କୋଇଲା ଦୁର୍ନୀତି ମାମଲାରେ ସାଂସଦ ଅଭିଷେକ ବାନାର୍ଜୀ ଓ ପତ୍ନୀ ରୁଜିରାଙ୍କୁ ନୋଟିସ ପଠାଇଲା ଇଡି

କୋଲକାତା: ଦିଦିଙ୍କ ପାଇଁ ବଢ଼ିବାରେ ଲାଗିଛି ଅଡୁଆ | ଗୋଟେପଟେ ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ଏବେ ସିବିଆଇ ଯାଞ୍ଚ ଆରମ୍ଭ କରିଥିବା ବେଳେ ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବି କୋଇଲା ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ପଚରାଉଚରା ପାଇଁ ନୋଟିସ ଜାରି କରିଛି । ସେମାନଙ୍କୁ ପଚରାଉଚରା ପାଇଁ ଇଡି ଡାକିବା ସହ ସେମାନଙ୍କର ବ୍ୟାଙ୍କ ବିବରଣୀ ବି ମାଗିଛି । ଇଡି ତରଫରୁ କୋଇଲା ଦୁର୍ନୀତି ମାମଲାରେ ଅଭିଷେକଙ୍କୁୁ ସେପ୍ଟେମ୍ବର ୩ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ କରିବା ସହ ରୁଜିରାଙ୍କୁ ସେପ୍ଟେମ୍ବର ପହିଲାରେ ହାଜର ହେବାକୁ ନୋଟିସ କରିଛି ଇଡି ।

ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀଙ୍କ ନାମରେ ଅଭିଯୋଗ ରହିଛି ଯେ, ସେ ନିଜ କମ୍ପାନି ଆକାଉଣ୍ଟରୁ କିଛି କମ୍ପାନି ଓ ବ୍ୟକ୍ତିଙ୍କ ସହ ଅର୍ଥ କାରବାର କରିଛନ୍ତି, ଯେଉଁମାନେ କୋଇଲା ଦୁର୍ନୀତିରେ ସାମିଲ ଅଛନ୍ତି । ଅନ୍ୟପଟେ ଅର୍ଥ କାରବାର ହୋଇଥିବା କମ୍ପାନିମାନଙ୍କ ମଧ୍ୟରୁ ଅଭିଷେକ ବାନାର୍ଜୀଙ୍କ ବାପା ଅମିତ ବାନାର୍ଜୀଙ୍କର ଏକ କମ୍ପାନି ବି ରହିଛି । କୋଇଲା ଦୁର୍ନୀତି ମାମଲାରେ ସିବିଆଇ ଯାଞ୍ଚ କରୁଥିବା ବେଳେ ଏନେଇ ହୋଇଥିବା ଅର୍ଥ କାରବାର ମାମଲାରେ ଇଡି ଯାଞ୍ଚ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର