ଟିକାକରଣ ବେଳେ ନେତାଙ୍କ ଦାଦାଗିରି: ନିୟମ ଭାଙ୍ଗି ଜୋର ଜବରଦସ୍ତ ଟିକା ନେଲେ ୨ଟିଏମସି ବିଧାୟକ

ନୂଆଦିଲ୍ଲୀ: ଯେଉଁଠି ଦେଖ ନେତା । ସେ ଠିକାଦାରୀ ହେଉ କି ଟିକାକରଣ ହେଉ ସବୁଠି ରାଜନେତାଙ୍କ ପ୍ରଭାବ । ଦୈନିକ ସଭାସମିତିରେ ନିୟମର ପାଠ ପଢାଉଥିବା ନେତାମାନେ ବ୍ୟକ୍ତିଗତ ଜୀବନରେ ତାହାକୁ କେମିତି ପାଳନ କରନ୍ତି ତାହା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ଏଠାରେ ଦୁଇଜଣ ତୃଣମୂଳ କଂଗ୍ରେସ ବିଧାୟକ ଟିକାଦାନ କେନ୍ଦ୍ରରେ ପଶି ଜୋର ଜବରଦସ୍ତି ଟିକା ନେଇଛନ୍ତି ।

ଆଜି ଠାରୁ ସାରା ଦେଶରେ କରୋନା ବିରୋଧରେ ଟିକାକରଣ ଆରମ୍ଭ ହୋଇଛି । ସରକାରୀ ନିୟମ ମୁତାବକ ଏହି ପ୍ରଥମ ପର୍ଯ୍ୟାୟ ଟିକାକରଣ ବେଳେ କେବଳ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯିବ । ଯାହା ମଧ୍ୟରେ ସମସ୍ତ ମେଡିକାଲ ଷ୍ଟାଫ, ସଫେଇ କର୍ମଚାରୀ ଓ ସାଧାରଣ ସେବାରେ ଥିବା କର୍ମଚାରୀ ଅନ୍ତର୍ଭୁକ୍ତ । ହେଲେ ଜନପ୍ରତିନିଧିମାନେ କରୋନା ଯୋଦ୍ଧା ନୁହନ୍ତି ବୋଲି ପ୍ରଧାନମନ୍ତ୍ରୀ ବହୁ ଆଗରୁ କହିସାରିଛନ୍ତି । ହେଲେ ସବୁ ଜାଣି ମଧ୍ୟ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ୨ ଜଣ ବିଧାୟକ ଯେଉଁ ଭଳି କାମ କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

File photo of Bhatar MLA Subhash Mondal (left) and Katwa MLA Rabindranath Chatterjee (right)
indiatoday

ପଶ୍ଚିମବଙ୍ଗର ପୂର୍ବ ବୁରଦ୍ବାନ ଜିଲ୍ଲାର ଭଟର ନିର୍ବାଚନମଣ୍ଡଳୀରେ ଏକ ଟିକାଦାନ କେନ୍ଦ୍ରରେ ଟିକାକରଣ ଚାଲିଥିବା ବେଳେ ହଠାତ୍ ସ୍ଥାନୀୟ ବିଧାୟକ ସୁବାସ ମଣ୍ଡଲ ସେଠାରେ ପହଞ୍ଚି ତାଙ୍କୁ ଟିକା ଦିଆଯାଉ ବୋଲି କହିଥିଲେ । ଏହା ନିୟମ ବାହାରେ ବୋଲି ସ୍ୱାସ୍ଥ୍ୟକର୍ମୀମାନେ କହିବାରୁ ବିଧାୟକ ତାଙ୍କ ଅସଲ ରୂପ ଦେଖାଇଥିଲେ । ବିଧାୟକଙ୍କର ଏଭଳି ଦାଦାଗିରି ଆଗରେ ହାର ମାନିଥିଲେ ସ୍ୱାସ୍ଥ୍ୟକର୍ମୀମାନେ । ବାଧ୍ୟ ହୋଇ ବିଧାୟକଙ୍କୁ ଦେଇଥିଲେ ଟିକା । ଏହି ଗୋଟିଏ ଘଟଣା ନୂହେଁ କଟୱା ବିଧାନସଭାର ଟିଏମସି ବିଧାୟକ ରବି ଚାଟାର୍ଜୀ ବି ସମାନ ଢଙ୍ଗରେ ଦାଦାଗିର କରି ଟିକା ନେଇଥିବା ଜଣାପଡ଼ିଛି । ବିଧାୟକଙ୍କ ଏଭଳି କାର୍ଯ୍ୟକଳାପକୁ ସ୍ଥାନୀୟ ଲୋକମାନେ ନାପସନ୍ଦ କରିଥିବା ବେଳେ ସେମାନଙ୍କ ନାମରେ ମାମଲା ରୁଜୁ ହେଉ ବୋଲି ଦାବି କରିଛନ୍ତି ।

ଚଳିତ ବର୍ଷ ଏପ୍ରିଲରୁ ମେ ମାସ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଜେପି ଟିଏମସିକୁ ଟାର୍ଗେଟ କରିବା ଆରମ୍ଭ କରିସାରିଛି। ଏମଧ୍ୟରେ ଟିଏମସି ଦଳର ବିଧାୟକମାନଙ୍କର ଏଭଳି କାର୍ଯ୍ୟକଳାପ ବିଜେପିକୁ ସମାଲୋଚନା କରିବାର ମଉକା ଆଣି ଦେଇଛି ।

ସମ୍ବନ୍ଧିତ ଖବର