ତ୍ରିପୁରା ବିଧାନସଭା ନିର୍ବାଚନ; ୭୪ ପ୍ରତିଶତ ମତଦାତା ଦେଲେ ଭୋଟ

ଅଗରତଲା: ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଆଜି ଅନୁଷ୍ଠିତ ହୋଇଥିବା ଭୋଟ ଗ୍ରହଣ ଶନ୍ତିଶୃଙ୍ଖଳାର ସହ ଶେଷ ହୋଇଯାଇଛି। ରାଜ୍ୟର ୭୪ ପ୍ରତିଶତ ମତଦାତା ଅଂଶଗ୍ରହଣ କରି ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ତେବେ, କେତେକ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ଅବ୍ୟାହତ ରହିଥିବାରୁ ମତଦାନ ହାର ବଢ଼ିବାର ସମ୍ଭାବନା ରହିଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ଅପରାହ୍ନ ୪ ଟାଯାଏଁ ଚାଲଥିଲା। ୩ହଜାର ୨୧୪ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଇଥିଲା। ତ୍ରିପୁରା ବିଧାନସଭା ନିର୍ବାଚନରେ ମୋଟ ୫୯ଟି ଆସନ ପାଇଁ ୩୦୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ, ଆଜି ବିଧାନସଭାର ମୋଟ ୬୦ଟି ଆସନ ମଧ୍ୟରୁ ୫୯ଟି ଆସନ ପାଇଁ ଭୋଟ ଗ୍ରହଣ କରାଯାଇଛି। ଚରିଲମ୍‌ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସିପିଏମ ପ୍ରାର୍ଥୀଙ୍କ ମୁତ୍ୟୁ ହୋଇଯିବାରୁ ସେଠାରେ ମାର୍ଚ୍ଚ ୧୨ରେ ନିର୍ବାଚନ ହେବ। ଚଳିତ ନିର୍ବାଚନରେ ବିଗତ ୨୫ ବର୍ଷ ଧରି ରାଜ୍ୟର ଶାସନଭାର ସମ୍ଭାଳିଥିବା ସିପିଏମର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜେପି ସହ ଟକ୍କର ହେବାର ସମ୍ଭାବନା ଅଧିକ ରହିଛି। ଅନ୍ୟପଟେ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ମୈଦାନକୁ ଓହ୍ଳାଇଛି କଂଗ୍ରେସ। ତେଣୁ ତ୍ରିପୁରା ନିର୍ବାଚନରେ ତ୍ରିକୋଣୀୟ ଲଢେଇ ହେବାର ସମ୍ଭାବନା ରହିଛି।


ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ଚାରିଟି ରାଲି କରି ସମ୍ବୋଧିତ କରିଥିଲେ। ଏହା ବ୍ୟତୀତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ଦଳର ଅନେକ ବଡ଼ ବଡ଼ ନେତା ରାଜ୍ୟରେ ନିର୍ବାଚନ ପ୍ରଚାର ଜୋରସୋରରେ କରିଥିଲେ। କଂଗ୍ରେସ ତରଫରୁ ରାହୁଲ ଗାନ୍ଧୀ ଏଠାରେ ନିର୍ବାଚନୀ ପ୍ରଚାର କରିଥିଲେ। ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ମାଣିକ ସରକାର ସମଗ୍ର ରାଜ୍ୟରେ ୫୦ରୁ ଅଧିକ ରାଲି କରି ସମ୍ବୋଧିତ କରିଥିଲେ। ତେବେ ନିର୍ବାଚନ ଫଳାଫଳ ପ୍ରକାଶ ପରେ ହିଁ ଜଣାପଡ଼ିବ କାହାର ନିର୍ବାଚନ ପ୍ରଚାର ଜୋରଦାର ଥିଲା କିମ୍ବା ଲୋକେ କାହାକୁ ଅଧିକ ପସନ୍ଦ କରୁଛନ୍ତି।

ସମ୍ବନ୍ଧିତ ଖବର