ରାଜ୍ୟସଭାରେ ବିରୋଧୀ ଏକଜୁଟ: ତିନି ତଲାକ୍‌ ବିଲ୍‌ ଚୟନ କମିଟିକୁ ପଠାଇବା ଦାବିରେ ଅଟଳ

ନୂଆଦିଲ୍ଲୀ: ତିନି ତଲାକ୍‌ ବିଲ୍‌ ଲୋକସଭାରେ ଗୃହୀତ ହୋଇଥିଲେ ମଧ୍ୟ ରାଜ୍ୟସଭାରେ ସରକାରଙ୍କୁ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ। ଏହି ମାମଲାରେ ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇ ବିଲ୍‌କୁ ଚୟନ କମିଟିକୁ ପଠାଇବା ଦାବିରେ ଅଟଳ ଥିବାରୁ ସୋମବାର ଦିନ ବିଲ୍‌ ଭାଗ୍ୟ ରାଜ୍ୟସଭାରେ ନିର୍ଣ୍ଣୟ ହେବ। ଆଜି ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳରେ ଗୃହକାର୍ଯ୍ୟ ଦିନସାରା ସ୍ଥଗିତ ରହିଥିଲା। ରାଜ୍ୟସଭାରେ ଏବେ ୟୁପିଏର ୧୧୨ ସଦସ୍ୟ ଥିବା ବେଳେ ଏନ୍‌ଡିଏର ସଦସ୍ୟ ସଂଖ୍ୟା ହେଉଛି ୯୩। ଗୋଟିଏ ଆସନ ଖାଲି ପଡ଼ିଛି ଏବଂ ଅନ୍ୟ ଦଳମାନଙ୍କର ୩୯ ସଦସ୍ୟ ରହିଛନ୍ତି। ସେମାନଙ୍କର ଏନ୍‌ଡିଏ କିମ୍ବା ୟୁପିଏ ସହ ସମ୍ପର୍କ ନାହିଁ। ଏହି ସଦସ୍ୟମାନେ ତିନି ତଲାକ୍‌ ବିଲ୍‌କୁ ରୋକିବା ଦିଗରେ ବଡ଼ ଭୂମିକା ନିର୍ବାହ କରିପାରନ୍ତି। ୨୪୫ ସଦସ୍ୟବିଶିଷ୍ଟ ଗୃହରେ ୧୨୩ ସଦସ୍ୟଙ୍କ ସମର୍ଥନ ହାସଲ କରିବା ଏନ୍‌ଡିଏ ପାଇଁ କଷ୍ଟକର ହୋଇପଡ଼ିବ। ତେବେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କ ବିଜୟ ହୋଇଥିବାରୁ ସରକାର ବିଲ୍‌ ଗୃହୀତ ହେବା ନେଇ ଆଶା ବାନ୍ଧିଛନ୍ତି।

ଆଜି ବିରୋଧୀ ଦଳଗୁଡ଼ିକ ତିନି ତଲାକ୍‌ ବିଲ୍‌କୁ ଚୟନ କମିଟିକୁ ପଠାଇବା ଦାବିକୁ ଜୋର୍‌ଦାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସୋମବାର ସକାଳେ କଂଗ୍ରେସର ସମସ୍ତ ରାଜ୍ୟସଭା ସଦସ୍ୟ ସଂସଦରେ ବୈଠକ କରିବେ ଏବଂ ସେଥିରେ ନିର୍ଦ୍ଧାରିତ ରଣନୀତି ଅନୁସାରେ ସରକାରଙ୍କୁ ଘେରିବେ। ସିପିଆଇ ସଦସ୍ୟ ଡି ରାଜା କହିଛନ୍ତି, ବିରୋଧୀ ଦଳ ନିକଟରେ ବିଲ୍‌କୁ ରୋକିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟା ରହିଛି। ତେଣୁ ବିଲ୍‌କୁ ଚୟନ କମିଟିକୁ ପଠାଇବା ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯିବ। ସରକାର ରାଜନୀତିକ ଉଦ୍ଦେଶ୍ୟରେ ଏହି ବିଲ୍‌କୁ ବ୍ୟବହାର କରିବାକୁ ଚାହୁଥିବାରୁ ଏହାକୁ ରୋକାଯିବା ଜରୁରୀ ବୋଲି ସେ କହିଛନ୍ତି। ଗୁରୁବାର ଦିନ ଲୋକସଭାରେ ଜୋର୍‌ଦାର ବିତର୍କ ଭିତରେ ତିନି ତଲାକ୍‌ ବିଲ୍‌ ଗୃହୀତ ହୋଇଥିଲା। ଗୃହରେ ଉପସ୍ଥିତ ୨୫୬ ସାଂସଦଙ୍କ ମଧ୍ୟରୁ ୨୪୫ ସାଂସଦ ବିଲ୍‌ ସପକ୍ଷରେ ଭୋଟ୍‌ ଦେଇଥିଲେ। ମାତ୍ର ୧୧ ଜଣ ସଦସ୍ୟ ବିଲ୍‌ ବିରୋଧରେ ଭୋଟ୍‌ ଦେଇଥିଲେ। ଏଆଇଏମ୍‌ଆଇଏମ୍‌ ଅସଦୁଦ୍ଦିନ୍‌ ଅୱେସିଙ୍କ ତିନୋଟି ସଂ‌ଶୋଧନ ପ୍ରସ୍ତାବ ମଧ୍ୟ କାଟ ଖାଇଥିଲା। ଅନ୍ୟ କେତେକ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ମିଳିନଥିଲା।

ସମ୍ବନ୍ଧିତ ଖବର