ନୂଆଦିଲ୍ଲୀ: ଯମୁନା ନଦୀରୁ ମିଳିଲା ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ । ଦିଲ୍ଲୀ ଗୀତା କଲୋନୀ ଅଞ୍ଚଳରେ ଥିବା ଯମୁନା ନଦୀ କଡରୁ ମିଳିଲା ମୃତଦେହ । ମୃତ ଯୁବତୀ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ରୀ । ତାଙ୍କ ନାଁ ସ୍ନେହା ଦେବନାଥ । ତାଙ୍କ ବୟସ ୧୯ ବର୍ଷ ।
ତେବେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଆତ୍ମରାମ ସନାତନ ଧର୍ମ କଲେଜରେ ପଢୁଥିବା ସ୍ନେହା ବିଏସସି ଗଣିତ ବିଭାଗର ୨ୟ ବର୍ଷର ଛାତ୍ରୀ । ଗତ ୭ ତାରିଖରୁ ସ୍ନେହା ନିଖୋଜ ଅଛନ୍ତି । ଯଦିଓ ସ୍ନେହାଙ୍କ ଘର ତ୍ରିପୁରା ମାତ୍ର ସେ ତାଙ୍କ ପରିବାର ସହ ଦିଲ୍ଲୀରେ ରହି ଆସୁଛନ୍ତି । ଯୁବତୀଙ୍କ ଶେଷ ଲୋକେସନ ସିଗନେଚର ବ୍ରିଜ୍ ଦେଖାଉଥିବା ବେଳେ ସ୍ନେହା ବ୍ରିଜରୁ ଡିଆଁ ମାରି ଆତ୍ମହତ୍ୟା କରିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି ।
ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଜୁଲାଇ ୭ ତାରିଖ ଦିନ ସ୍ନେହା ତାଙ୍କ ସାଙ୍ଗକୁ ରେଳ ଷ୍ଟେସନ ଛାଡିବାକୁ ଯିବାକୁ କହି ଘରୁ ବାହାରିଥିଲେ । ସକାଳ ୫ଟା ୧୫ରେ ଘରୁ ବାହାରିଥିବା ବେଳେ ସକାଳ ୮.୪୫ ବେଳକୁ ସ୍ନେହା ଘରକୁ ନଫେରିବାରୁ ତାଙ୍କ ଫୋନକୁ ଭଉଣୀ କଲ୍ କରିଥିଲେ ହେଲେ ତାଙ୍କ ଫୋନ୍ ସ୍ବିଚଅଫ୍ ଥିଲା । ବ୍ୟସ୍ତ ହୋଇ ସେ ସ୍ନେହାଙ୍କ ସାଙ୍ଗକୁ ଫୋନ କରିବାକୁ ସେ ମନା କରିଥିଲେ ତି ଆଜି ସ୍ନେହା ସହ ତାଙ୍କର ଭେଟ ହୋଇନି କି ସେ କେଉଁ ରେଳ ଷ୍ଟେସନ ଯାଇ ନାହାନ୍ତି ।
ସ୍ନେହା ଯେଉଁ କ୍ୟାବ୍ ବୁକ କରି ଯାଇଥିଲେ ତାଙ୍କ ସହ ଯୋଗାଯୋଗ କରିବାକୁ ଜଣା ପଡିଲା କି ସ୍ନେହା ସିଗନେଚର ବ୍ରିଜରେ ଓହ୍ଲାଇ ଯାଇଥିଲେ । ତେବେ ସେଠାରେ ଲାଗିଥିବା ସିସିଟିଭିର ଭିଜୁଆଲରୁ ସ୍ନେହାଙ୍କ ଗତିବିଧି ଟ୍ରାକ୍ କରି ହେଉନଥିବା ପୋଲିସ କହିଛି ।