କାର୍ଗିଲ ବିଜୟ ଦିବସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ସମଗ୍ର ଦେଶରେ ଆଜି କାର୍ଗିଲ ବିଜୟ ଦିବସ ପାଳିତ ହେବା ସହ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କାର୍ଗିଲ ଯୁଦ୍ଧରେ ପାକିସ୍ତାନ ବିରୋଧରେ ଭାରତର ବିଜୟକୁ ପ୍ରତିବର୍ଷ ୨୬ ଜୁଲାଇରେ ବିଜୟ ଦିବସ ଭାବେ ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ କାର୍ଗିଲ ବିଜୟ ଦିବସ ଆମ ସେନାର ଅପୂର୍ବ ବୀରତ୍ବ, ଶକ୍ତି ଓ ସଂକଳ୍ପର ପ୍ରତୀକ। ଭାରତ ମାତାର ସୁରକ୍ଷା ପାଇଁ ସହିଦ ହୋଇଥିବା ବୀର ଯବାନଙ୍କୁ ମୁଁ ପ୍ରଣାମ କରୁଛି। ଏକ କୃତଜ୍ଞ ରାଷ୍ଟ୍ର ସହିଦଙ୍କ ପରିବାରଠାରେ ସର୍ବଦା ଋଣୀ ରହିବ ବୋଲି ରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଗିଲରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସାହସୀ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ଆଜିର ଦିବସ ମା’ ଭାରତୀର ଗର୍ବ ଓ ଗୌରବର ପ୍ରତୀକ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ, ପ୍ରତିରକ୍ଷା ସଚିବ ଡ. ଅଜୟ କୁମାର, ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ଏବଂ ବାୟୁସେନା ମୁଖ୍ୟ ମାର୍ସଲ ଭି.ଆର. ଚୌଧାରୀ ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ୧୯୯୯ କାର୍ଗିଲ ଯୁଦ୍ଧରେ ଭାରତର ବିଜୟ ନିଶ୍ଚିତ କରିଥିବା ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ ୧୯୯୯ ରେ ଭାରତୀୟ ସଶସ୍ତ୍ର ବାହିନୀ କାର୍ଗିଲକୁ ସୁରକ୍ଷିତ ରଖିବା ପାଇଁ ପାକିସ୍ତାନର ସବୁ ଚାଲ୍‌କୁ ପଣ୍ଡ କରିଦେଇଥିଲା। ଏହାର ନାମ ଥିଲା ‘ଅପରେସନ୍ ବିଜୟ’। ୬୦ ଦିନର ଯୁଦ୍ଧ ପରେ ଭାରତୀୟ ସେନା ସଂପୂର୍ଣ୍ଣ ବିଜୟ ହାସଲ କରି ତ୍ରିରଙ୍ଗା ଉଡ଼ାଇଥିଲା।

ସମ୍ବନ୍ଧିତ ଖବର