ତିନି ତଲାକ୍‌ ବିଲ୍‌ ରାଜ୍ୟସଭାରେ ଗୃହୀତ କରାଇଦେବୁ ନାହିଁ: କଂଗ୍ରେସ

ନୂଆଦିଲ୍ଲୀ: ତିନି ତଲାକ୍‌ ବିଲ୍‌ ଲୋକସଭାରେ ଗୃହୀତ ହୋଇଥିଲେ ମଧ୍ୟ ରାଜ୍ୟସଭାରେ ଏହାକୁ କୌଣସି ପରିସ୍ଥିତିରେ ଗୃହୀତ କରାଇ ଦେବୁନାହିଁ ବୋଲି ଏଆଇସିସି ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ କହିଛନ୍ତି। ଅନ୍ୟ ବିରୋଧୀ ଦଳଙ୍କ ସହିତ ହାତ ମିଳାଇ କଂଗ୍ରେସ ଏହି ବିଲ୍‌କୁ ରୋକିବ ବୋଲି ସେ କହିଛନ୍ତି। ବିଲ୍‌ ବିରୋଧରେ ୧୦ଟି ବିରୋଧୀ ଦଳ ମୂଳରୁ ଏକଜୁଟ୍‌ ଥିବାରୁ ଏନ୍‌ଡିଏ ସରକାରଙ୍କ ଏହି ବିଲ୍‌ ରାଜ୍ୟସଭାରେ ଗୃହୀତ ହୋଇପାରିବ ନାହିଁ ବୋଲି ବେଣୁଗୋପାଳ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କଂଗ୍ରେସ ନେତୃତ୍ବାଧୀନ ୟୁପିଏ ଏବଂ ବାମ ମେଣ୍ଟର ମତ ଏହି ମାମଲାରେ ସମାନ ରହିଛି ଏବଂ ଏଆଇଏଡିଏମ୍‌କେ ମଧ୍ୟ ବିଲ୍‌କୁ ବିରୋଧ କରୁଛି। ଏଭଳି ସ୍ଥିତିରେ ସରକାରଙ୍କ କୌଣସି ଉଦ୍ୟମ କାମ ଦେବନାହିଁ ବୋଲି ସେ କହିଛନ୍ତି। ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇ ବିଲ୍‌କୁ ଚୟନ କମିଟିକୁ ପଠାଇବା ଦାବିରେ ଅଟଳ ଥିବାରୁ ସୋମବାର ଦିନ ତିନି ତଲାକ୍‌ ବିଲ୍‌ର ଭାଗ୍ୟ ନିର୍ଣ୍ଣୟ ହେବ। ରାଜ୍ୟସଭାରେ ଏବେ ୟୁପିଏର ୧୧୨ ସଦସ୍ୟ ଥିବା ବେଳେ ଏନ୍‌ଡିଏର ସଦସ୍ୟ ସଂଖ୍ୟା ହେଉଛି ୯୩। ଗୋଟିଏ ଆସନ ଖାଲି ପଡ଼ିଛି ଏବଂ ଅନ୍ୟ ଦଳମାନଙ୍କର ୩୯ ସଦସ୍ୟ ରହିଛନ୍ତି। ସେମାନଙ୍କର ଏନ୍‌ଡିଏ କିମ୍ବା ୟୁପିଏ ସହ ସମ୍ପର୍କ ନାହିଁ। ଏହି ସଦସ୍ୟମାନେ ତିନି ତଲାକ୍‌ ବିଲ୍‌କୁ ରୋକିବା ଦିଗରେ ବଡ଼ ଭୂମିକା ନିର୍ବାହ କରିପାରନ୍ତି। ୨୪୫ ସଦସ୍ୟବିଶିଷ୍ଟ ଗୃହରେ ୧୨୩ ସଦସ୍ୟଙ୍କ ସମର୍ଥନ ହାସଲ କରିବା ଏନ୍‌ଡିଏ ପାଇଁ କଷ୍ଟକର ହୋଇପଡ଼ିବ। ତେବେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କ ବିଜୟ ହୋଇଥିବାରୁ ସରକାର ବିଲ୍‌ ଗୃହୀତ ହେବା ନେଇ ଆଶା ବାନ୍ଧିଛନ୍ତି। ସୋମବାର ସକାଳେ କଂଗ୍ରେସର ସମସ୍ତ ରାଜ୍ୟସଭା ସଦସ୍ୟ ସଂସଦରେ ବୈଠକ କରିବେ ଏବଂ ସେଥିରେ ନିର୍ଦ୍ଧାରିତ ରଣନୀତି ଅନୁସାରେ ସରକାରଙ୍କୁ ଘେରିବେ।

 

ସମ୍ବନ୍ଧିତ ଖବର