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଦେଶକୁ ଏକଜୁଟ କରିବାରେ ତାଙ୍କର ଅବଦାନକୁ ପ୍ରଶଂସା କରିଛନ୍ତି।