ନୂଆଦିଲ୍ଲୀ: କୋଭିଡ୍-୧୯ର ଦ୍ୱିତୀୟ ଲହର ସଂପ୍ରତି ଦେଶରେ ଏକ ସଙ୍ଗିନ୍ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏବେ ଦେଶରେ ଚିହ୍ନଟ ହୋଇଛି କୋଭିଡ୍ ଭୂତାଣୁର ଏକ ନୂଆ ଟ୍ରିପଲ୍ ମ୍ୟୁଟାଣ୍ଟ (ତିନିଥର ରୂପାନ୍ତରିତ ବା ପରିବର୍ତ୍ତିତ ହୋଇଥିବା) ପ୍ରଜାତି। ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ର କରୋନା ଆକ୍ରାନ୍ତ ରୋଗୀମାନଙ୍କ ନିକଟରେ କୋଭିଡ୍ ଭୂତାଣୁର ଏହି ନୂତନ ଟ୍ରିପଲ୍ ମ୍ୟୁଟାଣ୍ଟ ପ୍ରକାର ବା ପ୍ରଜାତି ଦେଖିବାକୁ ମିଳିଛି। ବିଶେଷଜ୍ଞମାନେ କହିଛନ୍ତି ଯେ କୋଭିଡ୍ ସଂକ୍ରମଣ ମାମଲାଗୁଡ଼ିକର ଦ୍ରୁତ ବୃଦ୍ଧି ପଛରେ ରହିଛି ଭୂତାଣୁର ଏହି ନୂଆ ପ୍ରକାର। ଫଳ ସ୍ୱରୂପ ଏହି ‘ଟ୍ରିପଲ ମ୍ୟୁଟାଣ୍ଟ ଭାରିଆଣ୍ଟ’ ଦେଶ ପାଇଁ ଏକ ନୂତନ ବିପଦ ସୃଷ୍ଟି କରିଛନ୍ତି।
ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ, ‘ଡବଲ୍ ମ୍ୟୁଟାଣ୍ଟ ଭାଇରସ୍’ ବା ଦ୍ୱୈତ ରୂପାନ୍ତରିତ କୋଭିଡ୍ ଭୂତାଣୁ ସଂକ୍ରମଣର ଦ୍ରୁତ ବୃଦ୍ଧି ପଛରେ ଏକ ମୁଖ୍ୟ କାରଣ ରହିଥିଲା ବୋଲି କୁହାଯାଉଥିଲା। କୋଭିଡ୍-୧୯ ଭୂତାଣୁର ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ସମେତ ସମଗ୍ର ବିଶ୍ୱରେ ଅନେକ ପରିବର୍ତ୍ତନ ହୋଇଛି। ଭୂତାଣୁଙ୍କର ଦୁଇ ବା ଅଧିକ ଷ୍ଟ୍ରେନ୍ ମିଳିତ ହୋଇ ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ସହିତ ନିଜର ଏକ ନୂତନ ପ୍ରଜାତି ଗଠନ କରିଛନ୍ତି।
ତେବେ, ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ ଏବଂ ଛତିଶଗଡ ସମେତ କେତେକ ରାଜ୍ୟରେ କୋଭିଡ୍ ରୋଗୀମାନଙ୍କ ଠାରେ ଟ୍ରିପଲ୍ ମ୍ୟୁଟାଣ୍ଟ ପ୍ରକାର ଚିହ୍ନଟ ହୋଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ସର୍ବଭାରତୀୟ ସ୍ତରରେ କୋଭିଡ୍ ସଂକ୍ରମଣର ଦ୍ରୁତ ବୃଦ୍ଧି ପଛରେ ରହିଛି ଭୂତାଣୁର ଏହି ନୂତନ ପ୍ରକାର। ଏହାପୂର୍ବରୁ ଆଜି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କହିଛି ଯେ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କୋଭିଡ୍ ଟିକା ‘କୋଭାକ୍ସିନ୍’ କୋଭିଡ୍ ଭୂତାଣୁ ସାର୍ସ- କୋଭ୍- ୨ର ଏକାଧିକ ପ୍ରକାର ବିରୁଦ୍ଧରେ ପ୍ରଭାବଶାଳୀ ଅଟେ। ଏହି ଟିକା ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନକୁ (ଦ୍ୱୈତ ରୂପାନ୍ତରିତ ଭୂତାଣୁ) ମଧ୍ୟ ନିରପେକ୍ଷ କରିଥାଏ।