ଆଚରଣବିଧି ଉଲ୍ଲଂଘନ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ କମିସନଙ୍କ ନିକଟରେ ଅଭିଯୋଗ କଲା ତୃଣମୂଳ କଂଗ୍ରେସ

କୋଲକାତା: କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପି ସରକାର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଆଦର୍ଶ ଆଚରଣବିଧିର ଖୋଲା ଉଲ୍ଲଂଘନ କରିବା ସହ ସରକାରୀ କଳର ବ୍ୟାପକ ଅପବ୍ୟବହାର କରୁଛନ୍ତି ବୋଲି ତୃଣମୂଳ କଂଗ୍ରେସ (ଟିଏମସି) ଆଜି ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଛି। ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି (ବୁଧବାର) ନିର୍ବାଚନ କମିସନର ଅଧିକାରୀଙ୍କୁ ଭେଟିବା ସହ ଅଭିଯୋଗ କରିଛନ୍ତି ଯେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ବ୍ୟବହାର ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ବଣ୍ଟନ କରାଯାଇଥିବା ଟୀକାକରଣର ପ୍ରମାଣପତ୍ର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛି।

ତୃଣମୂଳ କଂଗ୍ରେସ ଏହାକୁ ସରକାରୀ କଳର ଅପବ୍ୟବହାର ବୋଲି କହି ପେଟ୍ରୋଲ ପମ୍ପରେ ପିଏମ ମୋଦୀଙ୍କ ପ୍ରତିଛବି ସହିତ ହୋର୍ଡିଂ ବିଜ୍ଞାପନ, କେନ୍ଦ୍ର ସରକାରଙ୍କ ଯୋଜନା ସବୁର ବିଜ୍ଞାପନକୁ ହଟାଇବା ପାଇଁ ନିର୍ବାଚନ କମିସନଙ୍କ ହସ୍ତକ୍ଷେପ ଲୋଡିଛନ୍ତି ବୋଲି ରାଜ୍ୟ ମନ୍ତ୍ରୀ ଫିରହାଦ ହାକିମ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିଧାନସଭା ନିର୍ବାଚନରେ ବିଜେପିର ଷ୍ଟାର ପ୍ରଚାରକ ହେବେ। ଜଣେ ରାଜନେତା ଭାବରେ ସେ ରାଲି ସମୟରେ ନିଜ ଦଳ ପାଇଁ ସମର୍ଥନ ଲୋଡିବେ। ଏ ପରିସ୍ଥିତିରେ, ଟୀକାକରଣ ପ୍ରମାଣପତ୍ରରେ ତାଙ୍କ ଫଟୋ ବ୍ୟବହାର କରିବା ଭୋଟରଙ୍କୁ ପ୍ରଭାବିତ କରିବ ଏବଂ ଏହା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ। ମତଦାନ ତାରିଖ ଘୋଷଣା ପରେ ମଧ୍ୟ କୋଭିଡ-୧୯ ଟୀକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ବ୍ୟବହାର କରାଯିବା ଦୁର୍ଭାଗ୍ୟଜନକ ବୋଲି କହିଛି ତୃଣମୂଳ କଂଗ୍ରେସ।

ସମ୍ବନ୍ଧିତ ଖବର