ମଦ ବାର ତଥା ନାଇଟ୍‌ କ୍ଲବ୍‌ର ଉଦ୍‌ଘାଟନ କରି ଅଡ଼ୁଆରେ ଉନ୍ନାଓର ବିଜେପି ସାଂସଦ ସାକ୍ଷୀ ମହାରାଜ

ଲକ୍ଷ୍ନୌ (ଉତ୍ତର ପ୍ରଦେଶ): ଉତ୍ତର ପ୍ରଦେଶ ଉନ୍ନାଓର ଭାରତୀୟ ଜନତା ପାର୍ଟି (ବିଜେପି)ର ବିଧାୟକଙ୍କ ପରେ ଏବେ ସାଂସଦଙ୍କୁ ନେଇ ଦେଶ ବ୍ୟାପି ଚର୍ଚ୍ଚା ଜୋର ଧରିଛି। ଉନ୍ନାଓର ବିଜେପି ସାଂସଦ ସାକ୍ଷୀ ମହାରାଜ ସବୁବେଳେ ତାଙ୍କର ବିବାଦୀୟ ବକ୍ତବ୍ୟକୁ ନେଇ ଚର୍ଚ୍ଚିତ ରହିଥାଆନ୍ତି। ତେବେ, ଏଥର ସାଂସଦ ସାକ୍ଷୀ ମହାରାଜ ଲକ୍ଷ୍ନୌରେ ‘ଲେଟସ୍‌ ମିଟ୍‌’ ନାମରେ ଏକ ମଦ ବାର ତଥା ନାଇଟ୍‌ କ୍ଲବ୍‌ର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ସାଜି ଏହି ମଦ ବାର ତଥା ନାଇଟ୍‌ କ୍ଲବ୍‌ର ଫିତାକାଟି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ଘଟଣାକୁ ନେଇ ବିବାଦରେ ପଡ଼ି ଯାଇଛନ୍ତି।


ଏହି ଘଟଣାକୁ ନେଇ ସାଂସଦ ସାକ୍ଷୀ ମହାରାଜ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନାର ଶରବ୍ୟ ହେବା ପରେ ଏବେ ଏଥିପାଇଁ ଦୋଷ ଲଦିଛନ୍ତି ବିଜେପିର ପୂର୍ବତନ ଉତ୍ତର ପ୍ରଦେଶ ରାଜ୍ୟ ସଭାପତି ରାଜନ୍‌ ସିଂହଙ୍କ ମୁଣ୍ଡରେ। କହିଛନ୍ତି, ‘ଏହି ଘଟଣାରେ ମୋତେ ଫସାଇ ଦେଇଛନ୍ତି ରାଜନ୍‌। ମୁଁ ଆଦୌ ଜାଣି ନଥିଲି ଯେ ଏଇଟି ଏକ ମଦ ବାର ତଥା ନାଇଟ୍‌ କ୍ଲବ୍‌। ଏକଥା ଜାଣିଥିଲେ ମୁଁ ଆଦୌ ଏହାକୁ ଉଦ୍‌ଘାଟନ କରି ନଥାନ୍ତି। ମୁଁ କେବଳ ଜଣେ ସାଂସଦ ନୁହେଁ; ଜଣେ ସାଧୁ ମଧ୍ୟ। ମୋର ମଧ୍ୟ ସମାଜ ପ୍ରତି କିଛି ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି। ମୁଁ ଏସବୁକୁ ବିରୋଧ କରେ। ମୋତେ ପୂର୍ବତନ ରାଜ୍ୟ ସଭାପତି ରାଜନ୍‌ କହିଥିଲେ ଯେ ତାଙ୍କ ଜ୍ୱାଇଁ କରିଥିବା ଏକ ରୋସ୍ତାରାଁର ଉଦ୍‌ଘାଟନ ସେ ମୋ ହାତରେ କରାଇବାକୁ ଚାହୁଁଛନ୍ତି। ମୁଁ ରେସ୍ତୋରାଁ ଭାବି ଏହାକୁ ଉଦ୍‌ଘାଟନ କରିଥିଲି।’ ଏ ସଂପର୍କରେ ବିଜେପିର ବର୍ତ୍ତମାନର ରାଜ୍ୟ ସଭାପତି ମହେନ୍ଦ୍ର ନାଥ ପାଣ୍ଡେଙ୍କ ନିକଟରେ ଅଭିଯୋଗ କରିବି ବୋଲି କହିଛନ୍ତି ବିଜେପି ସାଂସଦ ସାକ୍ଷୀ ମହାରାଜ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଉନ୍ନାଓର ସାଂସଦ ସାକ୍ଷୀ ମହାରାଜଙ୍କ ପୂର୍ବରୁ ଉନ୍ନାଓର ବିଜେପି ବିଧାୟକ କୁଲଦୀପ୍‌ ସିଂହ ସେଙ୍ଗର ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ କରିବା ଘଟଣା ସାରା ଦେଶରେ ଚହଳ ପକାଇଥିଲା।

ସମ୍ବନ୍ଧିତ ଖବର