ନୂଆଦିଲ୍ଲୀ: ଲୋକସଭାରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେଇଥିବା ଅଭିଯୋଗ ଆସିବା ପରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ସାଂସଦ ମହୁଆ ମୋଇତ୍ର ବିଜେପି ସାଂସଦ ନିଶିକାନ୍ତ ଦୁବେ ଏବଂ ଆଇନଜୀବୀ ଜୟ ଅନନ୍ତ ଦେହାଦରାଇଙ୍କୁ ଆଇନଗତ (ଲିଗାଲ) ନୋଟିସ୍‌ ପଠାଇଛନ୍ତି।

Advertisment

୨୦୦୫ର ‘କ୍ୟାସ୍‌ ଫର୍‌ କ୍ୱେରି’ ଦୁର୍ନୀତି ସହ ତୁଳନା କରି ଦୁବେ ଦେହାଦରାଇଙ୍କ ଚିଠିକୁ ଉଦାହରଣ ଦେଇ ଦାବି କରିଥିଲେ ଯେ ମୋଇତ୍ର ଏବଂ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ମଧ୍ୟରେ ଲାଞ୍ଚ ବିନିମୟ ହୋଇଥିବାର  ପ୍ରମାଣ ତାଙ୍କ ପାଖରେ ରହିଛି। ବାଚସ୍ପତି ଓମ୍‌ ବିର୍ଲା ଏବଂ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ପୃଥକ ତଦନ୍ତ ଆରମ୍ଭ କରିବାକୁ ବିଜେପି ନେତା ଅନୁରୋଧ କରିଥିଲେ।

ତେବେ, ନିଶିକାନ୍ତ ଦୁବେଙ୍କ ଅଭିଯୋଗକୁ ହିରାନନ୍ଦାନୀ ଗ୍ରୁପ୍‌ ଖଣ୍ଡନ କରିଥିଲା। ଏହି ବ୍ୟାବସାୟିକ ସଂସ୍ଥା ଏଭଳି କାର୍ଯ୍ୟକଳାପରେ ସାମିଲ ନାହିଁ ବୋଲି ସ୍ପଷ୍ଟ କରିଥିଲା।

ପଶ୍ଚିମବଙ୍ଗର କୃଷ୍ଣନଗରର ସାଂସଦ ମହୁଆ ମୋଇତ୍ର ଅକ୍ଟୋବର ୧୬ ତାରିଖରେ ଜାରି କରିଥିବା ଲିଗାଲ୍ ନୋଟିସରେ କହିଛନ୍ତି ଯେ ‘ଲୋକସଭା ସଦସ୍ୟ ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ସେ କୌଣସି ପ୍ରକାରର ଲାଭ ଗ୍ରହଣ କରିଥିବା ଅଭିଯୋଗ ଅପମାନଜନକ, ମିଥ୍ୟା, ଭିତ୍ତିହୀନ ଏବଂ ପ୍ରମାଣ ଦ୍ୱାରା ସମର୍ଥିତ ନୁହେଁ।’

‘ନିଶିକାନ୍ତ ଦୁବେ ଓ ଜୟ ଅନନ୍ତ ଦେହାଦରାଇ ବ୍ୟକ୍ତିଗତ ଓ ରାଜନୈତିକ ପ୍ରତିଶୋଧ ନେବା ପାଇଁ ତାଙ୍କ ପ୍ରତିଷ୍ଠା ଉପରେ ଆକ୍ରମଣ କରିଥିବା’ ସେ ଅଭିଯୋଗ କରିଛନ୍ତି। ନୋଟିସରେ ମହୁଆ ମୋଇତ୍ର ଉଭୟ ଦୁବେ ଏବଂ ଦେହାଦରାଇଙ୍କୁ ଲିଖିତ କ୍ଷମା ମାଗିବାକୁ ମଧ୍ୟ କହିଛନ୍ତି।