ରାଜ୍ୟସଭାରେ ମଙ୍ଗଳବାର ଆଗତ ହେବ ତିନି ତଲାକ୍‌ ବିଲ୍‌

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତିନି ତଲାକ୍‌ ବିଲ୍‌ (ମୁସ୍‌ଲିମ ମହିଳାଙ୍କ ବିବାହ ଅଧିକାର ସୁରକ୍ଷା ବିଲ୍‌-୨୦୧୭) ଗତକାଲି ଲୋକସଭାରେ ଗୃହୀତ ହୋଇଥିବା ବେଳେ ଆସନ୍ତା ମଙ୍ଗଳବାର ଦିନ ଏହା ରାଜ୍ୟସଭାରେ ଆଗତ ହେବ ବୋଲି ଜଣାଡ଼ିଛି। ରାଜ୍ୟସଭାରେ ଭାଜପା ମେଣ୍ଟ ଅପେକ୍ଷା କଂଗ୍ରେସ ଏବଂ ଏହାର ସହଯୋଗୀ ଦଳର ସଦସ୍ୟଙ୍କ ସଂଖ୍ୟା ଏବେ ବି ଅଧିକ ରହିଥିବାରୁ ଏହି ବିଲ୍‌ ସହଜରେ ଗୃହୀତ ହେବା ଆଶା କମ୍‌ ରହିଛି। ତେବେ କଂଗ୍ରେସ ଏବେ ନରମ ହିନ୍ଦୁତ୍ୱ ଆଡ଼କୁ ମୁହାଁଇଥିବା ଏବଂ ଲୋକସଭାରେ ଏହାକୁ ସର୍ତ୍ତମୂଳକ ସମର୍ଥନ କରିଥିବାରୁ ରାଜ୍ୟସଭାରେ ସମର୍ଥନ କଲେ ତିନି ତଲାକ୍‌ ବିଲ୍‌ ଆଇନରେ ପରିଣତ ହେବାରେ ଆଉ କୌଣସି ବଡ଼ ପ୍ରତିବନ୍ଧକ ରହିବ ନାହିଁ। ରାଜ୍ୟସଭାରେ ଏହି ବିଲ୍‌କୁ ପାରିତ କରାଇବା ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଂଜ ହୋଇଛି। ତେବେ ବିଲ୍‌ ସପକ୍ଷରେ ସୃଷ୍ଟି ହୋଇଥିବା ଜନମତକୁ ଦେଖି ଏହାକୁ ବିରୋଧୀ ଦଳମାନେ ସମର୍ଥନ କରିବେ ବୋଲି ସରକାର ଆଶା ରଖିଛନ୍ତି। ଲୋକସଭାରେ ସବୁ ସଂଶୋଧନ ପ୍ରସ୍ତାବକୁ ଖାରଜ କରି ଏହି ବିଲ୍‌୍‌ ଗୃହୀତ ହୋଇଥିବା ବେଳେ ରାଜ୍ୟସଭାରେ କିନ୍ତୁ ଏହି ସ୍ଥିତି ରହିବ ନାହିଁ ଏବଂ ସରକାରଙ୍କୁ ସଂଶୋଧନ ପ୍ରସ୍ତାବ ଗ୍ରହଣ କରିବାକୁ ପଡ଼ିବ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ବିଲ୍‌କୁ ସମର୍ଥନ କରିବା ପାଇଁ ଭାରତୀୟ ମୁସ୍‌୍‌ଲିମ ମହିଳା ଆନ୍ଦୋଳନ ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଅନ୍ୟ ବିରୋଧୀ ଦଳ ନେତାଙ୍କୁ ପତ୍ର ଲେଖାଯାଇଛି ।

ସମ୍ବନ୍ଧିତ ଖବର