ବିଲ୍‌ରେ ବିରୋଧାଭାସ ରହିଛି: ବିଜେଡି

ନୂଆଦିଲ୍ଲୀ : ତିନି ତଲାକ୍‌ ବିଲ୍‌କୁ ବିଜେଡି ଆରମ୍ଭରୁ ବିରୋଧ କରିଥିଲା। ଲୋକସଭାରେ ବିଲ୍‌ ଆଗତ ବେଳେ ବିଜେଡି ନେତା ଭର୍ତ୍ତୃହରି ମହତାବ ବିଲ୍‌ଟି ତ୍ରୁଟିପୂର୍ଣ୍ଣ ଓ ଏଥିରେ ଅନେକ ବିରୋଧାଭାସ ଥିବା ଦର୍ଶାଇ ଆବଶ୍ୟକ ସଂଶୋଧନ ସହ ଏହାକୁ ଗୃହରେ ଉପସ୍ଥାପନ କରିବା ପାଇଁ ମତ ରଖିଥିଲେ।

ଆଲୋଚନାରେ ଅଂଶ ଗ୍ରହଣ କରି ଶ୍ରୀ ମହତାବ କହିଥିଲେ ଯେ ବିଲ୍‌ର ଧାରା ୩,୪ ଓ ୭ରେ ବିରୋଧାଭାସ ରହିଛି। ଧାରା ୩ ଅନୁଯାୟୀ ତତ୍କାଳ ତିନି ତଲାକକୁ ଅବୈଧ ଘୋଷଣା କରାଯାଇଛି। କିନ୍ତୁ ପରବର୍ତୀ ଧାରା ୪ ଓ ୭ରେ କୁହାଯାଇଛି ଯେ ଏଭଳି ତଲାକ ଦେଉଥିବା ସ୍ୱାମୀକୁ ଜରିମାନା ସହିତ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ମିଳିବ। ଏହାସହିତ କ୍ଷତିଗ୍ରସ୍ତ ମହିଳାଙ୍କୁ ଭରଣପୋଷଣ ବାବଦ ଭତ୍ତା ମିଳିବ। ଧାରା ୩ ଅନୁଯାୟୀ ଯଦି ତିନି ତଲାକକୁ ବିବାହ ବିଚ୍ଛେଦ କୁହାଯିବ ନାହିଁ ତାହାହେଲେ ଭରଣପୋଷଣ କଥା ଆସିଲା କେଉଁଠୁ ବୋଲି ସେ ପ୍ରଶ୍ନ କରିଥିଲେ। କାରଣ ଭରଣପୋଷଣ ଭତ୍ତା କେବଳ ତଲାକ ପାଇଥିବା ମହିଳାଙ୍କୁ ହିଁ ମିଳିଥାଏ। ବିଲର ଏହି ଧାରା ସୁପ୍ରିମ କୋର୍ଟ ଆଦେଶର ବିରୋଧାଚରଣ କରୁଛି ବୋଲି ସେ କହିଥିଲେ। ଯେଭଳିଭାବେ ବିଲ୍‌ଟିକୁ ପ୍ରସ୍ତୁତ କରାଯାଇଛି ତାହା ତ୍ରୁଟିପୂର୍ଣ୍ଣ ବୋଲି ମହତାବ କହିଥିଲେ।

ବିଲ୍‌କୁ ତରବରିଆ ଭାବେ ଉପସ୍ଥାପନ କରାଯିବା ଦ୍ୱାରା ମୁସଲିମ୍‌ ମହିଳାଙ୍କ ପ୍ରତି ଉପକାର ହୋଇପାରିବ ନାହିଁ। ଶ୍ରୀ ମହତାବ କହିଥିଲେ, ବିଜେଡି ସର୍ବଦା ମହିଳା ସଶକ୍ତୀକରଣକୁ ସମର୍ଥନ କରେ। ତିନି ତଲାକ୍‌ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ରାୟ ଏହି ବିଲ୍‌ରେ ପ୍ରତିଫଳିତ ହେବାର ଆବଶ୍ୟକତା ରହିଛି ବୋଲି ସେ ମତ ରଖିଥିଲେ।

ମହତାବ ପୁଣି ପ୍ରଶ୍ନ କରିଥିଲେ ଆଜିର ସମୟରେ ତିନି ତଲାକ୍‌ର ଆଇନଗତ ଆଧାର ଅଛି କି? ପ୍ରସ୍ତାବିତ ବିଲ୍‌ ଦ୍ୱାରା ଅନେକ ମାମଲା ନ୍ୟାୟାଳୟକୁ ଆସିବ ତେଣୁ ବିଲ୍‌କୁ ସଂଶୋଧନ କରାଯାଇ ଉପସ୍ଥାପନ କରାଯିବା ଉଚିତ୍‌। ବିଲ୍‌ର ଧାରା ୩,୪ ଓ ୭ରେ ସଂଶୋଧନର ଆବଶ୍ୟକତା ରହିଥିବା ସେ କହିଥିଲେ।

ଅପରପକ୍ଷେ ବିଲ୍‌ ସମ୍ପର୍କରେ ଆଲୋଚନା ଆରମ୍ଭ ହେବା ସମୟରେ ବିଜେଡି ପକ୍ଷରୁ ଲୋକସଭାରେ ମୁଖ୍ୟ ସଚେତକ ତଥାଗତ ଶତପଥୀ ଏହି ବିଲ୍‌କୁ ନେଇ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ବିଜେଡି ଏହି ଛାଡପତ୍ର ଆଇନକୁ ବିରୋଧ କରୁନାହିଁ, ସମର୍ଥନ କରୁଛି। ତେବେ କେବଳ ବିଧେୟକ ଆଇନରେ ପରିଣତ ହୋଇଗଲେ ସମସ୍ୟାର ସମାଧାନ ହୁଏନାହିଁ ବରଂ ତୃଣମୂଳ ସ୍ତରରୁ କ୍ରିୟାନ୍ଵୟନର ଆବଶ୍ୟକତା ରହିଛି ବୋଲି ସେ ଯୁକ୍ତି ରଖିଥିଲେ। ସେ କହିଥିଲେ, ଗତ ୧୦ ବର୍ଷରୁ ସଂସଦରେ ଏମିତି ଅନେକ ଆଇନ ଗୃହୀତ କରାଯାଇଛି ଯେଉଁଥିରୁ ଅଧିକାଂଶ ଆର୍ଥିକ ସମ୍ବନ୍ଧିତ ବିଲ୍‌। ସିଭିଲ୍‌ ମାମଲାରେ ଅପରାଧିକ ମାମଲା ଶ୍ରେଣୀଭୁକ୍ତ କରିବା ଯୋଗୁଁ ସରକାରୀ କଳର ଦୁରୂପଯୋଗ ହେବାର ଆଶଙ୍କା ରହିଛି। ଅପରାଧିକ ମାମଲା ଶ୍ରେଣୀଭୁକ୍ତ କରିବା ଯୋଗୁଁ ତ୍ୱରିତ ତିନି ତଲାକ୍‌ ପ୍ରତି ଅଙ୍କୁଶ ଲାଗିବ ବୋଲି କ’ଣ ଗ୍ୟାରେଣ୍ଟି ଅଛି ବୋଲି ସେ ପ୍ରଶ୍ନ କରିଥିଲେ। ତିନି ତଲାକ ବିଲ୍‌କୁ ବାଚନିକ ଭୋଟ୍‌ରେ ପାସ୍‌ କରାଯାଇଥିଲା। ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବଙ୍କ ଦ୍ୱାରା ଆଗତ ସଂଶୋଧନ ପ୍ରସ୍ତାବ କାଟ୍‌ ଖାଇଥିଲା।

ସମ୍ବନ୍ଧିତ ଖବର