କୋଭିଡ୍‌ ଦ୍ୱିତୀୟ ଲହରରେ ଦେଶ ପାଇଁ ଆତଙ୍କ ହୋଇଛି ଟ୍ରିପଲ-ମ୍ୟୁଟାଣ୍ଟ ‘ବେଙ୍ଗଲ ଷ୍ଟ୍ରେନ୍‌’; ଓଡ଼ିଶାରେ ବି ବଢ଼ୁଛି ଚିନ୍ତା

କୋଲକାତା: ଦେଶରେ କୋଭିଡ୍‌ର ଦ୍ୱିତୀୟ ଲହର ସଂପ୍ରତି ଏକ ସଂଗିନ୍‌ ସ୍ଥିତି ସୃଷ୍ଟି କରିଛି। ଏ ପରିସ୍ଥିତିରେ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର କଲ୍ୟାଣରେ ସଂକ୍ରମଣର କାରଣ ପାଲଟିଥିବା କୋଭିଡ- ୧୯ ଭୂତାଣୁ ଏକ ସ୍ୱଦେଶୀ ଟ୍ରିପଲ-ମ୍ୟୁଟେସନ ବା ତିନିଥର ରୂପାନ୍ତରିତ ହୋଇଥିବା (ଇ.୧.୬୧୮) ଭୂତାଣୁ ବୋଲି ଜଣାପଡିବା ପରେ ବିଶେଷଜ୍ଞମାନଙ୍କର ଚିନ୍ତା ବଢ଼ିଯାଇଛି। ଏହାକୁ ପଶ୍ଚିମବଙ୍ଗରୁ ଉଦଭୂତ ଏବଂ ବ୍ୟାପକ ହୋଇଥିବାରୁ ଏହାକୁ କୋଭିଡ୍-୧୯ର ‘ବେଙ୍ଗଲ ଷ୍ଟ୍ରେନ୍‌’ ବୋଲି କୁହାଯାଉଛି। ସୂଚନା ଅନୁସାରେ, ଓଡ଼ିଶରେ ହୁ ହୁ ହୋଇ ବଢ଼ୁଥିବା କରୋନା ସଂକ୍ରମଣ ଏହି ଷ୍ଟ୍ରେନ୍ କାରଣରୁ ସଂଘଠିତ ବୋଲି ଗବେଷକମାନେ ଅନୁମାନ କରୁଛନ୍ତି।

ଗବେଷକଙ୍କ ଅନୁସାରେ, ଏହି ‘ବେଙ୍ଗଲ ଷ୍ଟ୍ରେନ୍‌’ ଅଧିକ ସଂକ୍ରାମକ ଓ ଘାତକ ହେବା ସହ କୋଭିଡ୍‌ର ସମସ୍ତ ସୁରକ୍ଷା ବଳୟକୁ ଭେଦ କରିବାର ସାମର୍ଥ୍ୟ ରଖିଛି। ପୁଣି, ମହାରାଷ୍ଟ୍ରର କଲ୍ୟାଣରେ ସଂପ୍ରତି ଏହି ଭୂତାଣୁ କାୟା ବିସ୍ତାର କରିବା ସହ ଆତଙ୍କ ଖେଳାଇଛି। ଏ ପରିସ୍ଥିତିରେ ପଶ୍ଚିମବଙ୍ଗର ପଡ଼ୋଶୀ ରାଜ୍ୟ ଥିବା ଆମ ଓଡ଼ିଶା ପାଇଁ ମଧ୍ୟ ଭୟର କାରଣ ହୋଇଛି।

bbc.com

ଉଲ୍ଲେଖଯୋଗ୍ୟ, ଗତ ମାସରେ ଦେଶରୁ ଡବଲ-ମ୍ୟୁଟେସନ ବା ଦ୍ୱୈତ ରୂପାନ୍ତରିତ (ଇ.୧.୬୧୭) କୋଭିଡ୍‌ ଭୂତାଣୁ ଚିହ୍ନଟ ହେବାପରେ ଏବେ ପଶ୍ଚିମବଙ୍ଗରୁ ଚିହ୍ନଟ ହୋଇଥିବା ଟ୍ରିପଲ- ମ୍ୟୁଟେସନ (ଇ.୧.୬୧୮) କୋଭିଡ୍‌ ଭୂତାଣୁକୁ ଗବେଷକମନେ ‘ବେଙ୍ଗଲ ଷ୍ଟ୍ରେନ୍‌’ ବୋଲି ନାମିତ କରିଛନ୍ତି। ଏଥିସହ ଏହା ଅଧିକ ସଂକ୍ରାମକ ଓ ଘାତକ ହୋଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରୁଛନ୍ତି।

ଏହି ଭୂତାଣୁ ଚିହ୍ନଟ ହୋଇଥିବା କୋଭିଡ୍‌ ଆକ୍ରାନ୍ତମାନଙ୍କୁ ଅନୁଶୀଳନ ଓ ଅନୁଧ୍ୟାନ କରି ବିଶେଷଜ୍ଞ ଗୋଷ୍ଠୀ ଜାଣିବାକୁ ପାଇଛନ୍ତି ଯେ ଏ ନୂତନ ଭୂତାଣୁ ଭୟଙ୍କର ଭାବେ ମାରାତ୍ମକ ଓ ସଂକ୍ରମକ ହେବା ସହ ଦ୍ରୁତ ଗତିରେ ନିଜର ବଂଶ ବିସ୍ତାର କରିଥାଏ। ପୁଣି ବ୍ୟକ୍ତିର ‘ଇମ୍ୟୁନିଟି’ ସ୍ତର ବା ‘ଆଣ୍ଟିବଡି’ ସ୍ତର ଯେତେ ଶକ୍ତ ଥିଲେ ବି ଏହି ଭୂତାଣୁ ତାକୁ ସଂକ୍ରମିତ କରିବାରେ ସମର୍ଥ ହୋଇଥାଏ। ପୁଣି, ଟିକାକରଣ ହୋଇଥିବା ବ୍ୟକ୍ତିକୁ ମଧ୍ୟ ଏହି ଭୂତାଣୁ ସଂକ୍ରମିତ କରିପକାଉଛି। ଏହି କାରଣରୁ, କୋଭିଡ୍‌ର ସମସ୍ତ ସୁରକ୍ଷା ବଳୟକୁ ଭେଦ କରିବାର ସାମର୍ଥ୍ୟ ରଖିଥିବା ଏହି ନୂତନ ‘ବେଙ୍ଗଲ ଷ୍ଟ୍ରେନ୍‌’ ଗବେଷକମାନଙ୍କ ଚିନ୍ତା ବଢ଼ାଇବା ସହ ଏହାର ମୁକାବିଲା କିପରି କରାଯିବ ତାହା ବର୍ତ୍ତମାନ ଏକ ଆହ୍ଵାନ ପାଲଟିଛି।

ସମ୍ବନ୍ଧିତ ଖବର