ତତ୍କାଳ ତଲାକ୍‌ ଏବେ ଅପରାଧ

ଚିଠା ବିଲ୍‌କୁ କ୍ୟାବିନେଟ୍‌ ମୋହର, ତିନିବର୍ଷ ଜେଲ୍‌

ସଂସଦର ଶୀତ ଅଧିବେଶନରେ ଆଗତ ହେବ

ନୂଆଦିଲ୍ଲୀ : ତତ୍କାଳ ତିନି ତଲାକ ପ୍ରଥାକୁ ଅପରାଧ ବୋଲି ବିଚାର କରାଯିବ। ଏସଂକ୍ରାନ୍ତ ଚିଠା ବିଲକୁ ଆଜି କେନ୍ଦ୍ର କ୍ୟାବିନେଟ ମଂଜୁରି ଦେଇଛି। ଏହାକୁ ଆଇନରେ ପରିଣତ କରିବା ପାଇଁ ସଂସଦର ଚଳିତ ଶୀତକାଳୀନ ଅଧିବେଶନରେ ବିଲ୍‌ ଆଗତ କରାଯିବ। ମୁସ୍‌ଲିମ ମହିଳା ବିବାହ ସୁରକ୍ଷା ବିଲ୍‌୍‌-୨୦୧୭ ଭାବେ ପରିଚିତ ଏହି ବିଲ୍‌ରେ ଏକା ସଂଗରେ ତିନି ତଲାକକୁ ଅପରାଧ ଭାବେ ଗ୍ରହଣ କରାଯିବା ସହ ଏଥିନିମନ୍ତେ ଦଣ୍ଡ ବ୍ୟବସ୍ଥା କରାଯାଇଛି। ଏଥିରେ ମହିଳାଙ୍କ ଭରଣପୋଷଣ ମାଗିବା ଅଧିକାର ମଧ୍ୟ ସାମିଲ ରହିଛି। ଗତ ଅଗଷ୍ଟରେ ସୁପ୍ରିମ୍‌ କୋର୍ଟ ତିନି ତଲାକକୁ ବେଆଇନ ଘୋଷଣା କରିଥିଲେ।

କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ଏହା ଆଇନରେ ପରିଣତ ହେଲେ ତିନି ତଲାକ ପ୍ରଥା ଦେଶରେ ବେଆଇନ ହୋଇଯିବ।

ତତ୍କାଳ ତିନି ତଲାକ୍‌ ତଥା ତଲାକ୍‌ ଏ ବିଦ୍ଦତ୍‌ ଦେଲେ ୩ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଏହି ବିଲ୍‌ରେ ବ୍ୟବସ୍ଥା ରହିଛି। ଅଗଷ୍ଟ ୨୨ ତାରିଖରେ ସୁପ୍ରିମକୋର୍ଟ ତିନି ତଲାକ୍‌କୁ ବେଆଇନ ଦର୍ଶାଇ ଐତିହାସିକ ରାୟ ଦେବାପରେ ସରକାର ଏହି ଆଇନ ପ୍ରସ୍ତୁତ କରିଛନ୍ତି। ଏ ବାବଦ ଚିଠା ଆଇନ ଡିସେମ୍ବର ୧ ତାରିଖରେ ସମସ୍ତ ରାଜ୍ୟଙ୍କୁ ପଠାଯାଇଥିବା ବେଳେ ଡିସେମ୍ବର ୧୦ ସୁଦ୍ଧା ମତାମତ ଲୋଡ଼ାଯାଇଥିଲା। ଆସାମ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ଏହି ଚିଠା ଆଇନକୁ ସମର୍ଥନ କରିଥିବା ଲିଖିତ ଆକାରରେ ଜଣାଇଛନ୍ତି। ଏହି ବିଲ୍‌କୁ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଦ୍ୱାରା ପରିଚାଳିତ ଏକ ମନ୍ତ୍ରୀଗୋଷ୍ଠୀ ପ୍ରସ୍ତୁତ କରିଛନ୍ତି।

ପ୍ରସ୍ତାବିତ ବିଲ୍‌ ଅନୁଯାୟୀ ତତ୍କାଳ ତିନି ତଲାକ୍‌ର ଶିକାର ହୋଇଥିବା ଜଣେ ମହିଳା ପୁଲିସରେ ଏଫଆଇଆର ଦାଏର କରି ଏବଂ ମାଜିଷ୍ଟ୍ରେଟ୍‌ଙ୍କୁ ଏ ସମ୍ପର୍କରେ ଅବଗତ କରାଇ ତାଙ୍କ ସ୍ୱାମୀଙ୍କଠାରୁ ନାବାଳକ ସନ୍ତାନ ସମେତ ନିଜର ସମସ୍ତ ଭରଣାପୋଷଣ ଖର୍ଚ୍ଚ ପାଇପାରିବେ। ଏହି ବିଲ୍‌ ଅଧୀନରେ ଯେ କୌଣସି ପ୍ରକାର ତିନି ତଲାକ୍‌ ମାଧ୍ୟମ (ଲିଖିତ, ମୌଖିକ, ଇମେଲ, ଏସଏମଏସ ଓ ହ୍ଵାଟ୍ସଆପ୍‌)କୁ ନିଷିଦ୍ଧ କରାଯିବ। ସଂସଦର ଉଭୟ ଗୃହରେ ଏହି ବିଲ୍‌ ଗୃହୀତ ହେବାପରେ ଏବଂ ରାଷ୍ଟ୍ରପତିଙ୍କ ସ୍ୱୀକୃତିକ୍ରମେ ଆଇନରେ ପରିଣତ ହେବ। ତେବେ ଏହି ଆଇନ ଜମ୍ମୁ କଶ୍ମୀର ରାଜ୍ୟ ପାଇଁ ଲାଗୁ ହେବନାହିଁ। ବିଗତ ୩ ମାସ ମଧ୍ୟରେ ସରକାର ତିନି ତଲାକ୍‌ ସଂକ୍ରାନ୍ତୀୟ ୬୭ଟି ଅଭିଯୋଗ ଗ୍ରହଣ କରିଥିବା ଜଣାଯାଇଛି। କେବଳ ୨୦୧୭ ମସିହାରେ ସରକାରଙ୍କ ନିକଟରେ ୧୭୭ରୁ ଊର୍ଦ୍ଧ୍ୱ ତତ୍କାଳ ତିିନି ତଲାକ ସଂକ୍ରାନ୍ତ ଅଭିଯୋଗ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର