ତ୍ରିପୁରାରେ ଜୀବନ୍ତ ଲାଭା ଦେଖି ଲୋକ ଆତଙ୍କିତ

ଅଗରତାଲା: ତ୍ରିପୁରାର କଥାଳତଳି ଗାଁ ନିକଟରେ ଜୀବନ୍ତ ଲାଭା ସଦୃଶ କିଛି ପଦାର୍ଥ ଦେଖିବାକୁ ମିଳିଛି | ମାଟି ତଳୁ ଏଭଳି ପଦାର୍ଥ ବାହାରୁଥିବା ଦେଖି ସ୍ଥାନୀୟ ଲୋକ ଭୂତତ୍ଵବିତମାନଙ୍କୁ ସୂଚନା ଦେଇଥିଲେ | ଭୂତତ୍ୱବିଜ୍ଞାନୀଙ୍କ ଏକ ଟିମ ଆସି ଏହାର ଅନୁଧ୍ୟାନ କରୁଛନ୍ତି | ମିଳିଥିବା ସୂଚନା ମୁତାବକ କଥାଳତଳି ଗାଁର ମାଟିତଳୁ ଗରମ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା| ଏହାଫଳରେ ଗାଁ ଲୋକ ଭୟଭୀତ ହୋଇପଡିଥିଲେ | ଏହା ପରେ ସେମାନେ ସେହି ସ୍ଥାନକୁ ଖୋଳିଥିଲେ |

ମାଟିତଳୁ ତରଳ ଲାଭା ଭଳି କିଛି ପଦାର୍ଥ ଦେଖିବାକୁ ମିଳିଥିଲା | ନିଆଁମିଶ୍ରିତ ତରଳ ପଦାର୍ଥ ଦେଖି ସେମାନେ ଭୂତତ୍ୱବିଜ୍ଞାନୀଙ୍କୁ ଖବର ଦେଇଥିଲେ| ଏହାପରେ ତ୍ରିପୁରା ସ୍ପେସ ଆପ୍ଲିକେସନ ସେଣ୍ଟରର ଅଧିକାରୀମାନେ ଘଟଣାସ୍ଥଳରେ ପହଂଚିଥିଲେ | ଏହି ଟିମର ନେତୃତ୍ୱ ନେଉଥିବା ଭୂତତ୍ଵବିଜ୍ଞାନୀ ଅଭିଷେକ ଚୌଧୁରୀ କହିଛନ୍ତି ଯେ ପୂର୍ବରୁ ମଧ୍ୟ ଆଖପାଖ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା | ବର୍ତ୍ତମାନ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବା ଏହାପରେ ହିଁ ସତ୍ୟତା ଜଣାପଡିବ |

ଏଠାରେ ସୂଚନା ଥାଉ କି ୨୦୧୮ ମସିହା ଡିସେମ୍ବର ମାସରେ ପଡୋଶୀ ଯଲିଫା ଗାଁ ରେ ମଧ୍ୟ ଏଭଳି କିଛି ମାଟିତଳେ ତରଳ ପଦାର୍ଥ ଲୋକେ ଦେଖିଥିଲେ | ନିଆଁରେ ଭର୍ତ୍ତି ହୋଇଥିବା କୌଣସି ନଦୀ ବୋହିଯାଉଥିବାର ପ୍ରତ୍ୟକ୍ଷଦର୍ଶୀ କହିଥିଲେ | ସେତେବେଳେ ମଧ୍ୟ ଏ ବାବଦରେ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଥିଲା |

ସମ୍ବନ୍ଧିତ ଖବର