ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବଙ୍କ ‘ଦିବ୍ୟ ଜ୍ଞାନ’, ପାଣିରେ ବତକ ପହଁରିଲେ ବଢ଼ିବ ଅମ୍ଲଜାନ ସ୍ତର!

ଚାଷୀଙ୍କୁ ବତକ ବାଣ୍ଟିବେ ତ୍ରିପୁରା ସରକାର!

ଅଗରତଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ପୁଣି ଏକ ଅଦ୍ଭୁତ ବୟାନ ଦେଇଛନ୍ତି। ସେ କହିଛନ୍ତି, ପାଣିରେ ବତକ ପହଁରିଲେ ନିଶ୍ଚିତ ଭାବରେ ପାଣିରେ ଅମ୍ଲଜାନ ସ୍ତର ବଢ଼ିବ। ମୁଖ୍ୟମନ୍ତ୍ରୀ ବିପ୍ଲବ ବତକ ପାଳନ କଲେ ଲାଭ ହେବ ବୋଲି ମଙ୍ଗଳବାର କହିଛନ୍ତି। ପ୍ରଥମତଃ ବତକ ପାଳନ କରିବା ଦ୍ୱାରା ଚାଷୀଙ୍କ ଆର୍ଥିକ ଅବସ୍ଥା ସୁଧୁରିବ। ଦ୍ୱିତୀୟରେ ପାଣି ପରିଷ୍କାର ହେବ। ଦେବ ରୁଦ୍ର ସାଗରରେ ଏକ କୁତ୍ରିମ ହ୍ରଦର ଉଦ୍‌ଘାଟନ ଅବସରେ ଏହା କହିଛନ୍ତି। ଏହି ଅବସରରେ ସେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି, ମୋର ଭାବନା ଯେ ରାଜ୍ୟର ଚାଷୀଙ୍କୁ ବତକ ବଣ୍ଟାଯାଉ। ଏହା ଦ୍ୱାରା ରାଜ୍ୟର ଗ୍ରାମାଞ୍ଚଳ ଲୋକଙ୍କର ଆର୍ଥିକ ଅବସ୍ଥା ସୁଧୁରିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ହ୍ରଦ ନିକଟରେ ରହୁଥିବା ମତ୍ସପାଳକଙ୍କୁ ୫୦ ହଜାର ବତକ ବଣ୍ଟାଯାଉ। ପର୍ଯ୍ୟଟନ କେନ୍ଦ୍ର ନିକଟରେ ଧଳା ବତକ ବାଣ୍ଟିବାକୁ ସରକାର ଯୋଜନା କରୁଛନ୍ତି। ଏହା ଦ୍ୱାରା ପ୍ରାକୃତିକ ସୁନ୍ଦରତା ବଢ଼ିବ ଓ ଗ୍ରାମାଞ୍ଚଳର ଲୋକମାନଙ୍କର ଆର୍ଥିକ ବିକାଶ ହେବ। ଏହା ପରେ ବତକ ପାଳନରେ କ’ଣ ଲାଭ ହୋଇଥାଏ ଗୋଟି ଗୋଟି କରି ହିସାବ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପାଣିରେ ବତକ ପହଁରିଲେ ଅମ୍ଲଜାନ ସ୍ତର ବଢ଼ି ଯାଇଥାଏ। ଅମ୍ଲଜାନ ସଂଶୋଧିତ ହୋଇଥାଏ। ଏହାଦ୍ୱାରା ମାଛମାନେ ଶୀଘ୍ର ବଢ଼ି ପାରିବ। ମତ୍ସଜୀବୀଙ୍କ ଆର୍ଥିକ ପରିସ୍ଥିତି ସୁଧୁରିବ।

ସମ୍ବନ୍ଧିତ ଖବର