ତିନି ତଲାକ୍‌ ବିଲ୍‌ ଲୋକସଭାରେ ଗୃହୀତ

୨୪୫-୧୧ ଭୋଟ୍‌ରେ ଅନୁମୋଦନ, ବିରୋଧୀ ଦଳଙ୍କ କକ୍ଷତ୍ୟାଗ, ରାଜ୍ୟସଭାରେ ଅସଲି ପରୀକ୍ଷା

ନୂଆଦିଲ୍ଲୀ : ବିବାଦୀୟ ତିନି ତଲାକ ବିଲ୍ ଆଜି ଲୋକସଭାରେ ଗୃହୀତ ହୋଇଛି। ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ୍ର ଧରି ସରଗରମ ଆଲୋଚନା ହୋଇଥିଲା। ତିନି ତଲାକକୁ ଦଣ୍ଡନୀୟ ଅପରାଧ କରିବା ଲାଗି ବିଲରେ ରହିଥିବା ବ୍ୟବସ୍ଥାକୁ ବିରୋଧୀ ଦଳ ବିରୋଧ କରିଥି‌େଲ। ବିଲକୁ ଯୁଗ୍ମ ସିଲେକଟ କମିଟିକୁ ପଠାଇବା ଲାଗି ଦାବି କରିଥିଲେ। କିନ୍ତୁ ବିରୋଧୀ ଦଳର ଦାବିକୁ ସରକାର ଶୁଣିନଥିଲେ। ଏଥିରେ ସଂଶୋଧନ ଲାଗି ବି‌େେଡି ଏବଂ ଅନ୍ୟ କେତେକ ଦଳ ପ୍ରସ୍ତାବ ଦେଇଥିଲେ। କିନ୍ତୁ ବାଚନିକ ଭୋଟ‌େର ଏହା କାଟ୍ ଖାଇଥିଲା। ଏହାସହିତ ବିଲ ୨୪୫-୧୧ ଭୋଟରେ ଗୃହୀତ ହୋଇଥିଲା। ତେବେ ବିଲ ପାଇଁ ଭୋଟ ଗ୍ରହଣ ପୂର୍ବରୁ ବିଜେଡି, କଂଗ୍ରେସ, ଆନ୍ନାଡିଏମକେ, ଡିଏମକେ, ଟିଏମସି, ଆରଜେଡି ଓ ସମାଜବା‌ଦୀ ପାର୍ଟି କକ୍ଷତ୍ୟାଗ କରିଥିଲେ।

ଏହା ଏକ ମାନବିକତାର ପ୍ରଶ୍ନ ହୋଇଥିବାରୁ ଏହାକୁ ରାଜନୈତିକ ରୂପ ନଦେବା ଲାଗି କେନ୍ଦ୍ର ଆଇନ ମନ୍ତ୍ରୀ ବିରୋଧୀ ଦଳଙ୍କୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ବିରୋଧୀ ଦଳ ଅଭିଯୋଗ କରିଥିଲେ ‌େଯ ମୁସଲିମ ମହିଳାମାନଙ୍କୁ ନ୍ୟାୟ ଦେବା ପରିବ‌େର୍ତ ମୁସଲିମ ପୁରୁଷମାନଙ୍କୁ ଜେଲଦଣ୍ଡ ଦେବା ହେଉଛି ଏହି ବିଲର ଉଦ୍ଦେଶ୍ୟ।

ମୁସ୍‌ଲିମ୍‌ ମହିଳା ବିବାହ ଅଧିକାର ସଂରକ୍ଷଣ ବିଲ୍‌ (ତିନି ତଲାକ୍‌) -୨୦୧୮ରେ ନାମିତ ଏହି ବିଲ୍ ଏବେ ବିଚାର ଓ ଅନୁମୋଦନ ପାଇଁ ରାଜ୍ୟସଭାକୁ ଯିବ। ଏଠାରେ ଅସଲ ପରୀକ୍ଷାର ସମ୍ମୁଖୀନ ‌େହବ। କାରଣ ଗୃହରେ କ୍ଷମତାସୀନ ବିଜେପି ମେଣ୍ଟର ସଂଖ୍ୟାଗରିଷ୍ଠତା ନାହିଁ।

ପତ୍ନୀ ସହ ସଂପର୍କ ତୁଟାଇବା ଲାଗି ଏକାଥରକେ ତିନି ତଲାକ ଉଚ୍ଚାରଣକୁ ଉକ୍ତ ବିଲରେ ଦଣ୍ଡନୀୟ ଅପରାଧ କରାଯାଇଛି। ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ସଂପୃକ୍ତ ବ୍ୟକ୍ତିକୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ମିଳିବ। ଆର୍ଥିକ ଜରିମାନା ମଧ୍ୟ କରାଯିବ। ଏହି ମାମଲାରେ କେବଳ ପତ୍ନୀ କିମ୍ବା ତାଙ୍କର ନିକଟ ସଂପର୍କୀୟ ଅଭିଯୋଗ କରିପାରିବେ। ସଂପୃ୍କ୍ତ ବ୍ୟକ୍ତି ଗିରଫ ହେଲେ ତାଙ୍କୁ କେବଳ ମାଜିଷ୍ଟ୍ରେଟ ହିଁ ଜାମିନ ଦେଇପାରିବେ। ତେବେ ବୁଝାମଣା ଦ୍ବାରା ପତ୍ନୀ ଏହି ମାମଲା ପ୍ରତ୍ୟାହାର କରିପାରି‌େବ ବୋଲି ବିଲରେ ବ୍ୟବସ୍ଥା ରହିଛି। ତଲାକ ପାଇଥିବା ପତ୍ନୀଙ୍କ ପାଇଁ ଭରଣପୋଷଣର ମଧ୍ୟ ବ୍ୟସ୍ଥା କରାଯାଇଛି।

ତିନି ତଲାକ ବିଲକୁ ଫୌଜଦାରୀ ମାମଲାରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ବିରୋଧୀ ଦଳମାନେ ଏହାର ବିରୋଧ କରିଥିଲେ। ସେମାନେ ଯୁକ୍ତି କରିଥିଲେ ଯେ ଅନ୍ୟ କୌଣସି ଧର୍ମରେ‌ ଛାଡ଼ପତ୍ର ମାମଲାରେ ଫୌଜଦାରୀ ଦଣ୍ଡ ନଥିବା ବେଳେ ମୁସଲିମମାନଙ୍କ ପ୍ରତି ପାତରଅନ୍ତର କାହିଁକି କରାଯାଉଛି। କିନ୍ତୁ ସରକାର ସେମାନଙ୍କ ଯୁକ୍ତିକୁ ଶୁଣି ନଥିଲେ। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ଯେ ଏହି ବିଲ୍ କୌଣସି ଧର୍ମ ବିରୋଧରେ ଉଦ୍ଦିଷ୍ଟ ନୁହେଁ। ସୁପ୍ରିମ କୋର୍ଟ ଏପରି ପ୍ରଥାକୁ ଅସାମ୍ବିଧାନିକ ଓ ଇସଲାମ ବିରୋଧୀ ବୋଲି ରାୟ ଦେଇଛନ୍ତି। ଏହି ସମୟରେ ବିରୋଧୀ ଦଳର ସଭ୍ୟମାନେ ଅଭିଯୋଗ କରିଥିଲେ ଯେ ସରକାର ସୁପ୍ରିମ କୋର୍ଟ ରାୟର ଭୁଲ ତର୍ଜମା କରୁଛନ୍ତି।

୨୦ଟି ଇସ୍‌ଲାମିକ୍‌ ରାଷ୍ଟ୍ର ତିନି ତଲାକ୍‌କୁ ନିଷିଦ୍ଧ କରିଥିବା ବେଳେ ଭାରତ ଭଳି ଧର୍ମନିରପେକ୍ଷ ରାଷ୍ଟ୍ର ଏହାକୁ କାହିଁକି ନିଷିଦ୍ଧ କରିବ ନାହିଁ ବୋଲି ମନ୍ତ୍ରୀ ପ୍ରଶ୍ନ କରିଥିଲେ। ରାଜନୈତିକ ଦୃଷ୍ଟିକୋଣରୁ ଏହାକୁ ନଦେଖି ଏହାକୁ ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ଦେଖିବା ପାଇଁ ସେ କହିଥିଲେ। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଥିଲେ ଯେ ସତୀପ୍ରଥାକୁ ଯେଭଳି ଶେଷ କରାଯାଇଥିଲା, ତିନି ତଲାକ୍‌ ପ୍ରଥାକୁ ମଧ୍ୟ ଶେଷ କରାଯିବ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍‌ତାର ଅବ୍ବାସ୍‌ ନକ୍‌ଭି କହିଥିଲେ ଯେ ଇସ୍‌ଲାମିକ୍‌ ରାଷ୍ଟ୍ରମାନେ ବହୁ ଦଶନ୍ଧି ପୂର୍ବରୁ ତିନି ତଲାକ୍‌ ଭଳି କଳଙ୍କିତ ପ୍ରଥାକୁ ହଟାଇ ସାରିଛନ୍ତି। ଏହି ମାମଲା ଇସ୍‌ଲାମ ଧର୍ମ ସହ ସମ୍ପୃକ୍ତ ନୁହେଁ। ଏହା ଏକ ସାମାଜିକ କଳଙ୍କ ‌ହୋଇଥିବାରୁ ଏହାର ପରିସମାପ୍ତି ଜରୁରୀ ବୋଲି ସେ କହିଥିଲେ।

ସୂଚନାଯାଗ୍ୟ, ପୂର୍ବରୁ ଡିସେମ୍ବର ୨୦୧୭ରେ ତିନି ତଲାକ୍‌ ବିଲ୍‌ ଲୋକସଭାରେ ଗୃହୀତ ହୋଇଥିଲା। କିନ୍ତୁ ରାଜ୍ୟସଭାରେ ଗୃହୀତ ହୋଇନପାରିବାରୁ ସରକାରଙ୍କୁ ଅଧ୍ୟାଦେଶ ଆଣିବାକୁ ପଡ଼ିଥିଲା। ଲୋକସଭା‌ରେ ପୁଣି ଥରେ ଆଗତ ହୋଇଥିବା ଏହି ବିଲରେ ତିନିଟି ସଂଶୋଧନ କରାଯାଇଛି। ପ୍ରଥମ ସଂଶୋଧନ: ମୂଳ ତିନି ତଲାକ୍‌ ବିଲ୍‌ରେ ବ୍ୟବସ୍ଥା ଥିଲା ଯେ ଏହି ମାମଲାରେ ଯେ କେହି ବି ମକଦ୍ଦମା ରୁଜୁ କରିପାରିବ। ପୁଲିସ ନିଜ ଆଡୁ ମଧ୍ୟ ମାମଲା ରୁଜୁ କରିପାରିବ। କିନ୍ତୁ ନୂଆ ସଂଶୋଧନରେ କେବଳ ପୀଡ଼ିତା ଏବଂ ନିକଟ ସମ୍ପର୍କୀୟମାନେ ହିଁ ମାମଲା ରୁଜୁ କରିପାରିବେ ବୋଲି ବ୍ୟବସ୍ଥା ରହିଛି। ଦ୍ବିତୀୟ ସଂଶୋଧନ: ପୂର୍ବରୁ ତିନି ତଲାକ୍‌କୁ ଜାମିନବିହୀନ ଅପରାଧ ଶ୍ରେଣୀରେ ରଖାଯାଇଥିଲା। ପୁଲିସ ବିନା ୱାରେଣ୍ଟରେ ଗିରଫ କରିପାରିବ ବୋଲି ବ୍ୟବସ୍ଥା ଥିଲା। କିନ୍ତୁ ଏବେ ନୂଆ ସଂଶୋଧନରେମାଜିଷ୍ଟ୍ରେଟଙ୍କୁ ଜାମିନ କ୍ଷମତା ଦିଆଯାଇଛି। ତୃତୀୟ ସଂଶୋଧନ: ତିନି ତଲାକ୍‌ ବିଲ୍‌ରେ ପୂର୍ବରୁ ରହିଥିବା ବ୍ୟବସ୍ଥା ଅନୁସାରେ ବୁଝାମଣାର କୌଣସି ବାଟ ନଥିଲା। କିନ୍ତୁ ଏବେ ନୂଆ ସଂଶୋଧନ ଅନୁଯାୟୀ ବିଚାରପତିଙ୍କ ସମ୍ମୁଖରେ ପତି-ପତ୍ନୀଙ୍କ ମଧ୍ୟରେ ବୁଝାମଣା ପାଇଁ ବାଟ ଖୋଲାରହିଛି।

ସମ୍ବନ୍ଧିତ ଖବର