ଅଗରତାଲା: ପୂର୍ବାଞ୍ଚଳର ତ୍ରିପୁରାରେ ବାମଦୁର୍ଗକୁ ଭୁଶୁଡ଼ାଇ ବିଜେପି ଦିନେ କ୍ଷମତା ଅକ୍ତିଆର କରିବ ବୋଲି ତିନି ବର୍ଷ ତଳେ କେହି ପୂର୍ବାନୁମାନ କରିନଥିଲେ। କିନ୍ତୁ ଆସାମରେ ବିଜେପି କ୍ଷମତାକୁ ଆସିବା ପରେ ତ୍ରିପୁରା ଦଖଲ ପାଇଁ ଅବଲମ୍ବନ କରିଥିବା ରଣନୀତି ଅତ୍ୟନ୍ତ ସଫଳ ସାବ୍ୟସ୍ତ ହୋଇଛି ଏବଂ ଆଜି ଘୋଷିତ ଫଳାଫଳ ଅନୁଯାୟୀ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଦଳ ସକ୍ଷମ ହୋଇଛି। ସିପିଏମ୍୍ ନେତୃତ୍ୱାଧୀନ ସରକାର ମାତ୍ର ୧୬ଟି ଆସନରେ ସୀମିତ ରହିଯାଇଥିବା ବେଳେ ବିଜେପି ୪୭ ଆସନ ଦଖଲ କରି ଇତିହାସ ସୃଷ୍ଟି କରିଛି। ତ୍ରିପୁରାରେ ୨୦୧୩ରେ ମାତ୍ର ୧.୫ ପ୍ରତିଶତ ଭୋଟ୍ ହାସଲ କରିଥିବା ବିଜେପି ଖାତା ମଧ୍ୟ ଖୋଲିବାକୁ ସକ୍ଷମ ହୋଇନଥିଲା। ବିଗତ ୨୫ ବର୍ଷ ମଧ୍ୟରେ ସିପିଏମ୍ ସରକାର ତ୍ରିପୁରାରେ ରହିଥିଲା ଏବଂ ବିଜେପି ପାଇଁ ଏଠାରେ କୌଣସି ସ୍ଥାନ ନାହିଁ ବୋଲି ୨୦୧୩ ନିର୍ବାଚନ ପରେ ଅନେକ ରାଜନୈତିକ ପଣ୍ଡିତ ଭବିଷ୍ୟବାଣୀ କରିଥିଲେ। କିନ୍ତୁ ଚଳିତ ନିର୍ବାଚନ ସବୁକିଛି ଓଲଟାଇ ଦେଇଛି। ତ୍ରିପୁରା ସମସ୍ତଙ୍କୁ ଚକିତ କରି ଗେରୁଆମୟ ହୋଇଉଠିଛି। ମାଣିକ ସରକାରଙ୍କ ସ୍ୱଚ୍ଛ ଶାସନର ଦ୍ୱାହି ଦେଇ ସିପିଏମ୍ ଏଥର ନିର୍ବାଚନ ବୈତରଣୀ ପାର ହେବାକୁ ଯେଉଁ ସ୍ୱପ୍ନ ଦେଖିଥିଲା ତାହାକୁ ବିଜେପି ଅଧ୍ୟକ୍ଷ ଅମିତ ଶାହ, ବରିଷ୍ଠ ନେତା ରାମ ମାଧବ ଏବଂ ତ୍ରିପୁରା ବିଜେପି ଅଧ୍ୟକ୍ଷ ବିପ୍ଳବ କୁମାର ଦେବଙ୍କ ସଫଳ ରଣନୀତି ଧୂଳିସାତ୍ କରିଦେଇଛି। ବିଜେପି ତ୍ରିପୁରାରେ ନିଜ ସଂଗଠନକୁ ମଜବୁତ କରିବା ପାଇଁ ସଂପୂର୍ଣ୍ଣ ଶକ୍ତି ଖଟାଇଥିବା ବେଳେ ବିଜେପିର ପୂର୍ବାଞ୍ଚଳ ସେଲ୍ର ମୁଖ୍ୟ ସୁନୀଲ ଦେବଧର ବିଗତ ୩ ବର୍ଷ ମଧ୍ୟରେ ଏଠାରେ ସଂଗଠନକୁ ଶକ୍ତିଶାଳୀ କରିବା ପାଇଁ ଅହରହ ପ୍ରୟାସ ଜାରି ରଖିଥିଲେ।
ତ୍ରିପୁରାରେ ବିଜେପିର ବିଜୟ ପାଇଁ ଯୋଗୀ ଆଦିତ୍ୟନାଥଙ୍କ ଅବଦାନ ମଧ୍ୟ ଯଥେଷ୍ଟ ରହିଛି। ପୂର୍ବାଞ୍ଚଳରେ ଯୋଗୀଙ୍କ ଲୋକପ୍ରିୟତାକୁ ପାଥେୟ କରି ୭ଟି ସ୍ଥାନରେ ବିଜେପି ଯୋଗୀଙ୍କୁ ନେଇ ସ୍ୱତନ୍ତ୍ର ର୍ୟାଲି ଆୟୋଜନ କରିଥିଲା ଏବଂ ସେଥିରୁ ୫ଟି ସ୍ଥାନରେ ବିଜେପିକୁ ବିଜୟ ମିଳିଛି। ନିର୍ବାଚନର ୨ ବର୍ଷ ପୂର୍ବରୁ ବିଜେପି ଏଠାରେ ବୁଥ୍୍ସ୍ତରରେ ଦଳକୁ ଶକ୍ତିଶାଳୀ କରିବା ପାଇଁ ସବୁ ପଦକ୍ଷେପ ଗ୍ରହଣ କରିଥିଲା ଏବଂ ଜନସଂପର୍କ ବୃଦ୍ଧି ପାଇଁ ବିଜେପି କର୍ମୀମାନେ କଠୋର ପରିଶ୍ରମ କରିଥିଲେ। ଯାହାର ପରିଣାମ ସ୍ୱରୂପ ବିଜେପି ଲାଲ ଦୁର୍ଗର ପତନ ଘଟାଇ ଏହି ରାଜ୍ୟକୁ ନିଜ ନିୟନ୍ତ୍ରଣକୁ ନେବାରେ ସକ୍ଷମ ହୋଇଛି। କଂଗ୍ରେସକୁ ତ୍ରିପୁରାରେ ୨୦୧୩ରେ ୩୬ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ଏଥର ଦଳକୁ କେବଳ ୨ ପ୍ରତିଶତ ଭୋଟ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ରାଜ୍ୟ ବିଜେପି ମୁଖ୍ୟ ବିପ୍ଳବ ଦେବ ତ୍ରିପୁରାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଦଳୀୟ ମହଲରେ ଜୋର୍ସୋରରେ ଚର୍ଚ୍ଚା ଚାଲିଛି। ଦୀର୍ଘ ୨୫ ବର୍ଷର ବାମଦଳର ଶାସନ ପତନ ଘଟାଇବାରେ ବିପ୍ଳବଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇବାରେ ଦଳର କୌଣସି ସମସ୍ୟା ନାହିଁ ବୋଲି ବରିଷ୍ଠ ନେତାମାନେ କହିଛନ୍ତି। ବିପ୍ଳବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାକୁ ସେ ପ୍ରସ୍ତୁତ ଅଛନ୍ତି ଏବଂ ଦଳ ଯେଉଁ ଦାୟିତ୍ୱ ଦେବ ସେ ତାହାକୁ ସୁଚାରୁ ରୂପେ ନିର୍ବାହ କରିବେ। ୪୯ ବର୍ଷୀୟ ବିପ୍ଳବ ଦିଲ୍ଲୀ ଏବଂ ମଧ୍ୟପ୍ରଦେଶରେ ମଧ୍ୟ ବିଜେପିର ସାଂଗଠନିକ କାର୍ଯ୍ୟକର୍ତ୍ତା ଭାବେ କାମ କରିଛନ୍ତି।
ରଣନୀତିର ଭିତିରି କଥା
ନୂଆଦିଲ୍ଲୀ: ତ୍ରିପୁରା ଦଖଲ ପାଇଁ ବିଜେପି ଅସଲରେ ତା’ର ଅଭିଯାନ ୨ ବର୍ଷ ତଳୁ ଆରମ୍ଭ କରିଥିଲା। ମହାରାଷ୍ଟ୍ରର ନେତା ସୁନୀଲ ଦେଓଧରଙ୍କୁ ତ୍ରିପୁରା ରହି ପ୍ରତି ବୁଥ୍ରେ ଦକ୍ଷ ସମର୍ଥକ ଯୋଗାଡ଼ଠାରୁ ଆରମ୍ଭ କରି ମୋଦି ସରକାରଙ୍କ ସଫଳତାର ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ଦାୟିତ୍ୱ ଦିଆଯାଇଥିଲା। ଏଥିପାଇଁ ୪୨ ହଜାର କର୍ମୀ ନିୟୋଜିତ ଥିଲେ। ବିଜେପି ଏଠାରେ ମୁଖ୍ୟତଃ ବାମମେଣ୍ଟ ବିରୋଧୀ ଭୋଟ୍କୁ ଏକତ୍ରିତ କରିବାକୁ ରଣନୀତି କାର୍ଯ୍ୟକାରୀ କରିଥିଲା। ଗତ ନିର୍ବାଚନରେ ବାମଦଳଗୁଡ଼ିକ ଏଠାରେ ୫୧ ପ୍ରତିଶତ ଭୋଟ୍ ହାସଲ କରିଥିବା ବେଳେ ବିଜେପି ମାତ୍ର ୧.୫ ପ୍ରତିଶତ ଭୋଟ୍ରେ ସୀମିତ ରହିଥିଲା। ତେଣୁ ତ୍ରୁଣମୂଳସ୍ତରରୁ ସଂଗଠନକୁ ଶକ୍ତିଶାଳୀ କରିବାକୁ ପ୍ରୟାସ କରଥିଲା ଏବଂ ପଂଚାୟତ ଓ ନଗରପାଳିକା ନିର୍ବାଚନରେ ନିଜ ସ୍ଥିତିକୁ ଧୀରେ ଧୀରେ ମଜବୁତ କରିଥିଲା। ବିଜେପିର ରଣନୀତି ସିପିଏମ୍ ଏବଂ କଂଗ୍ରେସ ତୁଳନାରେ ଅତ୍ୟନ୍ତ ପାରଦର୍ଶୀ ଥିଲା ଏବଂ ଜନସାଧାରଣ ବାମମେଣ୍ଟ ସରକାର ଅପେକ୍ଷା ବିଜେପି ନେତୃତ୍ୱ ପ୍ରତି ଯେଭଳି ଅଧିକ ଭରସା ରଖିପାରିବେ ସେଥିପାଇଁ କର୍ମୀମାନେ ବିଶ୍ୱାସ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ବିକାଶ ନେଇ ବିଭିନ୍ନ ମଞ୍ଚରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ଜନସାଧାରଣ ଏହାକୁ ଅତ୍ୟନ୍ତ ସକରାତ୍ମକ ଭାବେ ଗ୍ରହଣ କରିଥିଲେ। ତ୍ରିପୁରାରେ ଏବେ ବି ଚତୁର୍ଥ ବେତନ କମିସନ କାର୍ଯ୍ୟକାରୀ ହେଉଥିବା ବେଳେ ବିଜେପି ସପ୍ତମ ବେତନ କମିସନ ଲାଗୁ କରିବା ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲା। ଏହି ପ୍ରତିଶ୍ରୁତି କଂଗ୍ରେସ ଦଳ ମଧ୍ୟ ଦେଇଥିଲା। ତେବେ ବିଜେପି ହିଁ ଏହି ପ୍ରତିଶୃତି ପୂରଣ କରିପାରିବ ବୋଲି ସରକାରୀ କର୍ମଚାରୀମାନେ ଆସ୍ଥା ପ୍ରକଟ କରିଥିଲେ। ଏହା ବ୍ୟତୀତ ମହିଳା ଓ ଯୁବ ଭୋଟରଙ୍କ ମଧ୍ୟରେ ବିଜେପି ପ୍ରତି ସମର୍ଥନ ବଢ଼ାଇବା ପାଇଁ ଦଳ ଅଧ୍ୟକ୍ଷ ଅମିତ ଶାହ ଯୋଜନାବଦ୍ଧ ଭାବେ ପଦକ୍ଷେପ ନେଇଥିଲେ। ବାମମେଣ୍ଟ ସରକାରରେ ଯୁବକ ଓ ମହିଳାମାନଙ୍କ ସମସ୍ୟା କିଭଳି ଜଟିଳ ହୋଇଛି ତାହା ଲୋକଲୋଚନକୁ ଆଣିବା ପାଇଁ ଲଗାତାର ପ୍ରୟାସ ହେଉଥିଲା।
ବିପ୍ଳବ ଦେବ କିଏ?
/sambad/media/post_attachments/wp-content/uploads/2018/03/bipalb-deb_650x400_41520080741-300x185.jpg)
ଅଗରତାଲା: ତ୍ରିପୁରା ବିଜେପିର ରାଜ୍ୟ ସଭାପତି ବିପ୍ଳବ କୁମାର ଦେବ ଅଗରତାଲାର ବନମାଳିପୁର ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଛନ୍ତି। ଚଳିତବର୍ଷ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିିଥିବା ୪୯ ବର୍ଷୀୟ ବିପ୍ଳବ ରାଜନୀତିରେ ପାଦ ଥାପିବା ପୂର୍ବରୁ ଆର୍ଏସ୍ଏସ୍ ସହ ସମ୍ପୃକ୍ତ ଥିଲେ। ତ୍ରିପୁରା ବିଶ୍ୱ ବିଦ୍ୟାଳୟରୁ କଳାରେ ସ୍ନାତକ ସାରିବା ପରେ ଉଚ୍ଚ ଶିକ୍ଷା ପାଇଁ ସେ ଦିଲ୍ଲୀ ଯାଇଥିଲେ। ସେଠାରେ ଜଣେ ଜିମ୍ ନିର୍ଦ୍ଦେଶକ ଭାବେ କ୍ୟାରିୟର ଆରମ୍ଭ କରିଥିବା ବିପ୍ଳବ ବିଜେପି ସାଂସଦ ଗଣେଶ ସିଂଙ୍କ ସହଯୋଗୀ ଭାବେ କାର୍ଯ୍ୟ କରିବା ପରେ ରାଜନୀତି ପାଇଁ ମନ ବଳାଇଥିଲେ। ଦୀର୍ଘ ୧୫ ବର୍ଷର ବ୍ୟବଧାନ ପରେ ତ୍ରିପୁରା ଫେରି ସେ ବିଜେପିରେ ଯୋଗ ଦେଇଥିଲେ। ନିଜର ଓଜସ୍ୱିନୀ ଭାଷଣରେ ଅନ୍ୟମାନଙ୍କୁୁ ଆକର୍ଷିତ କରି ପାରୁଥିବା ବିପ୍ଳବଙ୍କୁ ୨୦୧୬ ଜାନୁଆରି ୭ ତାରିଖରେ ରାଜ୍ୟ ବିଜେପିର ଦାୟିତ୍ୱ ଭାର ମିଳିଥିଲା। ସେହିପରି ତାଙ୍କ ନାମରେ କୌଣସି ଅପରାଧିକ ମାମଲା ନଥିବାରୁ ରାଜ୍ୟରେ ତାଙ୍କ ଛବି ମଧ୍ୟ ବେଶ୍ ପ୍ରଭାବୀ ଓ ପ୍ରଶଂସନୀୟ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/bjp-celebration_650x400_41520072799.jpg)