ତ୍ରିପୁରେଶ୍ୱରୀ ମନ୍ଦିରରେ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଛାଗବଳି ନିଷିଦ୍ଧ କଲେ ତ୍ରିପୁରା ହାଇକୋର୍ଟ

ନୂଆଦିଲ୍ଲୀ: ହିନ୍ଦୁ ମନ୍ଦିରମାନଙ୍କରେ ପଶୁ ବଳି ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ଶୁକ୍ରବାର ଦିନ ତ୍ରିପୁରା ହାଇକୋର୍ଟ ଆଦେଶ ଦେଇଛନ୍ତି। ଏଥିଯୋଗୁଁ ପ୍ରସିଦ୍ଧ ଶକ୍ତିପୀଠ ମାତା ତ୍ରିପୁରେଶ୍ୱରୀ ମନ୍ଦିରରେ ଦୀର୍ଘ ୫୦୦ ବର୍ଷର ଦୈନିକ ବଳି ପରମ୍ପରାକୁ ଚାଲୁ ରଖିବା ନିମନ୍ତେ ରାଜ୍ୟ ସରକାରଙ୍କ ଛେଳି ଯୋଗାଣ ମଧ୍ୟ ବନ୍ଦ ହେବ।

ଭାରତ ସହ ମିଶ୍ରଣ ସମୟରେ ରାଜ୍ୟ ସରକାର କେତେକ ସର୍ତ୍ତାବଳୀ ରଖିଥିଲେ। ସେ ଅନୁଯାୟୀ ପରମ୍ପରା ଅନୁସାରେ ରାଜ୍ୟ ସରକାର ମାତା ତ୍ରିପୁରେଶ୍ୱରୀ ଏବଂ ଅନ୍ୟାନ୍ୟ ମନ୍ଦିରରେ ପୂଜା କରାଇବେ ବୋଲି ସର୍ତ୍ତ ରହିଥିଲା। ବଳି ପ୍ରଥା ସ୍ୱାଧୀନତା ପୂର୍ବରୁ, ରାଜାମହାରାଜାଙ୍କ ଅମଳରୁ ଚାଲିଆସୁଛି। ଗୃହପାଳିତ ପଶୁ ବଳି ଦେବା ପୂଜାର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ତାହା ଆଜି ଯାଏଁ ଚାଲୁଛି ଏବଂ ତାହା ବନ୍ଦ କରି ହେବ ନାହିଁ ବୋଲି ରାଜ୍ୟ ସରକାର ଯୁକ୍ତି ବାଢ଼ିଥିଲେ।

ପଶୁବଳି ନିଷେଧ କରିବା ଲାଗି ଆଡ୍‌ଭୋକେଟ୍‌ ସୁଭାଷ ଭଟ୍ଟାଚାର୍ଜି ଦାଏର କରିଥିବା ଜନସ୍ୱାର୍ଥ ମାମଲା ତ୍ରୁଟିପୂର୍ଣ୍ଣ ବୋଲି ମଧ୍ୟ ରାଜ୍ୟ ସରକାର କହିଥିଲେ। କାରଣ ବକ୍‌ରି ଇଦ୍‌ ବେଳେ ସଂଖ୍ୟଲଘୁ ସମ୍ପ୍ରଦାୟ ମଧ୍ୟ ପଶୁବଳି ଦେଉଛନ୍ତି। ଏହାକୁ କେହି ଚାଲେଞ୍ଜ୍‌ କରୁ ନାହାନ୍ତି। ହିନ୍ଦୁ ଭାବାବେଗକୁ ଆଘାତ ଦେବା ନିମନ୍ତେ ଏହା ହେଉଛି ଅଣହିନ୍ଦୁମାନଙ୍କର ରାଜନୈତିକ ଚାଲ ବୋଲି ରାଜ୍ୟ ସରକାର କହିଛନ୍ତି।

୭୨ ପୃଷ୍ଠା ସମ୍ବଳିତ ରାୟରେ ମୁଖ୍ୟ ବିଚାରପତି ସଞ୍ଜୟ କାରୋଲ୍‌ ଏବଂ ବିଚାରପତି ଅରିନ୍ଦମ ଲୋଧା କହିଛନ୍ତି: ତ୍ରିପୁରେଶ୍ୱରୀ ଏବଂ ଅନ୍ୟାନ୍ୟ ମନ୍ଦିରରେ ରାଜ୍ୟ ସରକାରଙ୍କ ଭୂମିକା ସୀମିତ। ରାଜ୍ୟ ତହବିଲ୍‌ରୁ ମନ୍ଦିରକୁ ବଳି ପାଇଁ ଦୈନିକ ଛେଳିଟାଏ ଯୋଗାଇବା ସମ୍ବିଧାନର ଧାରା ୨୫ (୨) (କ) ଅନୁସାରେ ଧର୍ମନିରପେକ୍ଷତା କାର୍ଯ୍ୟକଳାପର ବିରୋଧ କରୁଛି। ସମାଜରେ ସଂସ୍କାର ଆଣି ଏହି ସବୁ ପ୍ରଥାକୁ ଉଚ୍ଛେଦ କରିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ।

ଅଦାଲତ ଆହୁରି କହିଛନ୍ତି କି, ବଳି ନ ଦେବା ନିମନ୍ତେ ଭକ୍ତମାନେ ନୈବେଦ୍ୟ ଭାବେ ମନ୍ଦିରକୁ ପଶୁ ଦାନ କରିପାରନ୍ତି।

ସମ୍ବନ୍ଧିତ ଖବର