ନୂଆଦିଲ୍ଲୀ: ବିଜେପି ନେତୃତ୍ବାଧୀନ କେନ୍ଦ୍ର ଓ ଡିଏମ୍କେ ଶାସିତ ତାମିଲନାଡୁ ଭିତରେ ଏବେ ହିନ୍ଦୀକୁ ନେଇ ବିବାଦ ବଢ଼ିବା ଦେଖାଯାଉଛି। ଜାତୀୟ ଶିକ୍ଷା ନୀତି (ଏନ୍ଇପି)ର ତଥାକଥିତ ‘ତ୍ରିଭାଷୀ ସୂତ୍ର’କୁ ତାମିଲନାଡ଼ୁ ସରକାର ବିରୋଧ କରୁଛନ୍ତି। ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହି ନୀତିକୁ ସବୁ ଅଞ୍ଚଳରେ ଯୁବକଯୁବତୀଙ୍କୁ ରୋଜଗାର ଦେବା ପାଇଁ ଉଦ୍ଦିଷ୍ଟ ବୋଲି କହୁଥିବା ବେଳେ ଦକ୍ଷିଣ ରାଜ୍ୟ ଏହାକୁ ସେମାନଙ୍କ ମାତୃଭାଷା ଓ ସଂସ୍କୃତିକୁ ନଷ୍ଟ କରିବାର ପ୍ରୟାସ ଭାବେ ଦେଖୁଛି। ତାମିଲନାଡୁରେ ହିନ୍ଦୀ ବିରୋଧୀ ଆନ୍ଦୋଳନର ପ୍ରାୟ ଶତାବ୍ଦୀ ପୁରୁଣା ଇତିହାସ ରହିଛି। କେରଳ ଓ କର୍ଣ୍ଣାଟକ ଭଳି ଦକ୍ଷିଣରେ ଥିବା ରାଜ୍ୟ ସମେତ ଏହା ଏକ ଦ୍ୱିଭାଷୀ ନୀତି ଅନୁସରଣ କରେ ଯେଉଁଠାରେ ଛାତ୍ରଛାତ୍ରୀଙ୍କୁ କେବଳ ତାମିଲ ଓ ଇଂରାଜୀ ଶିକ୍ଷା ଦିଆଯାଏ।
ଗୁରୁବାର ଡିଏମ୍କେ କ୍ୟାଡରଙ୍କୁ ଲେଖିଥିବା ଏକ ଚିଠିରେ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଦାବି କରିଛନ୍ତି ଯେ ବିହାର, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ କୁହାଯାଉଥିବା ମୈଥିଳୀ, ବ୍ରଜଭାଷା, ବୁନ୍ଦେଲି ଓ ଅବଧି ଆଦି ୨୫ଟି ଉତ୍ତର ଭାରତୀୟ ମାତୃଭାଷା ଆଧିପତ୍ୟବାଦୀ ହିନ୍ଦୀ ଯୋଗୁ ନଷ୍ଟ ହୋଇଯାଇଛି। ତାମିଲନାଡୁ ଏହି ଭାଷାକୁ ଲାଗୁ କରିବାକୁ ଅନୁମତି ଦେବ ନାହିଁ ଏବଂ ତାମିଲ ଓ ଏହାର ସଂସ୍କୃତିକୁ ରକ୍ଷା କରାଯିବ। ହିନ୍ଦୀ ହେଉଛି ମୁଖା ଓ ସଂସ୍କୃତ ହେଉଛି ଲୁକ୍କାୟିତ ଚେହେରା। ଶତାବ୍ଦୀ ପୁରୁଣା ଦ୍ରାବିଡ଼ ଆନ୍ଦୋଳନ ତାମିଲ ଓ ଏହାର ସଂସ୍କୃତିକୁ ସୁରକ୍ଷା ଦେଇଥିଲା ବୋଲି ଶାସକ ଡିଏମ୍କେ ମୁଖ୍ୟ କହିଛନ୍ତି।
ଷ୍ଟାଲିନ ଦାବି କରିଛନ୍ତି ଯେ ୩-ଭାଷା ନୀତି କାର୍ଯ୍ୟସୂଚୀ ଅନୁଯାୟୀ ଅନେକ ରାଜ୍ୟରେ କେବଳ ସଂସ୍କୃତ ଭାଷାକୁ ପ୍ରୋତ୍ସାହିତ କରାଯାଉଛି। ଯଦି ତାମିଲନାଡୁ ତ୍ରିଭାଷୀ ନୀତିକୁ ଗ୍ରହଣ କରେ, ତେବେ ମାତୃଭାଷାକୁ ଅଣଦେଖା କରାଯିବ। ଏହା ପୂର୍ବରୁ ଷ୍ଟାଲିନ୍ କହିଥିଲେ ଯେ, କେନ୍ଦ୍ର କହୁଛି ଯଦି ତାମିଲନାଡୁ ଏନ୍ଇପି ଲାଗୁ କରେ ତେବେ ତାଙ୍କୁ ୨୦୦୦ କୋଟି ଟଙ୍କା ମିଳିବ। କିନ୍ତୁ କେନ୍ଦ୍ର ୧୦,୦୦୦ କୋଟି ଟଙ୍କା ଦେଲେ ମଧ୍ୟ ଆମେ ଏନ୍ଇପିକୁ ଅନୁମତି ଦେବୁ ନାହିଁ।
ସୀମା ନିର୍ଦ୍ଧାରଣକୁ ବିରୋଧ
ଇତିମଧ୍ୟରେ ଷ୍ଟାଲିନ୍ ଶୁକ୍ରବାର ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଥିବା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ତାମିଲନାଡୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମ୍ମୁଖୀନ ହେଉଛି- ଗୋଟିଏ ହେଉଛି ଭାଷା ଏବଂ ଅନ୍ୟଟି ହେଉଛି ସୀମା ନିର୍ଦ୍ଧାରଣ ବିରୋଧରେ ଲଢ଼େଇ। ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ସିଧାସଳଖ ଆମ ରାଜ୍ୟର ସ୍ୱାଭିମାନ, ସାମାଜିକ ନ୍ୟାୟ ଓ ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନାକୁ ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ରର ତ୍ରିଭାଷୀ ନୀତି ଯୋଗୁଁ ଆମର ପ୍ରକୃତ ପାଣ୍ଠି ଅଟକି ରହିଛି। ସେହିଭଳି ସେମାନେ ତାମିଲନାଡୁର ସଂସଦୀୟ ଆସନ ହ୍ରାସ କରିବେ ନାହିଁ ବୋଲି ଦାବି କରୁଥିବା ବେଳେ ଅନ୍ୟ ରାଜ୍ୟର ପ୍ରତିନିଧିତ୍ୱ ଅହେତୁକ ଭାବେ ବୃଦ୍ଧି କରାଯିବ ନାହିଁ ବୋଲି ସେମାନେ ପ୍ରତିଶ୍ରୁତି ଦେବାକୁ ରାଜି ନୁହନ୍ତି। ଆମର ଦାବି ସ୍ପଷ୍ଟ- କେବଳ ଜନସଂଖ୍ୟା ଆଧାରରେ ସଂସଦୀୟ ନିର୍ବାଚନ ମଣ୍ଡଳୀ ନିର୍ଦ୍ଧାରଣ କରନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ହିନ୍ଦୀକୁ ବିରୋଧ କରିବା ପାଇଁ ଏମ୍କେ ଷ୍ଟାଲିନଙ୍କ ଚିଠିକୁ ତାଙ୍କ ସରକାରଙ୍କ ‘ଖରାପ ଶାସନ’କୁ ଲୁଚାଇବା ପାଇଁ ସମାଜକୁ ବିଭାଜିତ କରିବାର ଏକ ‘କ୍ଷୁଦ୍ର ପ୍ରୟାସ’ ବୋଲି ବର୍ଣ୍ଣନା କରିଛନ୍ତି। କେବଳ ବିଜେପି ନେତା ନୁହନ୍ତି, ତାମିଲନାଡୁ ରାଜ୍ୟପାଳ ଆର୍ଏନ୍ ରବି କହିଛନ୍ତି ଯେ ରାଜ୍ୟ ସରକାରଙ୍କ କଠୋର ଦୁଇ ଭାଷା ନୀତି ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗରୁ ବଞ୍ଚିତ କରିଛି। ଦୁର୍ଭାଗ୍ୟବଶତଃ ହିନ୍ଦୀକୁ ବିରୋଧ କରିବା ନାଁରେ ସେମାନଙ୍କୁ ଅନ୍ୟ କୌଣସି ଦକ୍ଷିଣ ଭାରତୀୟ ଭାଷା ମଧ୍ୟ ଅଧ୍ୟୟନ କରିବାକୁ ଅନୁମତି ଦିଆଯାଉନାହିଁ। ଏହା ବାସ୍ତବରେ ଅନ୍ୟାୟ।