ତିନି ତଲାକ ବିଲ୍‌, ରାଜ୍ୟସଭାରେ ସଂଖ୍ୟା ଖେଳ କକ୍ଷତ୍ୟାଗ ଓ ଅନୁପସ୍ଥିତ

ନୂଆଦିଲ୍ଲୀ: ଲୋକସଭା ପରେ ଆଜି ରାଜ୍ୟସଭାରେ ମଧ୍ୟ ମୁସ୍‌ଲିମ୍‌ ମହିଳା ବିବାହ ଅଧିକାର ସୁରକ୍ଷା (ତିନି ତଲାକ୍‌) ବିଲ୍‌ ଗୃହୀତ ହେବା ଏନ୍‌ଡିଏ ସରକାରଙ୍କ ପାଇଁ ଏକ ବଡ଼ ଆଶ୍ବସ୍ତି ହୋଇଛି। ଆଜି ରାଜ୍ୟସଭାରେ ଏହି ବିଲ୍‌କୁ ବିଜେଡି ସମର୍ଥନ କରିଥିବା ବେଳେ ଜେଡିୟୁ, ଏଆଇଏଡିଏମ୍‌କେ କକ୍ଷତ୍ୟାଗ କରିଥିଲେ। ଟିଆର୍‌ଏସ୍ ଏବଂ ପିଡିପି ସାଂସଦ ଭୋଟ୍‌ଦାନରୁ ବିରତ ରହିଥିଲେ । ଅନ୍ୟପକ୍ଷରେ ଏନ୍‌ସିପିର ୨, କଂଗ୍ରେସର ୫, ସପାର ୬, ବିଏସ୍‌ପିର ୪, ଟିଏମ୍‌ସିର ୨, ଆର୍‌ଜେଡିର ୧ ଏବଂ ଡିଏମ୍‌କେର ୧ ସଦସ୍ୟ ଅନୁପସ୍ଥିତ ଥିଲେ। ସାଂସଦଙ୍କ କକ୍ଷତ୍ୟାଗ ଏବଂ ଅନୁପସ୍ଥିତି ଯୋଗୁଁ ସରକାରଙ୍କୁ ଏହାର ଫାଇଦା ମିଳିଥିଲା। ରାଜ୍ୟସଭାରେ ଏଆଇଏଡିଏମ୍‌କେର ୧୧ ଏବଂ ଜେଡିୟୁର ୬ ସାଂସଦ ଅଛନ୍ତି। ୨୪୨ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ବିଜେପିର ୭୮ ଏବଂ କଂଗ୍ରେସର ୪୮ ସାଂସଦ ଅଛନ୍ତି। ବିଲ୍ ପାସ୍‌ କରିବା ପାଇଁ ଏନ୍‌ଡିଏକୁ ୧୨୧ ସଦସ୍ୟଙ୍କ ସମର୍ଥନ ଦରକାର ପଡ଼ୁଥିଲା। କିନ୍ତୁ ବିଲ୍‌କୁ ବିରୋଧ କରୁଥିବା ଅନେକ ଦଳଙ୍କ ଅନୁପସ୍ଥିତି ସରକାରଙ୍କ ପାଇଁ ରାସ୍ତା ସହଜ କରିଦେଇଥିଲା। ବିଜେପି ରାଜ୍ୟସଭାରେ ଉପସ୍ଥିତ ରହିବା ପାଇଁ ନିଜର ସବୁ ସାଂସଦଙ୍କୁ ହ୍ବିପ୍‌ ଜାରି କରିଥିଲା। କକ୍ଷତ୍ୟାଗ ପରେ ଗୃହରେ ଆଜି ମୋଟ ୧୮୩ ସାଂସଦ ରହିଥିଲେ।

ତିନି ତଲାକ ବିଲ୍‌ ଟାଇମ୍‌ ଲାଇନ୍‌
ମାର୍ଚ ୨୮, ୨୦୧୬: ବିବାହ, ଛାଡ଼ପତ୍ର ଏବଂ ଉତ୍ତରାଧିକାରୀ ସଂକ୍ରାନ୍ତ ଆଇନର ମୂଲ୍ୟାୟନ ରିପୋର୍ଟ ପ୍ରସ୍ତୁତି ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସ ଆରମ୍ଭ।
ଫେବ୍ରୁଆରି ୧୬, ୨୦୧୭: ତିନି ତଲାକ ଏବଂ ନିକାହ ହଲାଲା ମାମଲାର ବିଚାର ପାଇଁ ସୁପ୍ରିମ୍‌ କୋର୍ଟ ୫ ଜଣିଆ ସମ୍ବିଧାନ ପୀଠ ଗଠନ କଲେ।
ମାର୍ଚ, ୧୦୧୭: ତିନି ତଲାକ ନ୍ୟାୟପାଳିକାର ବିଚାର ପରିସର ବାହାରେ ବୋଲି ଦର୍ଶାଇଲା ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ ଲ ବୋର୍ଡ (ଏଆଇଏମ୍‌ପିଏଲ୍‌ବି)।
ମେ ୧୮, ୨୦୧୭: ତିନି ତଲାକ୍‌ର ସାମ୍ବିଧାନିକ ବୈଧତା ନେଇ ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌ କୋର୍ଟ।
ଅଗଷ୍ଟ ୨୨, ୨୦୧୭: ତିନି ତଲାକ୍‌ ପ୍ରଥାକୁ ବେଆଇନ ଦର୍ଶାଇଲେ ସୁପ୍ରିମ୍‌ କୋର୍ଟ। ଏହାକୁ ରୋକିବା ଦିଗରେ କେନ୍ଦ୍ର ସରକାରଙ୍କୁ ଆଇନ ଆଣିବାକୁ କହିଲେ।
ଡିସେମ୍ବର ୨୦୧୭: ଲୋକସଭାରେ ମୁସ୍‌ଲିମ ମହିଳା ବିବାହ ଅଧିକାର ସୁରକ୍ଷା ବିଲ୍‌ (ତିନି ତଲାକ୍)-୨୦୧୭ ଗୃହୀତ।
ଅଗଷ୍ଟ ୯, ୨୦୧୮: ତିନି ତଲାକ ବିଲ୍‌ରେ ସଂଶୋଧନକୁ ମଂଜୁର କଲେ କେନ୍ଦ୍ର ସରକାର।
ଅଗଷ୍ଟ ୧୦, ୨୦୧୮: ରାଜ୍ୟସଭାରେ ବିଲ୍‌ ଉପସ୍ଥାପନ ହେଲା, କିନ୍ତୁ ସହମତି ପ୍ରକାଶ ପାଇଲା ନାହିଁ ଏବଂ ଶୀତ ଅଧିବେଶନ ପର୍ଯ୍ୟନ୍ତ ଏହା ଲଟକି ରହିଲା।
ସେପ୍‌ଟେମ୍ବର ୧୯, ୨୦୧୮: ତିନି ତଲାକକୁ ଅପରାଧ ଶ୍ରେଣୀଭୁକ୍ତ କରାଯିବା ସହ ୩ ବର୍ଷ ଜେଲ୍‌ ଦଣ୍ଡ ବ୍ୟବସ୍ଥା କରାଯାଇ ଏହାକୁ କାର୍ଯ୍ୟକାରୀ କରିବା ଅଧ୍ୟାଦେଶକୁ ମଂଜୁରି ଦେଲା କ୍ୟାବିନେଟ୍।
ଡିସେମ୍ବର ୩୧, ୨୦୧୮: ରାଜ୍ୟ ସଭା ସିଲେକ୍ଟ ପ୍ୟାନେଲ ଦ୍ବାରା ତିନି ତଲାକ ବିଲ୍‌କୁ ଯାଞ୍ଚ କରାଯିବା ନିମନ୍ତେ ଦାବି କଲେ ବିରୋଧୀ ଦଳ।
ଜୁନ୍‌ ୨୦, ୨୦୧୯: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନରେ ତିନି ତଲାକ୍‌ ବିଲ୍‌ ଗୃହୀତ କରିବାକୁ ରାଜନୈତିକ ଦଳମାନଙ୍କୁ ନିବେଦନ କଲେ।
ଜୁନ୍‌ ୩୧, ୨୦୧୯: ସରକାର ମୁସ୍‌ଲିମ ମହିଳା ବିବାହ ଅଧିକାର ସୁରକ୍ଷା (ତିନି ତଲାକ୍‌) ବିଲ୍‌-୨୦୧୯କୁ ଲୋକସଭାରେ ଆଗତ କଲେ।
ଜୁଲାଇ ୨୫, ୨୦୧୯: ଏନ୍‌ଡିଏର ସଂଖ୍ୟା ଗରିଷ୍ଠତା ଯୋଗୁଁ ତିନି ତଲାକ୍‌ ବିଲ୍‌ ଲୋକସଭାରେ ଗୃହୀତ ହେଲା ଏବଂ ବିରୋଧୀ ଦଳ କକ୍ଷତ୍ୟାଗ କରିଥିଲେ।
ଜୁଲାଇ ୩୦, ୨୦୧୯: ରାଜ୍ୟସଭାରେ ଐତିହାସିକ ତିନି ତଲାକ ବିଲ୍‌ ଗୃହୀତ ହେଲା।

ସମ୍ବନ୍ଧିତ ଖବର