ନୂଆଦିଲ୍ଲୀ: ତିନି ତଲାକ ବିଲ୍ ଆଜି ଦ୍ୱିତୀୟ ଦିନରେ ମଧ୍ୟ ରାଜ୍ୟସଭାରେ ଗୃହୀତ ହୋଇପାରିନାହିଁ। ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ବିଲ୍୍କୁ ଜୋର୍ଦାର ବିରୋଧ କରି ଏଥିରେ ସଂଶୋଧନ ପାଇଁ ସିଲେକ୍ଟ କମିଟିକୁ ପଠାଇବା ଦାବିରେ ବିରୋଧୀ ଦଳଗୁଡ଼ିକ ଅଟଳ ରହିଛନ୍ତି। ଅନ୍ୟପକ୍ଷରେ ବିଲ୍କୁ ସିଲେକ୍ଟ କମିଟିକୁ ପଠାଇବାର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ ବୋଲି ସରକାର ଯୁକ୍ତି ବାଢ଼ିଛନ୍ତି। ଆସନ୍ତାକାଲି ସଂସଦର ଶୀତ ଅଧିବେଶନ ଶେଷ ହେଉଥିବା ବେଳେ ଏହି ବିଲ୍ ଗୃହୀତ ହେବାର ସମ୍ଭାବନା ଦେଖିବାକୁ ମିଳୁନାହିଁ। ସରକାରଙ୍କ ହାତରେ ଏବେ କେବଳ ଗୋଟିଏ ଦିନ ରହିଯାଇଛି। ଆସନ୍ତାକାଲି ମଧ୍ୟ ଏଭଳି ସ୍ଥିତି ବଳବତ୍ତର ରହିଲେ ସରକାର ବିଲ୍କୁ ସିଲେକ୍ଟ କମିଟିକୁ ପଠାଇବାକୁ ବାଧ୍ୟ ହେବେ ବୋଲି କୁହାଯାଉଛି। ଆଜି ମଧ୍ୟ ରାଜ୍ୟସଭାରେ ବିଲ୍କୁ ନେଇ ବିତର୍କ ଚାଲିଥିବା ବେଳେ ଜୋର୍ଦାର ହଙ୍ଗାମା ଯୋଗୁଁ ଗୃହକୁ କାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା।
ମୁସ୍ଲିମ ମହିଳାଙ୍କ ବିବାହ ସୁରକ୍ଷା ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ସରକାର ନୂତନ ଆଇନ ପ୍ରଣୟନ କରିବା ନିମନ୍ତେ ଆଣିଥିବା ଏହି ବିଲ୍ ଲୋକସଭାରେ ଗୃହୀତ ହୋଇଥିବା ବେଳେ ରାଜ୍ୟସଭାରେ କଡ଼ା ବିରୋଧର ସମ୍ମୁଖୀନ ହୋଇଛି। ରାଜ୍ୟସଭାରେ ଏନ୍ଡିଏର ସଂଖ୍ୟା ଗରିଷ୍ଠତା ନଥିବା ବେଳେ ସହଯୋଗୀ ଦଳ ତେଲୁଗୁ ଦେଶମ ମଧ୍ୟ ବିଲ୍କୁ ବିରୋଧ କରୁଛି। ବିଲ୍କୁ ସଂସଦର ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରି କଂଗ୍ରେସ ନେତୃତ୍ୱରେ ସମସ୍ତ ବିରୋଧୀ ଦଳ ଏକଜୁଟ ହୋଇଥିବାରୁ ଏବେ ସରକାରଙ୍କ ଅଡ଼ୁଆ ବଢ଼ିଛି। ଶାସକ ଓ ବିରୋଧୀ ଦଳ ନିଜ ନିଜ ଜିଦ୍ରେ କାଏମ ରହି ହଙ୍ଗାମା ଜାରି ରଖିବାରୁୁ ଏ ବାବଦରେ ଦୁଇଦିନ ହେଲା କୌଣସି ଅଗ୍ରଗତି ହୋଇପାରୁ ନାହିଁ। ଆସନ୍ତାକାଲି ଜିଏସ୍୍ଟି ସଂଶୋଧନ ବିଲ୍ ରାଜ୍ୟସଭାରେ ଆସିବାକୁ ଥିବା ବେଳେ ତିନି ତଲାକ୍ ବିଲ୍ର ଭାଗ୍ୟ ଅନିଶ୍ଚିତତା ଭିତରକୁ ଚାଲିଯିବା ଆଶଙ୍କା ଉପୁଜିଛି। ସୁପ୍ରିମ୍ କୋର୍ଟ ତିନି ତଲାକକୁ ଅସାମ୍ବିଧାନିକ ଘେଷଣା କରି ୬ ମାସ ମଧ୍ୟରେ ଏ ବାବଦରେ ଆଇନ ଲାଗୁ କରିବାକୁ କହିଥିଲେ। ଏହାର ଅବଧି ୨୨ ଫେବ୍ରୁଆରିରେ ଶେଷ ହେଉଛି। ସରକାର ସଂଖ୍ୟାଗରିଷ୍ଠତା ଯୋଗୁଁ ତିନି ତଲାକ୍ ବିଲ୍କୁ ଲୋକସଭାରେ ସୁରୁଖୁରୁରେ ଗୃହୀତ କରାଇବାରେ ସକ୍ଷମ ହୋଇଥିବା ବେଳେ ଏ ବାବଦ କୌଣସି ସଂଶୋଧନ ପ୍ରସ୍ତାବକୁ ଗ୍ରହଣ କରିନଥିଲେ। ତେବେ ରାଜ୍ୟସଭାରେ ଏବେ ସରକାରଙ୍କ ଅସହାୟତା ସାମ୍ନାକୁ ଆସିଛି। ସିଲେକ୍ଟ କମିଟିରେ ଥିବା ଅଧିକାଂଶ ନେତା ବିଲ୍କୁ ମୂଳରୁ ବିରୋଧ କରି ଆସିଥିବାରୁ ଏହାକୁ କମିଟିକୁ ପଠାଇ ସଙ୍କଟରେ ପଡ଼ିବାରୁ ସରକାର ଚାହୁନାହାନ୍ତି। ଅର୍ଥମନ୍ତ୍ରୀ ଜେଟ୍୍ଲି କହିଛନ୍ତି ଯେ ତିନି ତଲାକ ବିଲ୍ ବିରୋଧରେ ଓକିଲାତି କରୁଥିବା ନେତା ସିଲେକ୍ଟ କମିଟିରେ ରହିବା ଏକ ବଡ଼ ଅସଂଗତି। ସେମାନେ ନିଜେ ଏଭଳି କମିଟିରୁ ଓହରି ଆସିବା ଉଚିତ ବୋଲି ସେ କହିଛନ୍ତି।