ତ୍ରିପୁରାରେ ଭାଙ୍ଗିଲେ ଲେନିନ୍‌ଙ୍କ ମୂର୍ତ୍ତି

୨ ପ୍ରତିମୂର୍ତ୍ତି ଧରାଶାୟୀ, ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ : ତ୍ରିପୁରାରେ ଦୀର୍ଘ ୨୫ ବର୍ଷ ଧରି ଶାସନ କରିଆସିଥିବା ବାମଦଳର ପତନ ଘଟାଇ ବିଜେପି ବିଜୟ ହାସଲ କରିବା ପରେ ଏବେ ତ୍ରିପୁରା ଅଚାନକ ଅଶାନ୍ତ ହୋଇଉଠିଛି । ସୋମବାର ଦିନ କିଛି ବିଜେପି କର୍ମୀ ଏବଂ ସମର୍ଥକ ଦକ୍ଷିଣ ତ୍ରିପୁରାର ବେଲୋନିଆ ସହରରେ ଲେନିନ୍‌ଙ୍କର ଏକ ପ୍ରତିମୂର୍ତ୍ତିକୁ ଜେସିବି ଲଗାଇ ଭାଙ୍ଗି ଦେଇଥିବା ବେଳେ ଆଜି ସବରୁମ୍‌ ସହରରେ ଅନ୍ୟ ଏକ ଲେନିନ୍‌ ପ୍ରତିମୂର୍ତ୍ତି ଭାଙ୍ଗି ଦେଇଛନ୍ତି। ଏହାକୁ ନେଇ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ବାମପନ୍ଥୀ ଦଳର ନେତାମାନେ ଏହାକୁ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି। ସେପଟେ ତ୍ରିପୁରାରେ ଏହାକୁ ନେଇ ବିରୋଧ ଓ ହିଂସା ଆରମ୍ଭ ହୋଇଯାଇଛି। ବିଜେପି ଏବଂ ବାମପନ୍ଥୀ ଏହି ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି। ନିର୍ବାଚନରେ ବିପୁଳ ବିଜୟର ଉତ୍ସବକୁ ଏଭଳି ଅଭାବନୀୟ ଢଙ୍ଗରେ ପାଳନ କରାଯିବା ଘଟଣା ଶାନ୍ତିପ୍ରିୟ ଦେଶବାସୀଙ୍କୁ ଚକିତ କରିଛି ବୋଲି ବିଭିନ୍ନ ମହଲରୁ ସମାଲୋଚନା ହେଉଛି। ରାଜ୍ୟପାଳ ଏବଂ କିଛି ବରିଷ୍ଠ ରାଜନେତା କଟା ଘା’ରେ ଚୂନ ଦେଲା ଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।

ବିଜେପି ନେତା ସୁବ୍ରମଣ୍ୟମ୍‌ ସ୍ୱାମୀ ଏହି ମୂର୍ତ୍ତି ଭଙ୍ଗାକୁ ସମର୍ଥନ ଜଣାଇବା ପରିସ୍ଥିତିକୁ ଅଧିକ ଉତ୍ତେଜନାପ୍ରବଣ କରିଛି। ସ୍ୱାମୀ କହିଛନ୍ତି ଯେ ଲେନିନ୍‌ ଜଣେ ଆତଙ୍କବାଦୀ ଏବଂ ଏଭଳି ଜଣେ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ଭାରତରେ ସ୍ଥାପିତ ହେବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ସେ କହିଛନ୍ତି ସିପିଏମ୍‌ ନେତାମାନେ ଲେନିନ୍‌ଙ୍କ ପ୍ରତିମୂର୍ତ୍ତିକୁ ଦଳର ହେଡ୍‌କ୍ୱାର୍ଟରରେ ରଖି ପୂଜା କରନ୍ତୁ, କିନ୍ତୁ ଦେଶରେ ସର୍ବସାଧାରଣ ସ୍ଥଳରେ ଏଭଳି ପ୍ରତିମୂର୍ତ୍ତି ରହିପାରିବନି। ଅନ୍ୟପକ୍ଷରେ ମୂର୍ତ୍ତିଭଙ୍ଗା ପ୍ରତିବାଦରେ ସୁସି (ସୋସିଆଲିଷ୍ଟ୍‍ ୟୁନିଟି ସେଣ୍ଟର ଅଫ ଇଣ୍ଡିଆ)ର ଆନ୍ଦୋଳନକାରୀମାନେ ଆଜି କୋଲକାତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ତ୍ରିପୁରାର ଅନେକ ସ୍ଥାନରେ ୧୪୪ ଧାରା ଜାରି ହୋଇଛି। ତେବେ ଏସବୁ ହିଂସାକାଣ୍ଡ ଏବଂ ଭଙ୍ଗାରୁଜା କେବଳ ସିପିଏମ୍‌ର ଅପକର୍ମ ପାଇଁ ଜନତାଙ୍କ ଦ୍ୱାରା ହେଉଛି ବୋଲି ବିଜେପି ମୁଖପାତ୍ର ସୁବ୍ରତ ଚକ୍ରବର୍ତ୍ତୀ କହିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ରାଜ୍ୟରେ ଶାନ୍ତି ବଜାୟ ରଖିବାପାଇଁ ରାଜ୍ୟପାଳ ଏବଂ ରାଜ୍ୟ ପୁଲିସ ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି। ସହରରେ କଡ଼ା ସୁରକ୍ଷା ବନ୍ଦୋବସ୍ତ ସତ୍ତ୍ୱେ ଉତ୍ତେଜନା ଜାରି ରହିଛି। ଲେନିନ୍‌ଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିବା ବୁଲ୍‌ଡୋଜର ଡ୍ରାଇଭର ଗିରଫ ହୋଇଛି। ପୁଲିସ ସୁତ୍ରରୁ ଜଣାଯାଇଛି ଯେ ବିଜେପି ଦ୍ୱାରା ହୋଇଥିବା ଏକ ବିଜୟ ଯାତ୍ରା ସମୟରେ ଏକ ଗୋଷ୍ଠୀ ବୁଲଡୋଜର ଲଗାଇ ଲେନିନ୍‌ଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦେଇଥିଲେ। ବିଜେପି ରାଜ୍ୟ ଉପାଧ୍ୟକ୍ଷ ସୁବଳ ଭୌମିକ କହିଛନ୍ତି ସେ ସିପିଏମ୍‌ କର୍ମୀଙ୍କ ହିଂସାକାଣ୍ଡରେ ପାଖାପାଖି ୪୯ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି। ସିପିଏମ୍‌ ରାଜ୍ୟ ସଚିବ ବିଜନ ଧାର୍‌ଙ୍କ ଅଭିଯୋଗ ଅନୁଯାୟୀ ବିଜୟ ହାସଲ ପରେ ବିଜେପି ସମର୍ଥକଙ୍କ ଦ୍ୱାରା ଗତ ସୋମବାରଠାରୁ ହୋଇଥିବା ୨୦୦ରୁ ଊର୍ଦ୍ଧ୍ୱ ହିଂସାକାଣ୍ଡରେ ସିପିଏମ୍‌ର ପାଖାପାଖି ୫୧୪ ଦଳୀୟ କର୍ମୀ ଏବଂ ସମର୍ଥକ ଆହତ ହୋଇଛନ୍ତି। ବିଜେପି ସମର୍ଥକମାନେ ସିପିଏମ୍‌ ସମର୍ଥକଙ୍କର ୧୫୩୯ ଗୃହ ଭାଙ୍ଗି ଦେଇଥିବାବେଳେ ୬୪ ଅଫିସରେ ନିଅାଁ ଲଗାଇ ଦେଇଛନ୍ତି। ବିଜେପି ସମର୍ଥକଙ୍କ ଦ୍ୱାରା ସିପିଏମ୍‌ର ୨୦୮ ଅଫିସ ବଳପୂର୍ବକ ଅକ୍ତିଆର କରିନିଆଯାଇଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର