ତିନି ତଲାକ୍‌ ପାଇଁ ଅଧ୍ୟାଦେଶ

ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଲା

ନୂଆଦିଲ୍ଲୀ: ତିନି ତଲାକ୍‌କୁ ଦଣ୍ଡନୀୟ ଅପରାଧ ବିବେଚନା କରିବା ଲାଗି ପ୍ରାଣପଣେ ଉଦ୍ୟମ ଚଳାଇଥିବା କେନ୍ଦ୍ର ସରକାର ଶେଷରେ ଅଧ୍ୟାଦେଶ ରାସ୍ତା ଆପଣାଇଛନ୍ତି। କେନ୍ଦ୍ର କ୍ୟାବିନେଟ୍‌ରେ ବୁଧବାର ତିନି ତଲାକ୍‌ ସଂକ୍ରାନ୍ତ ସଂଶୋଧନ ବିଲ୍‌କୁ ଆଇନରେ ପରିଣତ ପାଇଁ ଏକ ଅଧ୍ୟାଦେଶକୁ ଅନୁମୋଦନ ଦିଆଯାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଏହା ଆଇନରେ ପରିଣତ ହୋଇଛି। ଏଣିକି ତିନି ତଲାକ୍‌କୁ ଦଣ୍ଡନୀୟ ଅପରାଧ ବିବେଚନା କରାଯିବ ଏବଂ ଦୋଷୀକୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ହେବ। କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କ୍ୟାବିନେଟ୍‌ ବୈଠକ ପରେ ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି, ଗତବର୍ଷ ସୁପ୍ରିମ୍‌କୋର୍ଟ ତିନି ତଲାକ୍‌କୁ ବେଆଇନ ଓ ସମ୍ବିଧାନ ବିରୋଧୀ ବୋଲି ଘୋଷଣା କରିବା ପରେ ମଧ୍ୟ ଦେଶରେ ଏ ପର୍ଯ୍ୟନ୍ତ ଏହି ପ୍ରଥା ଜାରି ରହିଛି। ଏହାର ପ୍ରଭାବରେ ଅନେକ ମୁସ୍‌ଲିମ୍‌ ମହିଳାଙ୍କ ଜୀବନ ବରବାଦ ହୋଇସାରିଲାଣି। କେନ୍ଦ୍ର ସରକାର ଏଥିପାଇଁ ବିଲ୍‌ ସଂସଦରେ ଆଗତ କରିଥିଲେ ହେଁ ରାଜ୍ୟସଭାରେ ଏହା ବିରୋଧୀଙ୍କ ଯୋଗୁ ଅଟକି ରହିଛି। କଂଗ୍ରେସ ଏହାର ଭୋଟ୍‌ ବ୍ୟାଙ୍କ ରାଜନୀତିକୁ ଆଖିରେ ରଖି ଏହି ବିଲ୍‌କୁ ଏଯାଏ ସମର୍ଥନ ଜଣାଉନାହିଁ। ତେଣୁ ବାଧ୍ୟ ହୋଇ କେନ୍ଦ୍ର ସରକାର ଅଧ୍ୟାଦେଶ ବାଟ ବାଛିଛନ୍ତି ବୋଲି ସେ କହିଛନ୍ତି।

ତିନି ତଲାକ୍‌ ଦଣ୍ଡନୀୟ ଅପରାଧ
ଦୋଷୀଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌
ମାଜିଷ୍ଟ୍ରେଟ୍‌ଙ୍କୁ ଜାମିନ ପ୍ରଦାନ କ୍ଷମତା
ପତ୍ନୀଙ୍କ ସହମତିରେ ବୁଝାମଣା ସମ୍ଭବ

ଉଲ୍ଲେଖଯୋଗ୍ୟ, ସୁପ୍ରିମ୍‌କୋର୍ଟ ଗତବର୍ଷ ଅଗଷ୍ଟ ୨୨ ତାରିଖରେ ତିନି ତଲାକ୍‌ ପ୍ରଥାକୁ ବେଆଇନ ଘୋଷଣା କରିବା ପରେ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକି୍ରୟା ଗ୍ରହଣ କରାଯାଇ ବିଲ୍‌ ପ୍ରସ୍ତୁତ କରାଯାଇଥିଲା। ତେବେ ଏଥିରେ ଥିବା କେତେକ ବ୍ୟବସ୍ଥାକୁ ସଂସଦରେ ବିରୋଧୀ ଦଳଗୁଡ଼ିକ ଗ୍ରହଣ ନକରିବା ଯୋଗୁ କେନ୍ଦ୍ର ସରକାର ୩ଟି ସଂଶୋଧନ ଆଣିଥିଲେ। ଏହି ସଂଶୋଧନ ମୁତାବକ, ପୀଡ଼ିତା ଓ ତାଙ୍କ ନିଜ ସଂପର୍କୀୟମାନେ ଏତଲା ଦେଇପାରିବେ। ଦ୍ୱିତୀୟତଃ ତିନି ତଲାକ୍‌ ଅଭିଯୋଗରେ ଗିରଫ ହେଉଥିବା ବ୍ୟକ୍ତିଙ୍କୁ ମାଜିଷ୍ଟ୍ରେଟ୍‌ ଜାମିନ ପ୍ରଦାନ କରିପାରିବେ ଏବଂ ତୃତୀୟରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପତି-ପତ୍ନୀ ଆପୋସ ବୁଝାମଣା ବିକଳ୍ପ ପାଇବେ। କେନ୍ଦ୍ରର ଏଭଳି ସଂଶୋଧନ ପରେ ବି ରାଜ୍ୟସଭାରେ ‘ବିବାହ ସଂକ୍ରାନ୍ତ ମୁସ୍‌ଲିମ୍‌ ମହିଳା ସୁରକ୍ଷା ଅଧିକାର ବିଲ୍‌’ ଅନୁମୋଦନ ଲାଭ କରିପାରି ନାହିଁ। ଏ ବାବଦରେ ବିରୋଧୀ କଂଗ୍ରେସକୁ ସମାଲୋଚନା କରି ଆଇନ ମନ୍ତ୍ରୀ କହିଛନ୍ତି, ଆଜିର ଏକବିଂଶ ଶତାବ୍ଦୀରେ ୨୨ଟି ରାଷ୍ଟ୍ର ତିନି ତଲାକ୍‌ ପ୍ରଥାରେ ସଂସ୍କାର ଆଣିଛନ୍ତି। ଫଳରେ ସେହି ଦେଶଗୁଡ଼ିକରେ ମୁସ୍‌ଲିମ୍‌ ମହିଳାମାନେ ଶାନ୍ତିରେ ବଞ୍ଚିପାରୁଛନ୍ତି। କିନ୍ତୁ ଭାରତ ଭଳି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ଏହି ପ୍ରଥାରେ କୌଣସି ପରିବର୍ତ୍ତନ ଆସିନପାରିବା ଦୁର୍ଭାଗ୍ୟର ବିଷୟ। ଏଠାରେ କେବଳ ଭୋଟ୍‌ ବ୍ୟାଙ୍କ ରାଜନୀତି ଯୋଗୁ ତିନି ତଲାକ୍‌ ଭଳି କୁସଂସ୍କାରକୁ ଏଡ଼ାଯାଇ ପାରୁନାହିଁ। ତେଣୁ ମୁଁ ପୁଣିଥରେ ସୋନିଆ ଗାନ୍ଧୀଙ୍କୁ କହିବାକୁ ଚାହିବି ଯେ ଦେଶରେ ଲିଙ୍ଗଗତ ନ୍ୟାୟ ପାଇଁ ବାଟ ଫିଟାଇବା ଏବଂ ଦେଶର ହିତ ପାଇଁ ତିନି ତଲାକ୍‌ ଅଧ୍ୟାଦେଶ ଅଣାଯାଇଛି। ଭୋଟ୍‌ ବ୍ୟାଙ୍କ ରାଜନୀତିଠାରୁ ଊର୍ଦ୍ଧ୍ୱକୁ ଯାଇ ଦେଶର ମହିଳାମାନଙ୍କୁ ସେମାନଙ୍କ ଅଧିକାର ଦେବା ନିମନ୍ତେ ବିଲ୍‌କୁ ଅନୁମୋଦନ କରାଇବାରେ ସମର୍ଥନ କରନ୍ତୁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ତିନି ତଲାକ୍‌ ବା ତଲାକ୍‌-ଏ-ବିଦତ୍‌କୁ ଅପରାଧ ବିବେଚନା କରିବା ଲାଗି ସରକାର ଶୀତ ଅଧିବେଶନରେ ଏକ ବିଲ୍‌ ଆଣିଥିଲେ। ଲୋକସଭାରେ ଏହାକୁ ଅନୁମୋଦନ ମିଳିଥିଲା। କିନ୍ତୁ ରାଜ୍ୟସଭାରେ ମୋଦୀ ସରକାରଙ୍କର ସଂଖ୍ୟାଗରିଷ୍ଠତା ନଥିବାରୁ ବିଲ୍‌ଟି ସେହିଦିନ ଠାରୁ ସେଠାରେ ଅଟକି ରହିଛି। ବିଲ୍‌କୁ ପ୍ରବଳ ବିରୋଧ କରାଯିବା ପରେ ଚଳିତବର୍ଷ ଅଗଷ୍ଟ ୯ ତାରିଖରେ କେନ୍ଦ୍ର କ୍ୟାବିନେଟ୍‌ରେ ଏଥିପାଇଁ ୩ଟି ସଂଶୋଧନକୁ ମଞ୍ଜୁରି ମିଳିଥିଲା।

ଅଧ୍ୟାଦେଶ ମୁସ୍‌ଲିମ୍‌ ମହିଳା ବିରୋଧୀ: ଅେଓ୍ଵସି
ହାଇଦ୍ରାବାଦ: ତିନି ତଲାକ୍‌କୁ ଅପରାଧ ବିବେଚନା କରିବା ଲାଗି ଆସିଥିବା ଅଧ୍ୟାଦେଶ ଅସାମ୍ବିଧାନିକ। ଏହା ମୁସ୍‌ଲିମ୍‌ ମହିଳା ବିରୋଧୀ ମଧ୍ୟ। ତେଣୁ ଏହାକୁ ସୁପ୍ରିମ୍‌କୋର୍ଟରେ ଚାଲେଞ୍ଜ୍‌ କରାଯିବା ଆବଶ୍ୟକ ବୋଲି ସର୍ବଭାରତୀୟ ମଜ୍‌ଲିସ୍‌-ଏ-ଇତ୍ତେହାଦୁଲ୍‌ ମୁସ୍‌ଲିମିନ୍‌ (ଏଆଇଏମ୍‌ଆଇଏମ୍‌)ର ସଭାପତି ଅସାଉଦ୍ଦିନ୍‌ ଅେଓ୍ଵସି କହିଛନ୍ତି। ଅେଓ୍ଵସି କହିଛନ୍ତି ଯେ ଏହି ଅଧ୍ୟାଦେଶ ଦ୍ୱାରା ସମ୍ବିଧାନର ସମାନତା ଅଧିକାର ପ୍ରତି କ୍ଷତି ପହଞ୍ଚିବ। କାରଣ ଏହା କେବଳ ମୁସ୍‌ଲିମ୍‌ମାନଙ୍କ ପାଇଁ ଅଣାଯାଇଛି। ଏହାକୁ ଆଖିରେ ରଖି ସର୍ବଭାରତୀୟ ମୁସ୍‌ଲିମ୍‌ ବ୍ୟକ୍ତିଗତ ଆଇନ ବୋର୍ଡ ଏବଂ ମହିଳା ସଂଗଠନଗୁଡ଼ିକ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେବା ଆବଶ୍ୟକ। ଲୋକସଭା ସାଂସଦ ଅେଓ୍ଵସି କହିଛନ୍ତି ଯେ ଏହି ଅଧ୍ୟାଦେଶ କୌଣସି କ୍ଷେତ୍ରରେ ମୁସ୍‌ଲିମ୍‌ ମହିଳାମାନଙ୍କୁ ନ୍ୟାୟ ପ୍ରଦାନ କରିପାରିବ ନାହିଁ। ଇସ୍‌ଲାମ୍‌ରେ ବିବାହ ହେଉଛି ଏକ ଘରୋଇ ରାଜିନାମା ଏବଂ ଏଥିରେ ଦଣ୍ଡ ବ୍ୟବସ୍ଥା ଆଣିବା ଠିକ୍‌ ନୁହେଁ। ତେଣୁ ଏହି ଅଧ୍ୟାଦେଶ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

ସରକାରଙ୍କ ପାଇଁ ‘ରାଜନୈତିକ ଫୁଟ୍‌ବଲ୍‌’: କଂଗ୍ରେସ
ନୂଆଦିଲ୍ଲୀ: ତିନି ତଲାକ୍‌ ଭଳି ପ୍ରସଙ୍ଗକୁ ମୋଦୀ ସରକାର ‘ରାଜନୈତିକ ଫୁଟ୍‌ବଲ୍‌’ ବୋଲି ଭାବୁଛନ୍ତି। ମୁସ୍‌ଲିମ୍‌ ମହିଳାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସରକାରଙ୍କର ସେଭଳି ଇଚ୍ଛା ନାହିଁ। କଂଗ୍ରେସ ନେତା ରଣଦୀପ ସୁର୍ଜେଓ୍ଵାଲା କହିଛନ୍ତି, ତିନି ତଲାକ୍‌କୁ ନେଇ କଂଗ୍ରେସ ପକ୍ଷରୁ କିଛି ଜରୁରି ଦାବି ଉପସ୍ଥାପନ କରାଯାଇଥିଲା, କିନ୍ତୁ ସରକାର ଏହାକୁ ଅଣଦେଖା କରିଛନ୍ତି। ତିନି ତଲାକ୍‌ ଯୋଗୁ ଛାଡ଼ପତ୍ର ପାଇବାକୁ ଥିବା ମହିଳାଙ୍କୁ କ୍ଷତିପୂରଣ ଦେବାରୁ ବଞ୍ଚିତ କରୁଥିବା ଲୋକଙ୍କ ସମ୍ପତ୍ତି ଜବତ ପାଇଁ ବ୍ୟବସ୍ଥା ଆଣିବାକୁ କଂଗ୍ରେସ ଦାବି କରିଥିଲା। କିନ୍ତୁ ସେଭଳି କିଛି ବ୍ୟବସ୍ଥା ନଆଣି ସରକାର ଅଧ୍ୟାଦେଶ ଆଣିଛନ୍ତି। ଅନ୍ୟପକ୍ଷରେ ଏନ୍‌ଡିଏର ସହଯୋଗୀ ଦଳ ଜେଡିୟୁ ମଧ୍ୟ ତିନି ତଲାକ୍‌ ଅଧ୍ୟାଦେଶକୁ ବିରୋଧ କରିଛି। ଏଭଳି ଆଇନ ଧାର୍ମିକ ଭାବନାକୁ ଆଘାତ କରିବା ସମ୍ଭାବନା ଥିବାରୁ ସମସ୍ତ ପକ୍ଷଙ୍କ ମତାମତ ନେଇ ଏହା ଲାଗୁ ହେବା ଜରୁରି ବୋଲି ଜେଡିୟୁ ନେତା କେ ସି ତ୍ୟାଗୀ କହିଛନ୍ତି।

ସମ୍ବନ୍ଧିତ ଖବର