ତିନିତଲାକ ବିଲ୍‌କୁ ରାଜ୍ୟସଭାରେ ଆଗତ ହେବାକୁ ଦେବୁନାହିଁ : କଂଗ୍ରେସ

ନୂଆଦିଲ୍ଲୀ : ଆସନ୍ତା ସୋମବାରଦିନ କେନ୍ଦ୍ର ସରକାର ରାଜ୍ୟସଭାରେ ତିନି ତଲାକ ବିଲ୍‌ (  ମୁସଲିମ ମହିଳା ( ବିବାହ ଅଧିକାର ସୁରକ୍ଷା) ବିଲ୍‌ ୨୦୧୮) ଆଗତ କରିବେ । ତେବେ ଏହାକୁ ପ୍ରବଳ ବିରୋଧ କରାଯିବ ଓ ପାଶ ହେବାକୁ ଦିଆଯିବ ନାହିଁ ବୋଲି କଂଗ୍ରେସ କହିଛି । ବିଲ୍‌ର ବର୍ତ୍ତମାନ ସ୍ୱରୂପରେ କେତେକ ତ୍ରୁଟି ରହିଛି ଓ ଏହାକୁ ସିଲେକ୍ଟ କମିଟିକୁ ପଠାଯାଉ ବୋଲି କଂଗ୍ରେସ ଓ ଅନ୍ୟ ବିରୋଧୀଦଳମାନେ ଦାବି କରୁଛନ୍ତି । ଏହି ବିଲକୁ ଆଗତ ହେବାକୁ ଦିଆଯିବ ନାହିଁ ବୋଲି ଏଆଇସିସିଇ ମହାସଚିବ କେସି ଭେନୁଗୋପାଳ କହିଛନ୍ତି ।

ଗତ ଗୁରୁବାରଦିନ ଲୋକସଭାରେ ବହୁଚର୍ଚ୍ଚିତ ତିନି ତଲାକ ବିଲ୍‌ ପାଶ ହୋଇଥିଲା । ବିଲର ସପକ୍ଷରେ ୨୪୫ଟି ଭୋଟ ପଡିଥିବାବେଳେ ବିପକ୍ଷରେ ମାତ୍ର ୧୧ଟି ଭୋଟ ପଡିଥିଲା । ତେବେ ଏହି ବିଲକୁ ସିଲେକ୍ଟ କମିଟିକୁ ପଠାନଯିବାରୁ କଂଗ୍ରେସ, ଏଆଇଡିଏମକେ, ଟିଏମସି ଓ ଆରଜେଡି ଭୋଟ ପୂର୍ବରୁ କକ୍ଷ ତ୍ୟାଗ କରିଥିଲେ ।  ଏହି ବିଲ ପାଇଁ ବିରୋଧୀ ଦଳମାନେ ଅନେକ ପ୍ରକାରର ସଂଶୋଧନ ପାଇଁ ଦାବି କରିଥିଲେ ମଧ୍ୟ ସରକାର ସେଥିଲାଗି ରାଜି ହୋଇନଥିଲେ । ଗତ ସପ୍ତାହରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମୁସଲିମ ମହିଳା ( ବିବାହ ଅଧିକାର ସୁରକ୍ଷା) ବିଲ୍‌ ୨୦୧୮କୁ ଲୋକସଭାରେ ଉପସ୍ଥାପନ କରିଥିଲେ ।

ସମ୍ବନ୍ଧିତ ଖବର