ନ୍ୟୁୟର୍କ: ନ୍ୟୁଜର୍ସିର ଆପାର୍ଟମେଣ୍ଟ ଭିତରେ ଜେଜେବାପା, ଜେଜେମାଆ ଓ କକାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ୨୩ ବର୍ଷୀୟ ଭାରତୀୟ ଛାତ୍ରକୁ ଗିରଫ କରାଯାଇଛି। ଅଭିଯୁକ୍ତ ଓମ୍ ବ୍ରହ୍ମଭଟ୍ଟ ତା’ର ଜେଜେ ଦିଲୀପକୁମାର ବ୍ରହ୍ମଭଟ୍ଟ (୭୨), ଜେଜେମାଆ ବିନ୍ଦୁ ବ୍ରହ୍ମଭଟ୍ଟ (୭୨) ଓ କକା ୟଶକୁମାର ବ୍ରହ୍ମଭଟ୍ଟ (୩୮)ଙ୍କୁ ଗୁଳି କରି ହତ୍ୟା କରିଥିଲା। ପୁଲିସ ପହଞ୍ଚିବା ପରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଗୁଳି ମାଡ଼ ହୋଇଥିବା ଦେଖିବାକୁ ପାଇଥିଲେ। ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ସେମାନଙ୍କର ମୃତ୍ୟୁ ଘଟିଥିଲା।
ଗୁଜରାଟର ବାସିନ୍ଦା ଓମ୍ ପୀଡ଼ିତଙ୍କ ସହ ରହୁଥିଲେ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସେ ବାସଭବନରେ ଥିବା ଦେଖିବାକୁ ପାଇଥିଲେ। ଏହି ହତ୍ୟାକାଣ୍ଡ ପାଇଁ ଓମ୍ ଅନ୍ଲାଇନ୍ରେ ଏକ ହ୍ୟାଣ୍ଡଗନ୍ କିଣିଥିବା ଜଣାପଡ଼ିଛି। ମଙ୍ଗଳବାର କୋର୍ଟରେ ହାଜର ହେବା ସମୟରେ ଓମ୍ର ଆଚରଣ ଶାନ୍ତ ଥିଲା। ଏହି ହତ୍ୟାକାଣ୍ଡ ସେ ଘଟାଇଥିବା ସ୍ବୀକାର କରିଛି। ତେବେ କେଉଁ କାରଣରୁ ସେ ଏହା କରିଛି ତାହା ସ୍ପଷ୍ଟ ହୋଇନାହିଁ। ସାଉଥ୍ ପ୍ଲେନ୍ଫିଲ୍ଡ ପୁଲିସ ବିଭାଗ ନେତୃତ୍ବରେ ତଦନ୍ତ ଜାରି ରହିଛି।